କିସରେ ଏକାଠି ଦାନ୍ତ ଘଷିଲେ ୨୬,୩୮୨ ଛାତ୍ରଛାତ୍ରୀ ହେଲା ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡ

ଭୁବନେଶ୍ବର:କିସ୍‌ ଆଉ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡସରେ ସ୍ଥାନ ପାଇଛି। ଗୁରୁବାର କିସ୍‌ର ୨୬,୩୮୨ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଏହି ରେକର୍ଡ କରିଛନ୍ତି। ଏହା ହେଉଛି କିସ୍‌ର ୪ର୍ଥ ବିଶ୍ୱ ରେକର୍ଡ। ‘ଜାତୀୟ ଦାନ୍ତଘଷା ଦିବସ’ ଓ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ହେଲ୍‌ଥ ଡେଣ୍ଟିଷ୍ଟ୍ରି (ଆଇଏପିଏଚ୍‌ଡି)ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ କିସ ପକ୍ଷରୁ କୋଲଗେଟ ପାମୋଲିଭ ଏବଂ ଆଇଏପିଏଚ୍‌ଡିର ମିଳିତ ସହଯୋଗରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ୨୦୧୬ରେ ଡିପିଏସ୍‌, ଦିଲ୍ଲୀରେ ୧୬,୪୧୪ ପିଲା ଏକାଠି ଗୋଟିଏ ସ୍ଥାନରେ ଗୋଟିଏ ସମୟରେ ଦାନ୍ତ ଘଷି ଯେଉଁ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ତାହାକୁ କିସ୍‌ ଛାତ୍ରଛାତ୍ରୀମାନେ ଭାଙ୍ଗି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ଏହି କାର୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, କୋଲଗେଟ୍‌ ପାମୋଲିଭ (ଇଣ୍ଡିଆ)ର ପରିଚାଳନା ନିର୍ଦେଶକ ରାମ ରାଘବନ, ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡସର ପ୍ରତିନିଧି ଋଷି ନାଥ, ଆଇଏପିଏଚ୍‌ଡିର ସାଧାରଣ ସମ୍ପାଦକ ଡ. ସବ୍ୟସାଚୀ ସାହା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସମ୍ପାଦକ ଆର.ଏନ. ଦାଶ, କିସ୍‌ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଡ. ପି.କେ. ରାଉତରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଗହ୍ୱର ଯତ୍ନ ସମ୍ପର୍କରେ ଉପଦେଶ ଦେବା ସହ ନିୟମିତ ଦାନ୍ତ ଘଷିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ୟ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୁଖ୍ୟ ଗହ୍ବର ଯତ୍ନ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୫ରେ ଗୋଟିଏ ଦିନରେ କିସ୍‌ ‘ସର୍ବବୃହତ ମାନବ ବାକ୍ୟ’ (ଉଇ ଅର୍ଜ ଫର୍‌ ୱାଲ୍‌ର୍ଡ ପିସ୍‌), ‘ମୋଷ୍ଟ ସାଇମଲ୍‌ଟାନିଅସ୍‌ ହାଇ-ଫାଇଭ୍‌ସ’ ତିଆରି କରି ଦୁଇଟି ବିଶ୍ୱ ରେକର୍ଡ ହାସଲ କରିଥିବା ବେଳେ ୨୦୧୭ରେ ବିଶ୍ୱର ସର୍ବବୃହତ ଲାଫ୍‌ଟର ଯୋଗ କ୍ଲାସ୍‌ କରି ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍‌ର୍ଡ ରେକର୍ଡରେ ସ୍ଥାନ ପାଇଥିଲା।

Comments are closed.