କିଶନଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ: ପାକିସ୍ତାନ ପୁଣି ବିଶ୍ୱବ୍ୟାଙ୍କର ଦ୍ୱାରସ୍ଥ

0

ଇସଲାମାବାଦ : ଜାମ୍ମୁ କାଶ୍ମୀରରେ ଭାରତ ପକ୍ଷରୁ ନିର୍ମାଣାଧୀନ କିଶନଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ପାକିସ୍ତାନ ପୁଣି ବିଶ୍ୱବ୍ୟାଙ୍କ ନିକଟରେ ଅଭିଯୋଗ କରିଛି। ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲାରେ କିଶନଗଙ୍ଗା ନଦୀ ଉପରେ ଭାରତ ୩୩୦ ମେଗାୱାଟ୍‌ କ୍ଷମତାସମ୍ପନ୍ନ ଏହି ପ୍ରକଳ୍ପ ନିର୍ମାଣ କରୁଛି। ଏହାକୁ ନେଇ ପୂର୍ବରୁ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ୧୯୬୦ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ସମ୍ମାନ ଜଣାଉନାହିଁ ଏବଂ ଏହି କାରଣରୁ କିଶନଗଙ୍ଗା ପ୍ରକଳ୍ପ ନିମନ୍ତେ ଭାରତ ପାଉଥିବା ଆର୍ଥôକ ଅନୁଦାନକୁ ବନ୍ଦ କରିବାକୁ ପାକିସ୍ତାନ ପୂର୍ବରୁ ବିଶ୍ୱବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଥିଲା। ୨୦୧୧ରେ ଆଇଓଏ (ଇଣ୍ଟରନ୍ୟାସନାଲ କୋର୍ଟ ଫର୍‌ ଆର୍ବିଟ୍ରେସନ) ପ୍ରତିନିଧିମଣ୍ଡଳ ଭାରତ ଓ ପାକିସ୍ତାନ ନିର୍ମାଣ କରୁଥିବା ପ୍ରକଳ୍ପ ପରିଦର୍ଶନ କରିବା ସହ କିଶନଗଙ୍ଗା ପ୍ରକଳ୍ପ ପ୍ରସଙ୍ଗରେ ଅଧିକ ବୈଷୟିକ ତଥ୍ୟ ଉପସ୍ଥାପନ କରିବାକୁ ଭାରତକୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ ଭାରତ ସବୁ ତଥ୍ୟ ଦାଖଲ କରିଥିଲା। ଗତବର୍ଷ ଆଇଓଏ (ଇଣ୍ଟରନ୍ୟାସନାଲ କୋର୍ଟ ଫର୍‌ ଆର୍ବିଟ୍ରେସନ) ଓ ବିଶ୍ୱବ୍ୟାଙ୍କ ପାକିସ୍ତାନର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବାକୁ ଭାରତକୁ ସବୁଜ ସଙ୍କେତ ପ୍ରଦାନ କରିଥିଲେ। ଏହାସତ୍ତ୍ୱେ ପାକିସ୍ତାନ ନିଜ ଜିଦରେ ଅଟଳ ରହିବା ସହ ଭାରତକୁ ଅସୁବିଧାରେ ପକାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାକିସ୍ତାନକୁ ମିଳୁଥିବା ଜଳ ପରିମାଣ ଆଖିଦୃଶିଆ ଭାବେ ହ୍ରାସ ପାଇବ ଏବଂ ତଦ୍ୱାରା ସେମାନଙ୍କର ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ପାକିସ୍ତାନ ଯୁକ୍ତି ଦର୍ଶାଇଛି। କିଶନଗଙ୍ଗା ନଦୀର ଉତ୍ପତ୍ତି ଭାରତରେ ହୋଇଥିବାବେଳେ ଏହା ପାକିସ୍ତାନକୁ ମଧ୍ୟ ପ୍ରବାହିତ ହୋଇ ଝେଲମ ନଦୀ ସହ ମିଶିଛି। ସେଠାରେ ଏହା ନୀଲମ ନଦୀଭାବେ ପରିଚିତି ଲାଭ କରିଛି। ପାକିସ୍ତାନ ସେଠାରେ ଏକ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରୁଛି। କିଶନଗଙ୍ଗା ପ୍ରକଳ୍ପ ଜରିଆରେ ଭାରତ ଯଦି ନଦୀଜଳକୁ ମହଜୁଦ ରଖିବ, ତାହାହେଲେ ପାକିସ୍ତାନ ଯେତେ ପରିମାଣର ପାଣି ପାଇବା କଥା, ତାହା ତାକୁ ମିଳିବନି। ଫଳରେ ପାକିସ୍ତାନ ନିର୍ମାଣ କରୁଥିବା ପ୍ରକଳ୍ପ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।

Leave A Reply