କିଟ୍‌କୁ ୩ୟ ସ୍ବର୍ଣ୍ଣ ; ଓଡ଼ିଶା ପଦକ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ବର : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରଥମ ସଂସ୍କରଣର ଶନିବାର ୯ମ ଦିନରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ମହିଳା ୧୦୦ ମିଟର ଦୌଡ଼ରେ କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଦୂତି ଚାନ୍ଦ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ମହିଳା ୮୭ କିଗ୍ରା ଭାରୋତ୍ତୋଳନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ବନିତା ଘଡ଼ାଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ଏଥିସହିତ ଓଡ଼ିଶା ବିଶ୍ବବିଦ୍ୟାଳୟ ପ୍ରତିଯୋଗୀ ଜିତିଥିବା ପଦକ ସଂଖ୍ୟା ୧୧କୁ ବୃଦ୍ଧିପାଇଛି। ପୂର୍ବରୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ମନୀଷା ମେରେଲ ଲଙ୍ଗ୍‌ଜମ୍ପ୍‌ରେ ସ୍ବର୍ଣ୍ଣ, ମହିଳା ହକି ଦଳ ରୌପ୍ୟ, କିଟ୍‌ ବିଶ୍ବବିଦ୍ୟାଳୟ ମହିଳା ରଗ୍‌ବୀ ଦଳ ସ୍ବର୍ଣ୍ଣ, ପୁରୁଷ ରଗ୍‌ବୀ ଦଳ ବ୍ରୋଞ୍ଜ୍‌, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ମନୋଜ କୁମାର ସାହୁ ଭାରୋତ୍ତୋଳନରେ ସ୍ବର୍ଣ୍ଣ, ଦଳଗତ ପୁରୁଷ ରିକର୍ଭ ରାଉଣ୍ଡରେ କିଟ୍‌ର ରଞ୍ଜିତ ନାୟକ, ଶ୍ରବଣ ମାଡାଙ୍ଗୀ ଓ ସୂର୍ୟ୍ୟକାନ୍ତ ମାଝି ସ୍ବର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ ନାୟକ ରୌପ୍ୟ ଓ ଭାରୋତ୍ତୋଳନରେ କାମ୍ବେଶ୍ବର ମଲ୍ଲିକ ବ୍ରୋଞ୍ଜ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରମିଳା କିର୍ଷାନୀ ମହିଳା ଭାରୋତ୍ତୋଳନରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଫଳରେ ଆୟୋଜକ କିଟ୍‌ ବିଶ୍ବବିଦ୍ୟାଳୟ ପ୍ରତିଯୋଗୀଙ୍କ ପଦକ ସଂଖ୍ୟା ୬କୁ ବୃଦ୍ଧିପାଇଛି।

ଭାରୋତ୍ତୋଳନ: ବ୍ରହ୍ମପୁରର ବନିତାଙ୍କୁ ବ୍ରୋଞ୍ଜ୍‌

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଭାରୋତ୍ତୋଳନ ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଶନିବାର ମହିଳା ୮୭ କିଗ୍ରା ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ବନିତ​‌ା ଘଡାଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ବନିତା ସ୍ନାଚରେ ୭୦ ଓ କ୍ଲିନ ଆଣ୍ଡ ଜର୍କରେ ୯୦ କିଗ୍ରା ସହ ୧୬୦ କିଗ୍ରା ଭାରୋତ୍ତୋଳନ କରି ୩ୟ ସ୍ଥାନ ହାସଲ କରିଥିଲେ। ଏଥିରେ ପଞ୍ଜାବ ବିଶ୍ବବିଦ୍ୟାଳୟର ​‌େ​‌ମାନୁ ସ୍ବର୍ଣ୍ଣ ଓ ଆନ୍ଧ୍ରପ୍ରଦେଶ ବିଶ୍ବବିଦ୍ୟାଳୟର ସାଇ ମାଦୁ ଓହା ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୂର୍ବରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରମିଳା କିର୍ଷାନୀ ରୌପ୍ୟ, ମନୋଜ କୁମାର ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ।

Comments are closed.