‘ଗୋପବନ୍ଧୁ ସର୍ବତ୍ର ଓ ସମସ୍ତଙ୍କ ହୃଦୟରେ ଅଛନ୍ତି’

କିସ୍‌ରେ ‘ଗୋପବନ୍ଧୁ ଓ ଜାତୀୟବାଦୀ ସାହିତ୍ୟର ଉନ୍ମେଷ’ ସମ୍ପାନ

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଅତ୍ୟନ୍ତ ସରଳ ଓ ଅହଂକାରଶୂନ୍ୟ ଥିଲେ। ସେ ଥିଲେ ଜଣେ ଲଢ଼ୁଆ ସଂଗ୍ରାମୀ। ବ୍ରିଟିଶ ଶାସନ ଚାଲୁଥିଲେ ମଧ୍ୟ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାର ବିକାଶ ଲକ୍ଷ୍ୟରେ ପ୍ରତିକୂଳ ପରିସ୍ଥିତିରେ ସେ ପ୍ରତିଷ୍ଠା କରିଥିଲେ ସତ୍ୟବାଦୀ ବନ ବିଦ୍ୟାଳୟ। ଏଠାରୁ ଯେଉଁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଥିଲେ ସେମାନେ ଓଡ଼ିଶାର ଜଣେ ଜଣେ ରତ୍ନ ହୋଇ ରହିଯାଇଛନ୍ତି। ବହୁ ବିଦ୍ୱାନଙ୍କୁ ଗୋପବନ୍ଧୁ ସତ୍ୟବାଦୀକୁ ଆମନ୍ତ୍ରଣ କରୁଥିଲେ। ସେଥିପାଇଁ ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଅନେକ କଥା ଜାଣିବାର ସୁଯୋଗ ପାଉଥିଲେ। ଗୋପବନ୍ଧୁ ସର୍ବତ୍ର ଓ ସମସ୍ତଙ୍କ ହୃଦୟରେ ଅଛନ୍ତି ବୋଲି ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଛନ୍ତି।
କେନ୍ଦ୍ର ସାହିତ୍ୟ ଅକାଦେମୀ ଓ କିସ୍‌ ମାନିତ ବିଶ୍ୱବିଦ୍ୟାଳୟ ଗୋପବନ୍ଧୁ ଗବେଷଣା ଚେୟାର ଆନୁକୂଲ୍ୟରେ ଶୁକ୍ରବାର ପୂର୍ବାହ୍ଣରେ ‘ଗୋପବନ୍ଧୁ ଓ ଜାତୀୟବାଦୀ ସାହିତ୍ୟର ଉନ୍ମେଷ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ରଥ ଉପରୋକ୍ତ ବକ୍ତବ୍ୟ ରଖିବା ସହ କହିଥିଲେ, ଉତ୍କଳମଣି ମଣିଷ ସମାଜର ଦୁଃଖ ଓ ଯନ୍ତ୍ରଣାକୁ ବୁଝୁଥିଲେ। ଏହି ଦୁଃଖରୁ ମଣିଷ ସମାଜକୁ ମୁକ୍ତି ଦେବାପାଇଁ ସେ ନିଜକୁ ସମର୍ପିତ କରିଥିଲେ। କିସ୍‌ରେ ଗୋପବନ୍ଧୁଙ୍କ ଆଦର୍ଶ ଅନୁସରଣ କରାଯାଉଥିବାରୁ ଶ୍ରୀ ରଥ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କିସ୍‌ ମାନିତ ବିଶ୍ବବିଦ୍ୟାଳୟର କୁଳପତି ଦୀପକ କୁମାର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଗୋପବନ୍ଧୁ ଓଡ଼ିଶାରେ ଜାତୀୟ ଚେତନାର ସୂତ୍ରଧର ଥିଲେବୋଲି କହିଥିଲେ। ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦେଶକ ଡ. ବସନ୍ତ କୁମାର ପଣ୍ଡା କହିଲେ, ଅନେକ ଲୋକ ଗୋପବନ୍ଧୁଙ୍କୁ ଜଣେ ଉଚ୍ଚକୋଟୀର କବି ଭାବେ ଜାଣିଛନ୍ତି। ମାତ୍ର ତାଙ୍କ ଗଦ୍ୟ ରଚନା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ସେ ବାସ୍ତବରେ ଭାରତର ଅନ୍ୟତମ ଶିକ୍ଷା ଚିନ୍ତକ ଥିଲେ। ଶିକ୍ଷା, ସାହିତ୍ୟ, ରାଜନୀତି ସହ ସମାଜସେବା ଓ ସାମ୍ବାଦିକତା ଆଦି ବହୁମୁଖୀ ପ୍ରତିଭାଦୀପ୍ତ ଥିଲେ ଉତ୍କଳମଣି। ସାହିତ୍ୟ ଅକାଦେମୀ ଆବାହକ ତଥା େଗାପବନ୍ଧୁ ଗବେଷଣା ଚେୟାର ପ୍ରଫେସର ବିଜୟାନନ୍ଦ ସିଂହ କହିଥିଲେ େଯ େଗାପବନ୍ଧୁଙ୍କ ସମ୍ପର୍କରେ ଅଧିକ ଗବେଷଣା େହାଇପାରିଲେ ଓଡ଼ିଆ ଜାତିର ଗୌରବ ବୃଦ୍ଧି ପାଇବ। ସାହିତ୍ୟ ଅକାଦେମୀର କାର୍ଯ୍ୟକ୍ରମ ଅଧିକାରୀ ମିହିର କୁମାର ସାହୁ, କିସ୍‌ ମାନିତ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ପ୍ରଥମ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ସଂଗ୍ରାମ ଜେନା, ଅଧ୍ୟାପକ ପବିତ୍ର ମୋହନ ଦାସ ଗୋପବନ୍ଧୁଙ୍କ ସାହିତ୍ୟରେ ଜାତୀୟ ଭାବନା ଶୀର୍ଷକ ପ୍ରବନ୍ଧ ପାଠ କରିଥିଲାବେଳେ ଅର୍ଚ୍ଚନା ନାୟକ ସଭାପତିତ୍ବ କରିଥିଲେ। ଦ୍ବିତୀୟ ଅଧିବେଶନରେ ସ୍ତମ୍ଭକାର ଅରବିନ୍ଦ ରାୟ, ଐତିହାସିକ ଲଲାଟେନ୍ଦୁ ଦାସମହାପାତ୍ର, ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଗୋପବନ୍ଧୁଙ୍କ ସାଧନା ଓ ଜୀବନ ଦର୍ଶନ ଜାତୀୟ ଭାବକୁ ଉତ୍ସାହିତ କରିଥିଲା ବୋଲି କହିଥିଲେ। ଗାନ୍ଧୀ ସାହିତ୍ୟର ଲେଖକ ଗୌରାଙ୍ଗ ଚରଣ ପରିଡ଼ା ସଭାପତିତ୍ବ କରିଥିବାବେଳେ ଅଧ୍ୟାପିକା ରଶ୍ମିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.