ଆମ ବ୍ୟାଟିଂରେ ଦୁର୍ବଳତା ନାହିଁ: କୋହଲି

0

ଲଣ୍ଡନ: ଲର୍ଡସ ଟେଷ୍ଟରେ ଭାରତୀୟ ଦଳର ଲଜ୍ଜାକର ଇନିଂସ ପରାଜୟ ପରେ ଅଧିନାୟକ ବିରାଟ କୋହଲି ସ୍ୱୀକାର କରିଛନ୍ତି ଯେ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ଙ୍କ ଟେକ୍‍ନିକରେ କୌଣସି ଦୁର୍ବଳତା ନାହିଁ। ଏହି ଦୁର୍ବଳତା ମାନସିକ। ତେଣୁ ତାଙ୍କ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ମାନସିକ ଭାବେ ଦୃଢ଼ ରହି ଖେଳିବାକୁ କୋହଲି ଆହ୍ୱାନ ଜଣାଇଛନ୍ତି। ଲର୍ଡସରେ ଭାରତୀୟ ଦଳ ଉଭୟ ଇନିଂସରେ ୧୦୭ ଓ ୧୩୦ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ଫଳରେ ଭାରତ ଇନିଂସ ଓ ୧୫୯ ରନ୍‍ରେ ପରାସ୍ତ ହୋଇଥିଲା। ଫଳରେ ଭାରତ ୦-୨ରେ ପଛୁଆ ଥିବା ବେଳେ ୧୮ରେ ନଟିଂହାମ୍‍ରେ ୩ୟ ଟେଷ୍ଟମ୍ୟାଚ୍‍ ଆରମ୍ଭହେବ।
୨ୟ ଟେଷ୍ଟ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି କହିଛନ୍ତି, ଆମ ବ୍ୟାଟ୍‍ସମ୍ୟାନ୍‍ଙ୍କର କୌଣସି ଟେକ୍‍ନିକାଲ ଦୁର୍ବଳତା ନାହିଁ। ଯଦି ଜଣେ ବ୍ୟାଟ୍‍ସମ୍ୟାନ୍‍ ମାନସିକ ଭାବେ ଦୃଢ଼ ଅଛନ୍ତି ଏବଂ ଯାହା ଯୋଜନା କରୁଛନ୍ତି; ସେଥିନେଇ ଦୃଢ଼ନିଶ୍ଚିତ ଅଛନ୍ତି; ପିଚ୍‍ରେ ବଲ୍‍ ଯାହା କଲେ ମଧ୍ୟ ତୁମେ ଏହାର ମୁକାବିଲା କରିପାରିବ। ଯଦି ମୋର ମନରେ କିଛି ନାସ୍ତିସୂଚକ ଭାବନା ଥିବ; ସେତେବେଳେ ଭାବିବି ଯେ ବଲ୍‍ ଏପରି ବା ସେପରି କରିବ। ତୁମ ମନରେ ୩/୪ଟି କଥା ଏକାସାଙ୍ଗରେ ରହିଲେ; ତୁମେ ତ୍ରୁଟିକରିବ। ତୁମେ ଏଠାକୁ ଆସି କହିବ ଯେ ବାତାବରଣ ବ୍ୟାଟିଂ ପାଇଁ କଷ୍ଟକର। ଏହାର ଅର୍ଥ ହେଉଛି ଏହାର ମୁକାବିଲା ପାଇଁ ତୁମେ ପ୍ରସ୍ତୁତ ନୁହେଁ। ବିଶ୍ୱର ଯେକୌଣସି ସ୍ଥାନରେ ବାତାବରଣ ସହଜ କିମ୍ବା କଷ୍ଟକର ହୋଇପାରିବ। ତୁମେ ଯଦି ଭାରତରେ ମାନସିକ ଭାବେ ପ୍ରସ୍ତୁତ ନଥିବ; ତେବେ ଭଲ ପ୍ରଦର୍ଶନ କରିପାରିବ ନାହିଁ। ଏହା ସତ ଯେ ଲର୍ଡସର ବାତାବରଣ ଭାରତ ସପକ୍ଷରେ ନଥିଲା। ଭାରତ ବ୍ୟାଟିଂ କରିବା ବେଳେ ପାଗ ମେଘୁଆ ଥିଲା ଏବଂ ୩ୟ ଦିନରେ ଇଂଲଣ୍ଡ ଖେଳିବା ବେଳକୁ ଟାଣ ଖରା ହୋଇଥିଲା। ପୁଣି ୪ର୍ଥ ଦିନରେ ଭାରତ ବ୍ୟାଟିଂକରିବା ବେଳକୁ ପାଗ ମେଘୁଆ ରହିଥିଲା। ଆମେ ଯଦି ଏହା ବିଷୟରେ ଚିନ୍ତାକରିବୁ; ଭବିଷ୍ୟତ ପାଇଁ ଯୋଜନା କରିପାରିବୁ ନାହିଁ। ଯାହା ଘଟିଯାଇଛି; ତାହା ବିଷୟରେ ଚିନ୍ତାକରି କିଛି ଲାଭନାହିଁ। ଆମକୁ ସିରିଜ୍‍ରେ ଆଗକୁ ବଢ଼ିବାକୁ ପଡ଼ିବ। ଆମକୁ ଆମର ତ୍ରୁଟି ଖୋଜି ଏହାକୁ ସୁଧାରିବାକୁ ପଡ଼ିବ। ଜଣେ କ୍ରୀଡ଼ାବିତ୍‍ଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ।
କୋହଲି ଆହୁରି କହିଛନ୍ତି, ତୁମେ ଟସ୍‍ ଓ ପାଗକୁ ନିୟନ୍ତ୍ରଣ କରିପାରିବ ନାହିଁ। ଏହି ମ୍ୟାଚ୍‍ରେ ଆମେ ଭଲ କ୍ରିକେଟ ଖେଳିନଥିଲୁ। ଆରମ୍ଭରୁ ଆମେ ଭଲ ବୋଲିଂ କରିଥିଲେ ହେଁ ପରେ ଆମ ବୋଲିଂ ଭଲ ନଥିଲା। ତେବେ ଆମେ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ପାରିଥାଆନ୍ତୁ। ଆମେ ଏବେ କେବଳ ଏହା ଚିନ୍ତାକରୁଛୁ ଯେ ୩ୟ ଟେଷ୍ଟକୁ ଜିତି ଆମେ ସିରିଜ୍‍କୁ ୨-୧ କରିବୁ ଏବଂ ଏହାପରେ ଆଗକୁ ଯିବା ପାଇଁ ପ୍ରୟାସ କରିବୁ। ଗତ ୫ଟି ଟେଷ୍ଟରୁ ପ୍ରଥମଥର ପାଇଁ ଏହି ଟେଷ୍ଟରେ ଆମେ ସମସ୍ତ ବିଭାଗରେ ପରାସ୍ତ ହୋଇଛୁ। ବାକି ୪ଟି ଟେଷ୍ଟରେ ଆମେ ଲଢ଼ୁଆ ପ୍ରଦର୍ଶନ କରିଥିଲୁ। ଏହି ଟେଷ୍ଟରେ କଠିନ ବାତାବରଣ ଥିଲା ନିଶ୍ଚୟ। ଆମକୁ ଏହାର ମୁକାବିଲା କରିବାର ରାସ୍ତା ଖୋଜିବାର ଥିଲା। ମୋ ସହିତ ଆମର ସମସ୍ତ ବ୍ୟାଟ୍‍ସମ୍ୟାନ୍‍ ଏପରି କରିବାରେ ବିଫଳ ହୋଇଛନ୍ତି। ଏହି ମ୍ୟାଚ୍‍ରେ ମାତ୍ର ଗୋଟିଏ ୫୦ ରନ୍‍ର ଭାଗିଦାରୀ (ହାର୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ ଅଶ୍ୱିନ) ହୋଇଥିଲା। ଆମକୁ ଭଲ ପ୍ରଦର୍ଶନ କରିବାର ଥିଲା। ପ୍ରତିଥର ଭାଗ୍ୟ ଉପରେ ନିର୍ଭର କରିବା ଠିକ୍‍ନୁହେଁ। ଲର୍ଡସରେ ମେଘୁଆ ପାଗରେ ଭାରତ ୨ ଜଣ ସ୍ପିନରଙ୍କୁ ଖେଳାଇବା ଭୁଲ୍‍ ନିଷ୍ପତ୍ତି ଥିଲା ବୋଲି ବିରାଟ କୋହଲି ସ୍ୱୀକାର କରିଛନ୍ତି। ଉଭୟ ସ୍ପିନର ଗୋଟିଏ ମଧ୍ୟ ୱିକେଟ ନ ପାଇବା ଫଳରେ କୋହଲି ସ୍ୱୀକାର କରିଛନ୍ତି ଯେ ଚୂଡ଼ାନ୍ତ ଏକାଦଶ ଗଠନ ଠିକ୍‍ ନଥିଲା। ପରବର୍ତ୍ତୀ ମ୍ୟାଚ୍‍ରେ ଏହାକୁ ସୁଧାରିବାର ପ୍ରୟାସ କରାଯିବ। କୋହଲିଙ୍କ ପିଠି ଯନ୍ତ୍ରଣା ନେଇ ବେଶ୍‍ ଚର୍ଚ୍ଚା ହେଉଥିବା ବେଳେ କୋହଲି କହିଛନ୍ତି ଯେ ପରବର୍ତ୍ତୀ ଟେଷ୍ଟମ୍ୟାଚ୍‍କୁ ୫ ଦିନ ବାକି ଥିବା ବେଳେ ସେ ଠିକ୍‍ ହୋଇଯିବେ।

Leave A Reply