ବିଛରାମାତା ପୂଜାରେ କିନ୍ନରଙ୍କ ବାର୍ତ୍ତା – ପଲିଥିନ୍‍ ନୁହେଁ ବୃକ୍ଷ ହିଁ ଜୀବନ

ଭୁବନେଶ୍ୱର: ସମୟ କ୍ରମେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା କିନ୍ନରମାନେ କେବଳ ଯେ ନିଜ କଥା ଚିନ୍ତା କରୁଛନ୍ତି ସେ କଥା ନୁହେଁ ବରଂ ସେମାନେ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜଣାପଡିଛି। ଶୁକ୍ରବାର କିନ୍ନର ଗୁରୁ ସୋନମ କିନ୍ନରଙ୍କ ବିଛରାମାତା ପୂଜା ପାଳନରେ ଏମିତି କିଛି ବାର୍ତ୍ତା ଦେଇଛନ୍ତି ସେମାନେ। ଭୁବନେଶ୍ୱର ସତ୍ୟନଗରସ୍ଥିତ ବ୍ଲାଇଣ୍ଡ ଆସୋସିଏସନଠାରେ ନିଆରା ଢଙ୍ଗରେ ଏହି ପର୍ବ ପାଳନ କରାଯାଇଛି। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଶହ ଶହ କିନ୍ନର ଗୁରୁ ଓ ଶିଷ୍ୟମାନେ ଯୋଗ ଦେଇଥିଲେ। ଫନି ମହାବାତ୍ୟାରେ ନଷ୍ଟ ହୋଇଥିବା ଗଛସବୁକୁ ଭରଣା କରିବା ପାଇଁ ନିଜ ନିଜ ଜିଲ୍ଲାରେ ବୃକ୍ଷ ରୋପଣ କରିବା ସହିତ ଏହାର ଯତ୍ନ ନେବା ପାଇଁ ସମସ୍ତ କିନ୍ନର ନିଷ୍ପତ୍ତି ନେଇଥିଲେ ଏବଂ ଆଜିଠାରୁ ପଲିଥିନ୍‍ ବ୍ୟବହାର ନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ କନ୍ନର ପ୍ରତିଶ୍ରୁତି ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କିନ୍ନରମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ। ‘ସଖି’ର ସଭାପତି ତଥା କିନ୍ନରମାନଙ୍କ ମୁଖ୍ୟ ଗୁରୁ ସୁଇଟି ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ପଲିଥିନ୍‍ର ଅପବ୍ୟବହାର ସମ୍ପର୍କରେ କିନ୍ନରମାନଙ୍କୁ ପରାମର୍ଶ ଦେବା ସହିିତ ପ୍ରତ୍ୟେକ କିନ୍ନର ବୃକ୍ଷ ରୋପଣ କରିବାକୁ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.