ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରିବାର ବିଷୟରେ କେତେ ଜାଣନ୍ତି ଆପଣ ?

ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମାତ୍ର ମୁଖାର୍ଜୀଙ୍କର ସୋମବାର ପରଲୋକ ଘଟିଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିଳିଥିଲା ଓ ତାହାର ଅପରେସନ କରାଯାଇଥିଲା। ତେବେ ଭାରତୀୟ ସେନା ହସ୍ପିଟାଲରେ ୮୪ ବର୍ଷ ବୟସରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଗତବର୍ଷ ଅଗଷ୍ଟ ୮ ତାରିଖରେ ଭାରତରତ୍ନ ସମ୍ମାନରେ ସମ୍ମାନୀତ ହୋଇଥିବା ପ୍ରଣବ ଦା’ଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଇତି ମଧ୍ୟରେ ଆସନ୍ତୁ ଜାଣିବା ପ୍ରଣବ ମୁଖାର୍ଜୀଙ୍କ ପରିବାର ବିଷୟରେ –

ପତ୍ନୀ ଶୁଭ୍ରା ଥିଲେ ଜଣାଶୁଣା କଳାକାର :

୨୦୧୫ରେ ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଥିବା ଶୁଭ୍ରା ମୁଖାର୍ଜୀଙ୍କର ୧୯୫୭ ମସିହାରେ ପ୍ରଣବ ମୁଖାର୍ଜୀଙ୍କ ସହ ବିବାହ ହୋଇଥିଲା। ମୂଳତଃ ବାଂଲାଦେଶରେ ଜନ୍ମ ଗ୍ରହଣ କରିଥିବା ଶୁଭ୍ରା ଅନ୍ତର୍ଜାତୀୟ ସ୍ତରର କଳାକାର ଥିଲେ ଓ ରବୀନ୍ଦ୍ର ସଙ୍ଗୀତ ପାଇଁ ସାରା ବିଶ୍ୱରେ ପରିଚିତ। ସେ ଜଣେ ଚିତ୍ରକାର ଏବଂ ଲେଖକ ଭାବେ ମଧ୍ୟ ଜଣାଶୁଣା। ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଯେଉଁ ପ୍ରେମ ଓ ଆକର୍ଷଣ ଥିଲା, ସେହି ଗୁଣ ତାଙ୍କ ଝିଅଙ୍କଠାରେ ମଧ୍ୟ ରହିଛି।

ଝିଅ ଶର୍ମିଷ୍ଠା ମୁଖାର୍ଜୀ ରାଜନୀତିରେ ସକ୍ରିୟ :

ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଅଛନ୍ତି ଓ ଦିଲ୍ଲୀ ମହିଳା କଂଗ୍ରେସର ମୁଖ୍ୟ ଅଛନ୍ତି। ୨୦୧୨ରେ ଯେତେବେଳେ ତାଙ୍କ ପିତା ଭାରତର ରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ଶର୍ମିଷ୍ଠା ରାଷ୍ଟ୍ରପତି ଭବନରେ ରହିବାକୁ ମନା କରିଥିଲେ ଓ କହିଥିଲେ, ସେ ରାଜନୀତିରେ ଆଗ୍ରହୀ ନୁହନ୍ତି। ଏହାସହିତ ସେ ତାଙ୍କର ତିନି ପୋଷା କୁକୁରଙ୍କ ସହ ଦିଲ୍ଲୀ ସ୍ଥିତ ତାଙ୍କ ଘରେ ରହୁଥିଲୋ। ମାତ୍ର ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ ଓ କହିଥିଲେ ଯେ, ସେ ଜନନେତା ହେବାର ଇଚ୍ଛା ରଖିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ଜଣେ କଥକ ନୃତ୍ୟଶିଳ୍ପୀ। ୧୨ ବର୍ଷ ବୟସରେ ଶର୍ମିଷ୍ଠା ଶାସ୍ତ୍ରୀୟ ନୃତ୍ୟୁ ଶିକ୍ଷା ଆରମ୍ଭ କରିଥିଲେ। ଅନେକ ଦେଶରେ ସେ ନିଜ କଳା ପ୍ରଦର୍ଶନ କରିସାରିଛନ୍ତି। ମାଆଙ୍କଠାରୁ ତାଙ୍କର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ପିତାଙ୍କଠାରୁ ଅନୁପ୍ରେରିତ ହୋଇ ପଢାପଢି କରିବାର ସଉକ ଓ ଅଭ୍ୟାସ ହୋଇଛି।

ପିତାଙ୍କ ରାଜନୈତିକ ଉତ୍ତରାଧିକାରୀ ଅଭିଜିତ :

ଅନେକ ରାଜନୈତିକ ପୁସ୍ତକ ରଚନା କରିଥିବା ପ୍ରଣବ ମୁଖାର୍ଜୀଙ୍କ ବଡ଼ ପୁଅ ଅଭିଜିତ୍‍ ମୁଖାର୍ଜୀ ପ୍ରଥମ ଥର ଜଙ୍ଗୀପୁର ଲୋକସଭା ଆସନରୁ ୨୦୧୨ରେ ସେତେବେଳେ ନିର୍ବାଚିତ ହୋଇଥିଲେ ଯେତେବେଳେ ରାଷ୍ଟ୍ରପତି ହେବା ପରେ ତାଙ୍କ ପିତା ଏହି ଆସନ ଛାଡ଼ିଥିଲେ ଓ ଉପନିର୍ବାଚନ ହୋଇଥିଲା। ଏହାପରେ ୨୦୧୪ରେ ସେ ପୁନର୍ବାର ଏହି ଆସନରୁ ବିଜୟୀ ହୋଇଥିଲେ। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। ସାଂସଦ ହେବା ପୂର୍ବରୁ ସେ ନଲହଟୀ ଆସନରୁ ବିଧାୟକ ଥିଲେ।

ଅପରପକ୍ଷରେ, ପ୍ରଣବ ମୁଖାର୍ଜୀଙ୍କ ସାନ ପୁଅ ଇନ୍ଦ୍ରଜିତ ରାଜନୀତି ଓ ସାର୍ବଜନୀନ ଜୀବନଠାରୁ ଦୂରରେ, ଏହି କାରଣରୁ ସେ ପ୍ରାୟତଃ ଚର୍ଚ୍ଚାର ପରିସରକୁ ଆସନ୍ତି ନାହିଁ। ୨୦୦୪ରେ ସୁଗନ୍ଧୀ ମୁଖାର୍ଜୀଙ୍କ ସହ ତାଙ୍କ ବିବାହ ସମୟରେ ହିଁ ତାଙ୍କୁ ନେଇ କିଛିଟା ଚର୍ଚ୍ଚା ହୋଇଥିଲା।

ପ୍ରଣବଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ଓ ମାଆ ରାଜଲକ୍ଷ୍ମୀ ମୁଖାର୍ଜୀ ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ପ୍ରଣବ ୬ ଭାଇ ଭଉଣୀ। ୪ ଜଣ ଭଉଣୀ ଓ ଜଣେ ବଡ଼ ଭାଇ। ୨୦୧୭ରେ ତାଙ୍କ ବଡ଼ ଭାଇ ପିଜୁଷ ମୁଖାର୍ଜୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.