କୋଡ଼ନାନିଙ୍କୁ ଅମିତ୍‍ ଶାହାଙ୍କ ସମର୍ଥନ ଅପ୍ରାସଙ୍ଗିକ: ଏସ୍‍ଆଇଟି

0

ଅହମ୍ମଦାବାଦ : ନରୋଦା ଗାମ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ମାୟା କୋଡ଼ନାନୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ସମର୍ଥନ କରିବା ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ। ଏହାକୁ ବିଚାରକୁ ନିଆଯିବା ଉଚିତ୍‍ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଦର୍ଶାଇଛି। ୨୦୦୨ରେ ଘଟିଥିବା ଏହି ଦଙ୍ଗା ସମୟରେ ସେ ନରୋଦାରେ ଉପସ୍ଥିତ ନ ଥିଲେ; ବରଂ ବିଧାନସଭାରେ ଉପସ୍ଥିତ ଥିଲେ ଏବଂ ପରେ ସୋଲା ହସ୍ପିଟାଲକୁ ଯାଇଥିଲେ ବୋଲି କୋଡ଼ନାନୀ ଯୁକ୍ତି ବାଢିଥିଲେ। ନିଜ ଯୁକ୍ତି ପ୍ରମାଣ କରିବା ଲାଗି ଶାହାଙ୍କୁ ସମନ ଜାରି କରିବାକୁ ସେ କୋର୍ଟଙ୍କୁ ନିବେଦନ କରିଥିଲେ। ଫଳରେ ୨୦୧୭ ସେପ୍ଟେମ୍ବରରେ ଶାହା ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇ ତାଙ୍କ ସପକ୍ଷରେ ବୟାନ ଦେଇଥିଲେ। ୨୦୦୨ ଫେବୃଆରୀ ୨୭ ଗୋଧ୍ରା ଟ୍ରେନ୍‍ ପୋଡ଼ି ଘଟଣା ପରେ ସୃଷ୍ଟ ଦଙ୍ଗା ମଧ୍ୟରୁ ନରୋଦା ଗାମ ଦଙ୍ଗା ଅନ୍ୟତମ। ଏଠାରେ ୧୧ ଜଣ ମୁସଲମାନଙ୍କୁ ହତ୍ୟା କରାଯାଇଥିଲା। ଦଙ୍ଗା ସୃଷ୍ଟି ତଥା ହତ୍ୟା ସହିତ କୋଡ଼ନାନୀଙ୍କ ବିରୋଧରେ ଅପରାଧ ଷଡ଼ଯନ୍ତ୍ର ତଥା ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ରହିଛି।

Leave A Reply