ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ : ରାହୁଲ

ଲଣ୍ଡନ  : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ରିଜର୍ଭ ଓପନର୍‌ ଭାବେ ସ୍ଥାନ ପାଇଛନ୍ତି କେଏଲ୍‌ ରାହୁଲ। ତେବେ ଦଳର ଆବଶ୍ୟକତା ଅନୁଯାୟୀ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ସେ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି ରାହୁଲ।
ବିଶ୍ବକପ୍‌ରେ ଭାରତ ତରଫରୁ ୪ନଂରେ କିଏ ବ୍ୟାଟିଂ କରିବ ସେଥିନେଇ କଳ୍ପନାଜଳ୍ପନା ଲାଗି ରହିଛି। କେତେକ ଅଲରାଉଣ୍ଡର ବିଜୟ ଶଙ୍କର ୪ନଂରେ ବ୍ୟାଟିଂ କରିବା ଉଚିତ୍‌ ବୋଲି ମତ ଦେଉଥିବା ବେଳେ ଆଉ କେତେକ କେଏଲ୍‌ ରାହୁଲ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଉପଯୁକ୍ତ ବୋଲି ମତ ଦେଉଛନ୍ତି। ଏପରି ପରିସ୍ଥିତିରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ରାହୁଲ କହିଛନ୍ତି ଭାରତୀୟ ଦଳରେ ସାମିଲ ​‌େ​‌ହାଇ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଦଳ​‌େ​‌ର ଯଦିଓ ତାଙ୍କୁ ଜଣେ ରିଜର୍ଭ ଓପନର୍‌ ଭାବେ ସାମିଲ କରାଯାଇଛି ତେବେ ଆବଶ୍ୟକତା ଅନୁଯାୟୀ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ଦଳୀୟ ମ୍ୟାନେଜମେଣ୍ଟ ଯେଉଁ ନିର୍ଦେଶ ଦେବ ତାହାକୁ ମାନିବା ତାଙ୍କ ଦାୟିତ୍ବ। ସୂଚନାଥାଉକି କିଛିଦିନ ତଳେ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ ଇଂଲଣ୍ଡର ପିଚ୍‌ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ନଂ ସ୍ଥାନରେ କିଏ ବ୍ୟାଟିଂ କରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। କିଛିମାସ ପୂର୍ବେ ଭାରତୀୟ ଦଳରେ ସ୍ଥାନ ପାଇ ରାହୁଲ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ତେବେ ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେବା ପ୍ରସଙ୍ଗରେ ରାହୁଲ ଓ ହାର୍ଦିକଙ୍କୁ ବିସିସିଆଇ ନିଲମ୍ବିତ କରିବା ସହ ଅଷ୍ଟ୍ରେଲିଆରୁ ଫେରାଇ ଆଣିଥିଲା। ବେଶ୍‌ କିଛିଦିନ କ୍ରିକେଟ୍‌ ପଡ଼ିଆରୁ ଦୂରେଇ ରହିବା ପରେ ଏହି ଦୁଇ କ୍ରିକେଟର୍‌ଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଥିଲା। ଏହାପରେ ୨୭ ବର୍ଷୀୟ ରାହୁଲ ଭାରତ ଏ’ ଦଳରେ ସାମିଲ ହୋଇ ଇଂଲଣ୍ଡ ଲାଏନ୍‌ସ ବିପକ୍ଷରେ ଖେଳିଥିଲେ। ଏହି ସିରିଜ୍‌ରେ ସେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ସୁଯୋଗ ମିଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ସେ ଯଥାକ୍ରମେ ୫୦ ଓ ୪୭ ରନ୍‌ ସଂଗ୍ରହ କରିଥିଲେ। ଏହି ସିିରିଜ୍‌ ପରେ ଖେଳାଯାଇଥିବା ଆଇପିଏଲ୍‌ରେ ରାହୁଲ ଚମତ୍କାର ପ୍ରଦର୍ଶନ କରି ୫୯୩ ରନ୍ ସଂଗ୍ରହ କରିଥିଲେ। ନିଜ ପ୍ରତିକ୍ରିୟାରେ ରାହୁଲ କହିଛନ୍ତି ଗତ କିଛିମାସ ହେବ ସେ ବେଶ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ବିଶ୍ବକପ୍‌ରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ସୁଯୋଗ ମିଳିଲେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ। ତାଙ୍କ ବ୍ୟାଟିଂ ଶୈଳୀରେ ସେପରି କୌଣସି ଭୁଲ୍‌ ନ ଥିବା ଅନୁଭବ କରିଛନ୍ତି। ତେବେ ବେଳେବେଳେ ଅଧିକ ଆତ୍ମବିଶ୍ବାସୀ ହୋଇ ବ୍ୟାଟିଂ କରିବା ତାଙ୍କ ପାଇଁ ଅସୁବିଧାର କାରଣ ପାଲଟି ଥାଏ ବୋଲି ରାହୁଲ ସ୍ବୀକାର କରିଛନ୍ତି।
ଭାରତ ଏ’ ଦଳର ପ୍ରଶିକ୍ଷକ ଦ୍ରାବିଡଙ୍କ ଠାରୁ ସେ ବହୁ ଉପାଦେୟ ପରାମର୍ଶ ପାଇଥିବା ରାହୁଲ କହିଛନ୍ତି। ବ୍ୟାଟିଂ ଶୈଳୀରେ ବିଶେଷ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ​‌ ବୋଲି ଦ୍ରାବିଡ଼ ତାଙ୍କୁ କହିଥିଲେ। କେବଳ ସଟ୍ ମନୋନୟନରେ ସତର୍କତା ଅବଲମ୍ବନ କରିବା ଉଚିତ୍‌ ବୋଲି ଦ୍ରାବିଡ଼ ଦେଇଥିବା ପରାମର୍ଶକୁ ମାନି ସେ ସଫଳତା ପାଇଥିବା ରାହୁଲ ମତ ଦେଇଛନ୍ତି। ଇଂଲଣ୍ଡ ମାଟିରେ ମ୍ୟାଚ୍ ଖେଳିଥିବାରୁ ସେଠାରେ କିପରି ବ୍ୟାଟିଂ କରିବାକୁ ହୁଏ ତାହା ତାଙ୍କୁ ବେଶ୍‌ ଭଲ ଭାବେ ଜଣା ବୋଲି ରାହୁଲ ମତ ଦେଇଛନ୍ତି। ଦୀର୍ଘ ୨ମାସ ଧରି ଟ୍ବେଣ୍ଟି୨୦ କ୍ରିକେଟ୍‌ ଖେଳିବା ପରେ ଦିନିକିଆ ଫର୍ମାଟ୍‌ରେ ବ୍ୟାଟିଂ କଲା ବେଳେ ଅସୁବିଧାର ସମ୍ମୁଖୀନ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ ବିଭିନ୍ନ ଫର୍ମାଟ୍‌ରେ ବ୍ୟାଟିଂ କରିବା ସମୟରେ ବ୍ୟାଟସମ୍ୟାନ୍‌ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। ଏପରି କରିପାରିଲେ ଜଣେ ବ୍ୟାଟସମ୍ୟାନ୍‌ ନିଶ୍ଚିତ ଭାବେ ସଫଳତା ପାଇବ। ବିଶ୍ବକପ୍‌ରେ ଖେଳିବାକୁ ଯାଉଥିବା ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ ଏବଂ ଖେଳାଳିମାନେ ଯଦି ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଦଳ ଚମ୍ପିଆନ୍‌ ହୋଇପାରିବ ବୋଲି ରାହୁଲ ଆଶାବ୍ୟକ୍ତ କରିଛନ୍ତି।

Comments are closed.