ଆରମ୍ଭ ହେଲା କିଷାନ କ୍ରେଡିଟ କାର୍ଡ ବଣ୍ଟନ ଅଭିଯାନ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ ହୋଇଛି। ଫଳରେ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ ସର୍ବାଧିକ ୪ ପ୍ରତିଶତ ସୁଧ ହାରରେ କୃଷି, ପଶୁ ଓ ମତ୍ସ୍ୟପାଳନ ଲାଗି ସ୍ୱଳ୍ପକାଳୀନ ଋଣ ମିଳିପାରିବ। ଏହି ଅଭିଯାନ ଫେବୃଆରୀ ୧୦, ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ୧୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏ ସଂକ୍ରାନ୍ତରେ ବିସ୍ତୃତ ନିର୍ଦ୍ଦେଶନାମା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ, ସବୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଓ ନାବାର୍ଡ ଅଧ୍ୟକ୍ଷଙ୍କୁ ଜାରି କରାଯାଇଛି। ଏହି ଯୋଜନା ଅଧୀନରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ଅବଲମ୍ବନ ହେବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯାଇଛି।

କେସିସି ନଥିବା ପିଏମ-କିଷାନ ହିତାଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସମେତ ବ୍ୟାଙ୍କର ଏମଡିମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ କୃଷି, ପଶୁପାଳନ, ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ବିଭାଗ ସଚିବଙ୍କ ଜରିଆରେ ଏପରି ହିତାଧିକାରୀଙ୍କ ସହିତ ଯୋଗାଯୋଗ କରିବା ଲାଗି ମଧ୍ୟ କୁହାଯାଇଛି। ଏନଆରଏଲଏମ ଯୋଜନା ଅନ୍ତର୍ଗତ ‘ବ୍ୟାଙ୍କ ସଖୀ’ମାନଙ୍କ ଜରିଆରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ସଚେତନ କରିବେ। ଫଳରେ ହିତାଧିକାରୀମାନେ କିଷାନ କ୍ରେଡିଟ କାର୍ଡ ପାଇଁ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯିବା ଲାଗି ପ୍ରସ୍ତୁତ ହେବେ।

କେସିସି ଜରିଆରେ ସୁଧ ରିହାତି ସୁବିଧା ଏଣିକି ମତ୍ସ୍ୟ ଓ ପଶୁପାଳନ କରୁଥିବା ଚାଷୀଙ୍କୁ ମଧ୍ୟ ମିଳିବ। ଏହାକୁ ଦୃଷ୍ଟିରେ ରଖି ଏପରି କୃଷକଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଅତିରିକ୍ତ ଋଣ ସୀମା ଓ ନୂଆ କ୍ରେଡିଟ କାର୍ଡ ଜାରି କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି। ଆବେଦନ ପ୍ରକ୍ରିୟାକୁ ସରଳ କରିବା ଲାଗି ଗୋଟିଏ ପୃଷ୍ଠା ବିଶିଷ୍ଟ ଏକ ସରଳ ଫର୍ମ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ପିଏମ କିଷାନ ଯୋଜନା ଅନ୍ତର୍ଗତ ବ୍ୟାଙ୍କ ନିକଟରେ ରହିଥିବା ହିତାଧିକାରୀଙ୍କ ତଥ୍ୟ ସହ ଜମି ରେକର୍ଡ ଏବଂ ଫସଲ ବୁଣିବାର ବିବରଣୀ ରହିବ। ଗୋଟିଏ ପୃଷ୍ଠାର ଫର୍ମ ସାରା ଦେଶର ସମସ୍ତ ପ୍ରମୁଖ ସମ୍ବାଦପତ୍ରରେ ବିଜ୍ଞାପନ ଜରିଆରେ ପ୍ରକାଶିତ ହେବ। ଏହାକୁ ହିତାଧିକାରୀ କାଟି ନେଇ ପୂରଣ କରିପାରିବେ। ଏହି ଫର୍ମ ସମସ୍ତ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ସହିତ ଭାରତ ସରକାରଙ୍କ କୃଷି ବିଭାଗ, ସମବାୟ ଓ କୃଷକ କଲ୍ୟାଣ ବିଭାଗର ୱେବସାଇଟ ଏବଂ ପିଏମ-କିଷାନ ପୋର୍ଟାଲରୁ ମଧ୍ୟ ଡାଉନଲୋଡ କରାଯାଇପାରିବ। ଫର୍ମ ପୂରଣ କରିବା ଏବଂ ନିର୍ଦ୍ଧାରିତ ବ୍ୟାଙ୍କ ଶାଖାକୁ ପଠାଇବାର ଦାୟିତ୍ୱ ଜନ ସେବା କେନ୍ଦ୍ରଗୁଡ଼ିକୁ ଦିଆଯାଇଛି।

ସବୁ ବ୍ୟାଙ୍କଗୁଡ଼ିକୁ ଏଥି ପାଇଁ ଅଲଗା କାଉଣ୍ଟର ଖୋଲିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆବେଦନ କରିବା ତାରିଖ ଠାରୁ ୧୪ ଦିନ ମଧ୍ୟରେ ନୂଆ କିଷାନ କ୍ରେଡିଟ କାର୍ଡ ଜାରି କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Comments are closed.