ଟେଷ୍ଟ ସିରିଜ୍‍ ପୂର୍ବରୁ ପତ୍ନୀମାନେ ସ୍ୱଦେଶ ଫେରିଲେ

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯିବା ବେଳେ ବିବାହିତ କ୍ରିକେଟରମାନେ ସେମାନଙ୍କ ପତ୍ନୀଙ୍କୁ ସାଙ୍ଗରେ ଇଂଲଣ୍ଡ ନେଇ ଯାଇଥିଲେ। ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିରୋଧରେ ଟ୍ୱେଣ୍ଟି୨୦ ଓ ଦିନିକିଆ ସିରିଜ୍‍ ଖେଳିଥିବା ବେଳେ ପତ୍ନୀମାନେ ଖେଳାଳିଙ୍କ ସହ ରହିଥିଲେ। ଖାଲି ସମୟରେ ଖେଳାଳିମାନେ ପତ୍ନୀଙ୍କ ସହ ଇଂଲଣ୍ଡରେ ବଜାର ବୁଲିଥିଲେ ଏବଂ ପାର୍ଟି ମଧ୍ୟ କରିଥିଲେ। ତେବେ ଭାରତୀୟ ଦଳ ଅଗଷ୍ଟ ୧ରୁ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ୍‍ ଖେଳିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କ ପତ୍ନୀଙ୍କୁ ସ୍ୱଦେଶ ପଠାଇଦେବାକୁ ଦଳ ମ୍ୟାନେଜମେଣ୍ଟ ପକ୍ଷରୁ କୁହା ଯାଇଥିଲା। ଦଳ ମ୍ୟାନେଜମେଣ୍ଟକୁ ଏହି ନିର୍ଦେଶ ବିସିସିଆଇ ପକ୍ଷରୁ ଦିଆ ଯାଇଥିବା ଜାଣିବାକୁ ମିଳିଛି। ଭାରତ ପାଇଁ ଏହି ଟେଷ୍ଟ ସିରିଜ୍‍ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଖେଳାଳିଙ୍କ ଧ୍ୟାନ କେବଳ କ୍ରିକେଟ ଉପରେ ରଖିବା ଉଦ୍ଦେଶ୍ୟରେ ବିସିସିଆଇ ଏପରି ନିର୍ଦେଶ ଦେଇଛି। ପୂର୍ବରୁ ମଧ୍ୟ କିଛି ଗସ୍ତରେ ବିସିସିଆଇ ଖେଳାଳିଙ୍କୁ ସେମାନଙ୍କ ପତ୍ନୀମାନଙ୍କୁ ପାଖରେ ରଖିବା ଉପରେ କଟକଣା ଜାରି କରିଥିଲା। ତେବେ ବିସିସିଆଇ ଏହା ମଧ୍ୟ କହିଛି ଯେ ୩ୟ ଟେଷ୍ଟମ୍ୟାଚ୍‍ ପରେ ଚାହିଁଲେ ପତ୍ନୀମାନେ ଖେଳାଳିଙ୍କ ସହ ଇଂଲଣ୍ଡରେ ରହିପାରିବେ; ହେଲେ ବର୍ତ୍ତମାନ ନୁହେଁ। ବିସିସିଆଇର ଏପରି ନିର୍ଦେଶ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତ ଫେରି ଆସିଛନ୍ତି। ଶିଖର ଧାୱନ, ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ପତ୍ନୀ ମଧ୍ୟ ଭାରତ ଫେରି ଆସିଛନ୍ତି। ଅନୁଷ୍କା ଶର୍ମାଙ୍କର ୨ଟି ଫିଲ୍ମର ସୁଟିଂ ଏବେ ଚାଲିଛି। ଶାହାରୁଖ୍‍ ଖାଁଙ୍କ ସହ ‘ଜିରୋ’ ଓ ବରୁଣ ଧାୱନଙ୍କ ସହ ‘ସୁଇ ଧାଗା’ରେ ଅନୁଷ୍କା ଅଭିନୟ କରୁଛନ୍ତି।

Leave A Reply