ୟୁନିଭର୍ସାଲ ବସ୍‌ କ୍ରିସ ଗେଲଙ୍କ ବିସ୍ଫୋରକ ୯୯, ରାଜସ୍ଥାନ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୦ତମ ମ୍ୟାଚ ଶୁକ୍ରବାର ଆବୁଧାବିରେ ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା କିଙ୍ଗ୍‌ସ ଏକାଦଶ ପଞ୍ଜାବ । ୟୁନିଭର୍ସାଲ ବସ୍‌ କ୍ରିସ ଗେଲଙ୍କ ବିସ୍ଫୋରକ ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ୪ ୱିକେଟ ହରାଇ ୧୮୫ ରନ୍ କରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୮୬ରନରେ ଟାର୍ଗେଟ ମିଳିଛି। ଗେଲ ୯୯ ରନ୍ କରିଥିବା ବେଳେ କେଏଲ ରାହୁଲ ୪୬ ଓ ନିକୋଲସ ପୂରନ ୧୦ ବଲରେ ଦ୍ରୁତ ୨୨ ରନ୍ କରିଛନ୍ତି।  ଦଳ ପକ୍ଷରୁ କ୍ରିସ ଗେଲ ବିସ୍ଫୋରକ ଇନିଂସ ଖେଳି ୬୩ ବଲରୁ ୯୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୬ ଟି ଚୌକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମ୍ୟାକ୍ସୱେଲ ୬ ବଲର ୬ ଓ ଦୀପକ ହୁଡା ୧ ବଲରେ ୧ ରନ୍‌ କରି ଶେଷ ଯାଏ ଅପରାଜିତ ରହିବାରୁ ପଞ୍ଜାବ ୧୮୫ କରିବାକୁ ସକ୍ଷମ ହୋଇଥିଲା। ରାଜସ୍ଥାନ ପକ୍ଷରୁ ଆର୍ଚର ଓ ଷ୍ଟୋକ୍ସ ୨ଟି ଲେଖାଏ ୱିକେଟ ନେଇଛନ୍ତି।

ପ୍ଲେ ଅଫ ଆଶା ବଜାୟ ରଖିବା ନେଇ ଦୁଇ ଦଳ ପାଇଁ ଏହି ମ୍ୟାଚ ବହୁତ ଗୁରୁତ୍ବପୂର୍ଣ୍ଣ।  ଷ୍ଟିଭ୍‌ ସ୍ମିଥ୍‌ଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୧୨ଟି ମ୍ୟାଚରୁ ୫ଟି ବିଜୟ, ୭ଟି ପରାଜୟ ସହ ୧୦ ପଏଣ୍ଟ ହାସଲ କରିଛି। ପ୍ଳେ ଅଫ ଆଶା ବଜାୟ ରଖିବା​‌ ନେଇ ଦଳକୁ ଉକ୍ତ ଦୁଇ ମ୍ୟାଚ ନିଶ୍ଚିତ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ରାଜସ୍ଥାନ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କରିବା ପରେ ପ୍ଳେ ଅଫ ଆଶାକୁ ବଜାୟ ରଖିପାରିଛି। ବେନ୍ ଷ୍ଟୋକ୍‌ସ ଶେଷ ମ୍ୟାଚରେ ଶତକ ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କୁ ଆଶ୍ବସ୍ତି କରିଛି। ବୋଲିଂରେ ଜେଫ୍ରା ଆର୍ଚର, ଅଙ୍କିତ ରାଜପୁତ୍‌, ଶ୍ରେୟସ ଗୋପାଳ ପ୍ରମୁଖ ପ୍ରଦର୍ଶନ ଉପରେ ଦଳ ନିର୍ଭର କରୁଛି। ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଥିବାରୁ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିବା ଲକ୍ଷ୍ୟ ରଖିଛି।ସେହିପରି ଲୋକେଶ ରାହୁଲଙ୍କ ନେତୃତ୍ବାଧିନ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୧୨ଟି ମ୍ୟାଚରୁ ୬ଟି ବିଜୟ ଓ ୬ଟି ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି।

 

Comments are closed.