ପଞ୍ଜାବକୁ ହରାଇଲା କଲକାତା

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ରେ ସୋମବାର ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଅଧିନାୟକ ଇଓନ୍ ମୋର୍ଗାନ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ପଞ୍ଜାବ କିଙ୍ଗ୍‌ସକୁ ୫ ୱିକେଟରେ କଲକାତା ପରାସ୍ତ କରିଛି। କିଛି ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ ୯ ୱିକେଟରେ ୧୨୩ ରନ୍‌ କରିଥିଲେ। ପରେ ୧୬.୪ ଓଭରରେ ୫ ୱିକେଟ ହରାଇ କେକେଆର୍ ସହଜରେ ଜିତି ନେଇଥିଲା। କ୍ରମାଗତ ୪ଟି ପରାଜୟ ପରେ କେକେଆର୍ ବିଜୟଧାରାକୁ ଫେରିଥିବା ବେଳେ ଏହା ୨ୟ ବିଜୟ ହାସଲ କରିଛି। ତେବେ ପଞ୍ଜାବ ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।
୧୨୪ ରନ୍ ଲକ୍ଷ୍ୟରେ କଲକାତା ନାଇଟ୍‌ ରାଇଡର୍ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୩ ଓଭରରେ ମାତ୍ର ୧୭ ରନ୍‌ରେ କେକେଆର୍ ୩ଟି ୱିକେଟ ହରାଇଥିଲା। ପ୍ରଥମ ଓଭରରେ ବିନା ସ୍କୋର୍‌ରେ ନୀତୀଶ ରାଣା ଆଉଟ ହୋଇ ଯାଇଥିଲେ। ଶୁବ୍‌ମାନ ଗିଲ୍‌ ୯ ରନ୍‌କରି ବିଦାୟ ନେଇଥିଲେ। ରବି ବିଷ୍ଣୋଇଙ୍କ ଦର୍ଶନୀୟ କ୍ୟାଚ୍‌ରେ ସୁନୀଲ ନାରାୟଣ ବିନା ସ୍କୋର୍‌ରେ ବିଦାୟ ନେଇଥିଲେ। ପରେ ରାହୁଲ ତ୍ରିପାଠୀ ଓ ଇଓନ୍ ମୋର୍ଗାନ୍ ସ୍କୋର୍‌କୁ ଆଗେଇ ନେଇଥିଲେ। ୪ର୍ଥ ୱିକେଟ ପାଇଁ ୭୬ ରନ୍ ଯୋଡ଼ିବା ପରେ ତ୍ରିପାଠୀ ୱିକେଟ ଫିଙ୍ଗିଥିଲେ। ତ୍ରିପାଠୀ ୩୨ ବଲ୍‌ରୁ ୭ଟି ଚୌକା ସହ ୪୧ ରନ୍‌ କରିଥିଲେ। ଆ​‌େ​‌ନ୍ଦ୍ର ରସେଲ ୯ ବଲ୍‌ରୁ ୧୦ ରନ୍‌କରି ରନ୍‌ଆଉଟ ହୋଇଥିଲେ। ପରେ ଇଓନ୍ ମୋର୍ଗାନ୍ ଦଳକୁ ଜିତାଇଥିଲେ। ମୋର୍ଗାନ୍ ୪୦ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୭ ରନ୍‌କରି ଅପରାଜିତ ଥିଲେ। ଦିନେଶ କାର୍ତ୍ତିକ ୬ ବଲ୍‌ରୁ ୨ଟି ଚୌକା ସହ ୧୨ ରନ୍‌କରି ଅପରାଜିତ ଥିଲେ। ଇଓନ୍ ମୋର୍ଗାନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି କଲକାତା ନାଇଟ୍‌ ରାଇଡର୍ସ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ପଞ୍ଜାବ କିଙ୍ଗ୍‌ସର ଦୁଇ ସଫଳ ଓପ୍‌ନର କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ଜଗିରଖି ବ୍ୟାଟିଂ କରିଥିଲେ। ୬ଷ୍ଠ ଓଭରରେ ୩୬ ରନ୍‌ର ପ୍ରଥମ ୱିକେଟ ଭାଗିଦାରୀ ପରେ ରାହୁଲ ୨୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌କରି ଆଉଟ ହୋଇଥିଲେ। ପରେ ନିୟମିତ ୱିକେଟ ପଡ଼ି ଚାଲିଥିଲା। କ୍ରିସ୍ ଗେଲ୍‌ ପ୍ରଥମ ବଲ୍‌ରେ ଆଉଟ ହୋଇଥିବା ବେଳେ ଦୀପକ ହୁଡା ୧ ରନ୍‌କରି ଆଉଟ ହୋଇଥିଲେ। ୧୨ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ମୟଙ୍କ ଅଗ୍ରୱାଲ ୩୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌କରି ଆଉଟ ହୋଇଥିଲେ। ବାମହାତି ନିକୋଲାସ୍ ପୁରନ୍ ୧୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୯ ରନ୍‌ କରିଥିଲେ। ମୋଇଜେସ୍ ହେନ୍‌ରିକ୍‌ସ ୨ ରନ୍ କରିଥିବା ବେଳେ ଶାହ୍‌ରୁଖ ଖାଁ ୧୩ ରନ୍‌କରି ଆଉଟ ହୋଇଥିଲେ। ୯୮ ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ୮ଟି ୱିକେଟ ହରାଇବା ପରେ କ୍ରିସ୍ ଜୋର୍ଡାନ୍‌ଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଏହା ୧୨୩ ରନ୍‌ରେ ପହଞ୍ଚି ପାରିଥିଲା। ଜୋର୍ଡାନ୍ ବିସ୍ଫୋରକ ବ୍ୟାଟିଂକରି ୧୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍‌ କରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୩ଟି ଏବଂ ପ୍ୟାଟ୍‌ କମିନ୍‌ସ ଓ ସୁନୀଲ ନାରାୟଣ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.