କୃଷକଙ୍କ ମହାପଞ୍ଚାୟତରେ ରାଷ୍ଟ୍ରୀୟ କୃଷକ ନେତାଙ୍କ ଉଦ୍‍ବୋଧନ: ‘ଆନ୍ଦୋଳନରତ ଚାଷୀ ନ୍ୟାୟ ନ ପାଇଲେ ଦିଲ୍ଲୀରୁ ଫେରିବେ ନାହିଁ’

ଚଣ୍ଡିଖୋଲ : ଧାନ କ୍ୱିଣ୍ଟାଲର ଦର ୧୮ ହଜାର ଟଙ୍କା ହେବା ଦରକାର। ବଡ଼ ବଡ଼ ସରକାରୀ କର୍ମଚାରୀ ଯେପରି ସବୁ ସୁବିଧା ନେଉଛନ୍ତି ସେହିପରି ତଳସ୍ତରରେ ରହୁଥିବା ଲୋକେ ପାଇବା ଦରକାର। ଆନ୍ଦୋଳନରତ ଚାଷୀ ନ୍ୟାୟ ନ ପାଇଲେ ଦିଲ୍ଲୀରୁ ଫେରିବେ ନାହିଁ। ସରକାର କୃଷି ଆଇନ୍‍ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଉଛନ୍ତି। କିନ୍ତୁ ପ୍ରତ୍ୟାହାର କରିବାକୁ ସମ୍ମତି ପ୍ରକାଶ କରୁ ନାହାନ୍ତି। ଏହାର କାରଣ କ’ଣ ବୁଝି ହେଉ ନାହିଁ? ୯୦ କୋଟି ଲୋକ କୃଷି ଉତ୍ପାଦନରେ ବଞ୍ଚୁଛନ୍ତି। ସେମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ନ ହୋଇ ପୁଞ୍ଜିପତିଙ୍କ ପ୍ରତି ଆକର୍ଷିତ ହୋଇଚାଲିଛନ୍ତି ବୋଲି ଆଜି ଚଣ୍ଡିଖୋଲ ସଂଲଗ୍ନ ଖେଳପଡ଼ିଆଠାରେ ଆୟୋଜିତ କୃଷକଙ୍କ ମହାପଞ୍ଚାୟତରେ ଉଦ୍‍ବୋଧନ ଦେଇ ରାଷ୍ଟ୍ରୀୟ କୃଷକନେତା ବଲଦେବ ରାଜପାଲ ଜୀ ଘୋଷଣା କରିଛନ୍ତି। ସେ ଏଥିରେ ଉଦ୍‍ବୋଧନ ଦେଇ କହିଲେ କିଷାନ୍‍ଙ୍କ ପାଇଁ ସରକାରଙ୍କ ପାଖରେ ପଇସା ନାହିଁ। ମାତ୍ର ଶିଳ୍ପପତିଙ୍କୁ ଋଣ ଛାଡ଼ ସହ ସବୁପ୍ରକାର ସୁବିଧା ଦିଆଯାଉଛି। କିଷାନଙ୍କ ମଧ୍ୟରେ ଭାରତ ସାରା ଭାଇଚାରା ସୃଷ୍ଟି ହୋଇଗଲାଣି। ଏବେ ଯେଉଁ ଆନ୍ଦୋଳନ ଚାଲିଛି ତାହା ନୂଆକରି ଅର୍ଥନୈତିକ ସ୍ୱାଧିନତା ସମ୍ବଳିତ ଆନ୍ଦୋଳନ ବୋଲି ସେ କହିଥିଲେ। ସେ କହିଲେ ଅର୍ଥନୀତି ସୁଦୃଢ ନ ହେଲେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସ୍ୱାଚ୍ଛନ୍ଦରେ ବଞ୍ଚିବା ତୁଚ୍ଛ ହୋଇପଡ଼ିବ। ଅତି ଖୁସିର ବିଷୟ ଏହିଯେ ଓଡ଼ିଶାବାସୀ ଏହି ବିଷୟରେ ଆଉ ପଛରେ ନାହାନ୍ତି।
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହସଂଯୋଜକ ଶେଷଦେବ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶକୁ ବହୁ ରାଷ୍ଟ୍ରୀୟ ନେତା ସମ୍ବୋଧିତ କରିଥିଲେ। ହରିୟାଣାର ନେତା ଗୁରୁନାମ ସିଂହ ଉଦ୍‍ବୋଧନ ଦେଇ କହିଲେ, ଗରିବ ଓ ଧନୀ ଭିତରେ ଦେଶରେ କେତେ ବ୍ୟବଧାନ ରହିଛି ତାହା ସରକାର ଅନୁଶୀଳନ କରୁ ନାହାଁନ୍ତି। ମୋଦୀ କୃଷକ ପରିବାରର ଆୟ ୨୨ ମସିହା ସୁଦ୍ଧା ୨ଗୁଣ କରିଦେବେ ବୋଲି କହୁଛନ୍ତି। ଯଦି ଧାନର ସର୍ବନିମ୍ନ ମୂଲ୍ୟ ଦୁଇଗୁଣ କରାଯାଏ ତେବେ ବି ଚାଷୀକୂଳ କ୍ଷତିରେ ରହିବେ। ଅନ୍ୟତମ ନେତା ଉଦ୍‍ବୀର ସିଂହ କହିଲେ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି ତା ଚାଷୀ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ଏହାକୁ ପ୍ରତ୍ୟାହାର ନ କରି ଏକତରଫା ଜିଦିରେ ବସିଛନ୍ତି। ଚାରିମାସର ଆନ୍ଦୋଳନ ଅଭିଜ୍ଞତାରୁ ଆମେ ଜାଣୁଛୁ ଯେ ଦିଲ୍ଲୀରେ ଏକ ସରକାର ନାହିଁ। କିଷାନ, ମଜଦୁର କ୍ଷେତଖମାରେ କାମ କରୁ୍‍ଥିବା ଲୋକଙ୍କର ଅବସ୍ଥା କ’ଣ ହେବ ତାହା ସରକାର ବୁଝିବା ଉଚିତ୍‍। ଅନ୍ୟତମ ଅତିଥି ରାକେଶ ସିଂ ଟିକାୟତ୍‍ କହିଲେ ସର୍ବନିମ୍ନ ମୂଲ୍ୟ ଚାଷୀକୁ ମିଳିବା ଆମର ଦାବି। ଯଦି ଉପଯୁକ୍ତ ପ୍ରାପ୍ୟ ଚାଷୀ ନପାଏ ଦିନକୁ ଦିନ ସେ ଦରିଦ୍ର ହୋଇଚାଲିବ। ରୁଟି ଉପରେ ଖାଉଟିର ଯେପରି ଅଧିକାର ଅଛି କୃଷି ଦ୍ରବ୍ୟ ଉପରେ ଦେଶର ସେହିପ୍ରକାର ଅଧିକାର ଅଛି। ଖାଦ୍ୟ ସମାଗ୍ରୀକୁ ପୁଞ୍ଜିପତିଙ୍କ ନିୟନ୍ତ୍ରଣରେ ରଖାଯିବା ଉଚିତ୍‍ ନୁହେଁ। ଅନ୍ୟତମ ଅତିଥି ଫିରୋଜ୍‍ ଭାଇ କହିଲେ ଯିଏ ମାଟିକୁ ବଞ୍ଚାଇବ ସେ ଏହି ଧରିତ୍ରୀକୁ ବଞ୍ଚାଇବ। ମାଟି ଆମକୁ ଯୋଡ଼ିଥାଏ। ଏହା କେବଳ ଚାଷୀଙ୍କ ଦ୍ୱାରା ସମ୍ଭବ। ଝାଡ଼ଖଣ୍ଡର ଭଗବାନ ସିଂ କହିଲେ ସମୟ ଆସିବ ଧର୍ମ ରାଜନୀତିକୁ ଭାରତବର୍ଷ ପ୍ରତ୍ୟାଖ୍ୟାନ କରିବ।
ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଗଠକ ଅକ୍ଷୟ କୁମାର ଏଥିରେ ଅଧ୍ୟକ୍ଷତା କରିଥିଲେ। ହିମାଂଶୁ ତିୱାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରାଜ୍ୟ ସହସଂଯୋକ ଉମାକାନ୍ତ ଭାରତ। ରାଜ୍ୟ ସହସଂଯୋଜକ ନିମାଇଁ ରାୟ, ଯାଜପୁର ଜିଲା ସଂଯୋଜକ ଦୁର୍ଗାପ୍ରସାଦ ଦାସ, ସୁବାଷ ଚନ୍ଦ୍ର ଖଣ୍ଡାଇ ଓ ଅଶୋକ ଶାନ୍ତି ପ୍ରମୁଖ ସମାବେଶ ପରିଚାଳନା କରିଥିଲେ।

Comments are closed.