ଭାରତ ଗୌରବ ସମ୍ମାନରେ କିସ’ର ଶିକ୍ଷୟିତ୍ରୀ ସମ୍ମାନିତ

ଆଜି ଜାତୀୟ ପତାକା ଦିବସ ଅବସରରେ ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘କଳିଙ୍ଗ ଏଜୁକେଶନାଲ ଆଣ୍ଡ ସୋସିଆଲ ୱେଲଫେୟାର ଟ୍ରଷ୍ଟ’ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସର ଶିକ୍ଷୟିତ୍ରୀ ଅନୁପମା ରାଉତଙ୍କୁ ସମ୍ମାନିତ କରାଯାଇଛି। ଶିକ୍ଷାଦାନ ସହ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) କ୍ଷେତ୍ରରେ ଉତ୍ତମ ପରିଚାଳନା ଓ ସାମାଜିକ ସଂସ୍କାର ପାଇଁ ଶିକ୍ଷୟିତ୍ରୀ ଅନୁପମାଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଆଜି ପୂର୍ବାହ୍ନରେ ହୋଟେଲ କେଶରୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ଶିକ୍ଷାବିତ ଡଃ ସୁଶାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଉଦଘାଟକ ଭାବେ ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟଅତିଥି ଭାବେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର ଓ ମୁଖ୍ୟବକ୍ତା ଭାବେ ପୁଣ୍ୟଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀମତୀ ଅନୁପମା ରାଉତ ଏନସିସି ପରିଚାଳନା କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ ସହ ବିଭିନ୍ନ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ଏନସିସି କ୍ୟାମ୍ପ ସଫଳ ଭାବେ ଆୟୋଜନ କରିବା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି।

Comments are closed.