ପ୍ରଶାସନିକ ଅଧିକାରୀମାନଙ୍କ ସାମର୍ଥ୍ୟ ଦେଶର ଲାଭ ପାଇଁ ବୃହତ ଯୋଗଦାନ : ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ :  ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ଶ୍ରୀ  ମୋଦି କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।

ଅଗ୍ରାଧୀକାର କାର୍ଯ୍ୟକ୍ରମ ଯେପରିକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଦୀନଦୟାଲ ଉପାଧ୍ୟାୟ କୌଶଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଡିଜିଟାଲ ପେମେଣ୍ଟ ଆଦି ପାଇଁ ପୁରସ୍କାର ଦିଆଯାଇଛି ବୋଲି ସେ କହିଥିଲେ  । ଏଗୁଡ଼ିକ ନୂତନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏବଂ ଅଭିଳଷିତ ଜିଲ୍ଲାରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ପୁସ୍ତକ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯାହା ଶନିବାର ଉନ୍ମୋଚିତ ହୋଇଥିଲା ।

ଅଭିଳଷିତ ଜିଲ୍ଲାଗୁଡ଼ିକ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଜିଲ୍ଲାଗୁଡ଼ିକ ସେମାନଙ୍କ ରାଜ୍ୟର ଅଭିବୃଦ୍ଧି ଇଞ୍ଜିନ ହୋଇପାରିବେ । ସେ ବିକାଶରେ ଜନସାଧାରଣଙ୍କ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ 2022ରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି, ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ହାସଲ ଦିଗରେ କାର୍ଯ୍ୟ କରିବା ଲାଗି ଏକ ପ୍ରେରଣା ହୋଇପାରିବ ।

ପ୍ରଶାସନରେ ଉନ୍ନତି ଆଣିବା ଲାଗି ମହାକାଶ ପ୍ରଯୁକ୍ତି ସମେତ ସବୁ ଉପଲବ୍ଧ ପ୍ରଯୁକ୍ତି ଉପଯୋଗ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବିଶ୍ୱବ୍ୟାପୀ ଉଦୀୟମାନ ପ୍ରଯୁକ୍ତି ସହିତ ତାଳ ଦେଇ ଚାଲିବା ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଶାସନିକ ଅଧିକାରୀମାନଙ୍କ ଅସାଧାରଣ ସାମର୍ଥ୍ୟ ରହିଛି ଏବଂ ଏହି ସାମର୍ଥ୍ୟ ଦେଶର ଲାଭ ପାଇଁ ବୃହତ ଯୋଗଦାନ ଦେଇପାରେ ।

Leave A Reply