ମିସଡ କଲ ଦିଅନ୍ତୁ, ଫାସ-ଟ୍ୟାଗ ବାଲାନ୍ସ ଜାଣନ୍ତୁ

ନୂଆଦିଲ୍ଲୀ: ଏଣିକି ଫାସ-ଟ୍ୟାଗ ପ୍ରିପେଡ ୱାଲେଟରେ କେତେ ଟଙ୍କା ବାଲାନ୍ସ ରହିଛି ତାହା କେବଳ ଗୋଟିଏ ମିସଡ କଲ ମାଧ୍ୟମରେ ଜାଣିହେବ। ଫାସ୍ଟ୍ୟାଗ ବ୍ୟବହାରକାରୀଙ୍କୁ ବାଧାମୁକ୍ତ ଏବଂ ସୁବିଧାଜନକ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏନଏଚଏଆଇର ସହଯୋଗୀ କମ୍ପାନୀ ଇଣ୍ଡିଆନ ହାଇୱେଜ ମ୍ୟାନେଜମେଂଟ କମ୍ପାନୀ ଲିଃ ପକ୍ଷରୁ ଏନଏଚଏଆଇ ପ୍ରିପେଡ ୱାଲେଟର ବାଲାନ୍ସ ଜାଣିବା ଲାଗି ମିସଡ କଲ ସୂଚନା ବ୍ୟବସ୍ଥା ଆରମ୍ଭ କରାଯାଇଛି। ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଫାସ-ଟ୍ୟାଗ ବ୍ୟବହାରକାରୀମାନେ ‘୮୮୮୪୩୩୩୩୩୧’କୁ ଡାଏଲ କରିବେ। ଏହାପରେ ତାଙ୍କର ଏନଏଚଏଆଇ ପ୍ରିପେଡ ୱାଲେଟରେ କେତେ ଟଙ୍କାର ବାଲାନ୍ସ ଅଛି ତାହା ଏସଏମଏସ ମାଧ୍ୟମରେ ସୂଚାଇ ଦିଆଯିବ।

ଏହି ସେବାର ବୈଶିଷ୍ଟ୍ୟ ହେଉଛି ଏହା ମାଗଣାରେ ୨୪ ଘଣ୍ଟା ମିଳିପାରିବ। ସମସ୍ତ ମୋବାଇଲ ଡିଭାଇସ ଓ ଅପରେଟରରେ ଏହାକୁ ଉପଯୋଗ କରାଯାଇପାରିବ। ଏଥିପାଇଁ ଇଂଟରନେଟର ଆବଶ୍ୟକତା ନାହିଁ। ଗୋଟିଏ ଏନଏଚଏଆଇ ପ୍ରିପେଡ ୱାଲେଟରେ ଏକାଧିକ ଯାନ ସଂଯୁକ୍ତ ହୋଇଥିଲେ ଏସଏମଏସରେ ପ୍ରତ୍ୟେକ ଗାଡ଼ି ପାଇଁ ଉଦ୍ଦିଷ୍ଟ ସମସ୍ତ ଟ୍ୟାଗର ବାଲାନ୍ସ ଦେଖାଇବ। ଏହାପରେ ଯଦି କୌଣସି ବାହନର ବାଲାନ୍ସ କମ ଥାଏ ତା’ହେଲେ ପଞ୍ଜିକୃତ ମୋବାଇଲ ନମ୍ବରକୁ ଏକ ଅଲଗା ଏସଏମଏସ ଯିବ, ଯେଉଁଥିରେ କମ ବାଲାନ୍ସ ଅଛି ବୋଲି ଉପଯୋଗକାରୀଙ୍କୁ ସୂଚିତ କରାଯିବ।

ଏହି ସୁବିଧା କେବଳ ଏନଏଚଏଆଇ ପ୍ରିପେଡ ୱାଲେଟ ସହ ଯୋଡ଼ି ହୋଇଥିବା ଫାସ୍ଟ୍ୟାଗ ବ୍ୟବହାରକାରୀଙ୍କୁ ମିଳିବ। ବର୍ତ୍ତମାନସୁଦ୍ଧା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଥିବା ଅନ୍ୟ ଏନଏଚଏଆଇ ଫାସ୍ଟ୍ୟାଗ ବ୍ୟବହାରକାରୀଙ୍କ ବାଲାନ୍ସ ଏହି ସୁବିଧା ମାଧ୍ୟମରେ ଜାଣିହେବ ନାହିଁ।

ଏନଏଚଏଆଇ ପ୍ରିପେଡ ୱାଲେଟ ଆରମ୍ଭ ହେବା ପରଠାରୁ ୨.୨୫ ଲକ୍ଷ ଏନଏଚଏଆଇ ଫାସ୍ଟ୍ୟାଗ ବ୍ୟବହାରକାରୀ ମାଇଁ ଫାସ୍ଟ୍ୟାଗ ଆପ ବ୍ୟବହାର କରି ଏହାକୁ ଲୋଡ କରିସାରିଲେଣି। ବ୍ୟାଙ୍କ ନିରପେକ୍ଷ ଟ୍ୟାଗ ହୋଇଥିବାରୁ ମାଇଁ ଫାସ୍ଟ୍ୟାଗ ଆପ ଜରିଆରେ ଏନଏଚଏଆଇ ଫାସ୍ଟ୍ୟାଗକୁ ସେଭିଂସ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଏନଏଚଏଆଇ ପ୍ରିପେଡ ୱାଲେଟ ସହ ଯୋଡ଼ାଯାଇ ପାରିବ। ଏବେ ୧୩ଟି ବ୍ୟାଙ୍କର ଆକାଉଣ୍ଟକୁ ଏନଏଚଏଆଇ ଫାସ୍ଟ୍ୟାଗ ସହ ଯୋଡ଼ାଯାଇ ପାରୁଛି। ଏହାଛଡ଼ା ମାଇ ଫାସ୍ଟ୍ୟାଗ ଆପ ବର୍ତ୍ତମାନ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ରହିଛି।

Comments are closed.