୨୨ରେ ମହାନଦୀ ସମ୍ମିଳନୀ

0

ଭୁବନେଶ୍ୱର : ବିଜେଡି ପକ୍ଷରୁ ରବିବାର(୧୫ ତାରିଖ)ରେ ହେବାକୁ ଥିବା ମହାନଦୀ ସମ୍ମିଳନୀକୁ ଆସନ୍ତା ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧୫ରେ ଦଳ ରାଜ୍ୟ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ସମ୍ମିଳନୀ ତାରିଖ ଘୁଞ୍ଚାଇ ଦିଆଯାଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି। ପ୍ରସ୍ତୁତି ବୈଠକରେ ଦଳର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ଓ ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ମହାନଦୀ ପ୍ରବାହିତ ହେଉଥିବା ୧୫ଟି ଜିଲାର ମନ୍ତ୍ରୀ, ସାଂସଦ, ବିଧାୟକ, ବ୍ଲକ ଓ ପୌର ପରିଷଦର ଅଧ୍ୟକ୍ଷ, ବ୍ଲକ ସଭାପତି, ରାଜ୍ୟ କାର୍ଯ୍ୟକର୍ତ୍ତା ଏବଂ ଯୁବ ଓ ଛାତ୍ର ପ୍ରତିନିଧି ୨୨ ତାରିଖରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ମହାନଦୀ ଟ୍ରାଇବୁନାଲ ଗଠନ କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଟମର୍ସ ଅଫ ରିଫରେନ୍ସ ଜାରି କରୁନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ରାଜ୍ୟର ଚାଷୀ ତଥା ଜନସାଧାରଣଙ୍କ ସ୍ୱାର୍ଥ ସୁରକ୍ଷା ନେଇ କେନ୍ଦ୍ରର ଓଡ଼ିଶା ବିରୋଧୀ ନୀତିକୁ ବିରୋଧ କରି ବିଜେଡି ଏହି ସମ୍ମିଳନୀରେ ପରବର୍ତ୍ତୀ ରଣକୌଶଳ ସ୍ଥିର କରିବ।
ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ଚଳାଇଥିବା ସମସ୍ତ ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଲାଗୁ କରିବା ଏବଂ ଟ୍ରାଇବୁନାଲର ଟର୍ମସ ଅଫ ରିଫରେନ୍ସ ପ୍ରସ୍ତୁତ କରି ମହାନଦୀ ଟ୍ରାଇବୁନାଲକୁ କାର୍ଯ୍ୟକ୍ଷମ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଶୁକ୍ରବାର ବିଧାନସଭାରେ ମହାନଦୀର ସୁରକ୍ଷା ଉପରେ ଦୀର୍ଘ ସମୟ ଆଲୋଚନା ପରେ ଟ୍ରାଇବୁନାଲ କାର୍ଯ୍ୟକ୍ଷମ କରାଇବା ନେଇ ସର୍ବସମ୍ମତ ସହମତି ପ୍ରକାଶ ପାଇଥିଲା। ଗୃହର ଉଦ୍‍ବେଗକୁ ବାଚସ୍ପତି କେନ୍ଦ୍ର ସରକାରଙ୍କୁ ଅବଗତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।
ବିଜେଡି ପକ୍ଷରୁ କୁହାଯାଇଛି, ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟର ନିର୍ଦେଶରେ କେନ୍ଦ୍ର ସରକାର ଟ୍ରାଇବୁନାଲ ଗଠନ କରିଥିଲେ ମଧ୍ୟ ମାସେ ପରେ ବି ଟର୍ମସ ଅଫ ରିଫରେନ୍ସ ଜାରି କରୁନାହାନ୍ତି। ଯାହା ଟ୍ରାଇବୁନାଲ ଗଠନ ଦିନ କରାଯିବା କଥା। ନର୍ମଦା, କାବେରୀ, କ୍ରିଷ୍ଣା ଜଳ ବିବାଦ ଟ୍ରାଇବୁନାଲ ଗଠନ ଦିନ ଟର୍ମସ ଅଫ ରିଫରେନ୍ସ ଜାରି ହୋଇଥିଲା। ମହାନଦୀ କ୍ଷେତ୍ରରେ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି। ଟ୍ରାଇବୁନାଲ କାର୍ଯ୍ୟକ୍ଷମ ହେଉନି, ସେପାଖରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ ଚଳାଇଛି। ମହାନଦୀକୁ ମାରି ଦେବାର ଚକ୍ରାନ୍ତ ଚାଲିଥିବା ଦଳ ଅଭିଯୋଗ କରିଛି। ମହାନଦୀକୁ ଜଳ ପ୍ରବାହ କମିଥିବା ବେଳେ ଚାଷ କାର୍ଯ୍ୟ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି। ପିଇବା ପାଣି ସଙ୍କଟ ଧୀରେ ଧୀରେ ତୀବ୍ର ହେଲାଣି। ଓଡ଼ିଶାକୁ ଏଯାଏଁ ଜଳପ୍ରବାହ ୪୦% କମିଥିବା ବେଳେ ମେ ମାସରେ ସ୍ଥିତି ଉତ୍କଟ ହେବ। ଏବେ ଜଳବିଦ୍ୟୁତ ଉତ୍ପାଦନ ୨୦% କମିଛି। ଡେଲଟା ଷ୍ଟେଜ-୧ ଓ ଷ୍ଟେଜ-୨ରେ ଏହା ୩୧.୬% କମ୍‍ ରହିଛି। ନଦୀ ଅନେକ ସ୍ଥାନରେ ଶୁଖିଲା ପଡ଼ିଛି। ୧୫ଟି ଜିଲାର ଅଢ଼େଇ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଏହାକୁ ଗୁରୁତର ସହ ନେଇଛି ବିଜୁ ଜନତା ଦଳ। ସମ୍ମିଳନୀରେ ୧୫ ଜିଲାର ଲୋକ ପ୍ରତିନିଧିମାନେ ଯୋଗଦେଇ ମହାନଦୀରେ ଜଳ ପ୍ରବାହ କମିବା ଦ୍ୱାରା ସେମାନେ କିଭଳି ପ୍ରଭାବିତ ହେଉଛନ୍ତି ସେ ସମ୍ପର୍କରେ ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ଆନ୍ତଃରାଜ୍ୟ ଜଳ ବିବାଦ ବୈଠକରେ ଯୋଗଦେବେ ସୂର୍ଯ୍ୟ
ସୋମବାର କଲକାତାରେ ଆୟୋଜିତ ହେଉଥିବା ପୂର୍ବାଞ୍ଚଳ ରାଜ୍ୟର ନଦୀ ଜଳ ବିବାଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ନାହିଁ। ବୈଠକକୁ ପୂର୍ବାଞ୍ଚଳର ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବୈଠକରେ ଯୋଗ ଦେବେ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି।
ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟଗତ କାରଣରୁ ଯାଉନଥିବା ଯୋଗୁଁ ମନ୍ତ୍ରୀ ଶ୍ରୀ ପାତ୍ର ବୈଠକରେ ଉପସ୍ଥିତ ରହିବେ।

Leave A Reply