କୋହଲିଙ୍କ ୨୫୦ ଦିନିକିଆ ମ୍ୟାଚ୍‌: ୨୨୦୦୦ ଆନ୍ତର୍ଜାତିକ ରନ୍‌

ସିଡ୍‌ନୀ : ୯ମ ଭାରତୀୟ କ୍ରିକେଟର ଭାବେ ୨୫୦ ଦିନିକିଆ ମ୍ୟାଚ୍‌ ଖେଳିବାର କୃତିତ୍ବ ହାସଲ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆ କୋହଲିଙ୍କ ୨୫୦ତମ ଦିନିକିଆ ମ୍ୟାଚ୍‌ ଥିଲା। ୪୬୩ ଦିନିକିଆ ମ୍ୟାଚ୍‌ ସହ ସଚିନ୍ ତେନ୍ଦୁଲକର କେବଳ ଭାରତୀୟ ଭାବେ ନୁହେଁ; ସାରାବିଶ୍ବରେ ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ମହେନ୍ଦ୍ର ସିଂହ ଧୋନି ୩୪୭, ରାହୁଲ ଦ୍ରାବିଡ଼ ୩୪୦, ମହମ୍ମଦ ଆଝାରୁଦ୍ଦିନ୍ ୩୩୪, ସୌରଭ ଗାଙ୍ଗୁଲି ୩୦୮, ଯୁବରାଜ ସିଂହ ୩୦୧ ଓ ଅନୀଲ କୁମ୍ବଲେ ୨୬୯ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ବିରାଟ କୋହଲି ୨୨ ହଜାର ଆନ୍ତର୍ଜାତିକ ରନ୍ ପୂରଣ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ କୋହଲି ୨୨୦୦୦ ଆନ୍ତର୍ଜାତିକ ରନ୍ ପୂରଣ କରିବାକୁ ୭୮ ରନ୍ ଆବଶ୍ୟକ କରୁଥିଲେ। ଏହି ମ୍ୟାଚ୍‌ରେ ୮୯ ରନ୍‌ର ଇନିଂସ ଖେଳି କୋହଲି ୨୨ ହଜାର ଆନ୍ତର୍ଜାତିକ ରନ୍ ପୂରଣ କରିଛନ୍ତି। ଅଦ୍ୟାବଧି କୋହଲି ଦିନିକିଆରେ ୧୧୯୭୭, ଟେଷ୍ଟରେ ୭୨୪୦ ଓ ଟି୨୦ରେ ୨୭୯୪ ରନ୍ କରିଛନ୍ତି।

Comments are closed.