ଝିଆରୀକୁ ଛୁରା ମାଡ କରି ଜେଲ ଗଲା ଦାଦା

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗ୍ରାମରେ ଝିଆରୀକୁ ଛୁରା ମାଡ କରି ଦାଦା ଜେଲ ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଘଟଣାରୁ ପ୍ରକାଶ ଯେ, ବଣପଲ୍ଲୀ ଗାଁର ରଙ୍ଗନିଧି ନାଇକଙ୍କ ଝିଅ ସନ୍ତୋଷୀକୁ ତା’ର ସମ୍ପର୍କୀୟ ଦାଦା ଧନୁ ନାଇକ ଘରୁ ବାହାରକୁ ନ ବାହାରିବା ପାଇଁ ତାଗିଦ୍ କରି ଆସୁଥଲେ । ତେବେ ସନ୍ତୋଷୀ ଗତକାଲି ସକାଳ ସାଢେ ଆଠଟା ବେଳେ ନିଜର ସାନ ଭାଇ ଭଉଣୀ ସହ ମାଟି ପାଇଁ ବିଲକୁ ଯାଇଥିବା ସମୟରେ ଦାଦା ଧନୁ ସେଠାରେ ପହଞ୍ଚି ଗାଳି ଗୁଲଜ କରିବା ସହ ତା’ର ବେକ ଓ ପେଟକୁ ଛୁରା ମାଡ କରିଥିଲେ । ସେଠାରୁ ସନ୍ତୋଷୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ସନ୍ତୋଷୀର ବାପାଙ୍କ ଅଭିଯୋଗ କ୍ରମେ ପୋଲିସ କେସ୍ ନଂ ୩୩/୨୧ରେ ଏକ ମାମଲା ରୁଜୁ କରି ସୋମବାର ଦିନ ଧନୁକୁ କୋର୍ଟ ଚାଲାଣ କରିଛି । ପାକସ୍ଥଳୀରେ ଛୁରୀ ଆଘାତ ଲାଗିଥିବାରୁ ପୋଲିସ ସହାୟତାରେ କଟକରେ ସନ୍ତୋଷୀର ଅସ୍ତ୍ରୋପଚାର କରାଯାଇଛି ।

Comments are closed.