ଇଡିକୁ ଧକ୍କା, ମାଲ୍ୟାଙ୍କ ସମ୍ପତ୍ତି କିଣିଥିବା କ୍ରେତାଙ୍କୁ ଆଶ୍ୱସ୍ତି

0

ନୂଆଦିଲ୍ଲୀ: ପଳାତକ ଘୋଷିତ ମଦ ସମ୍ରାଟ୍‍ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଥିବା ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି ପିଏମ୍‍ଏଲ୍‍ଏ ଆପିଲେଟ୍‍ ଟ୍ରିବ୍ୟୁନାଲ୍‍। ବାଜ୍ୟାପ୍ତ ହୋଇଥିବା ତିନିଟି ସମ୍ପତ୍ତି ଉପରୁ ସରକାରୀ କର୍ତ୍ତୃତ୍ୱ ପ୍ରତ୍ୟାହାର କରିବାକୁ ଟ୍ରିବ୍ୟୁନାଲ୍‍ ଇଡିକୁ ନିର୍ଦେଶ ଦେଇଛନ୍ତି।
ପ୍ରାୟ ୯୦୦୦ କୋଟି ଟଙ୍କା ଋଣରେ ବୁଡ଼ିବା ପରେ ଭାରତ ଛାଡ଼ି ଚାଲିଯାଇଥିବା ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ କରିଛି ଇଡି। ଏହି କ୍ରମରେ ବାଇକନ୍‍ ମୁଖ୍ୟ ପରିଚାଳନା ଅଧିକାରୀ କିରନ୍‍ ମଜୁମ୍‍ଦାର ଶ ଓ ପ୍ରବାସୀ ଭାରତୀୟ ବିବେକ ମାଥିଆସ୍‍ଙ୍କ ନାମରେ ଥିବା ତିନିଟି କୋଠାକୁ ଇଡି ଜବତ କରିଛନ୍ତି। ୨୦୧୨ରେ କିଙ୍ଗଫିସର ଟାୱାରର ଏକ ଫ୍ଲାଟ୍‍କୁ ୨୬.୧୨ କୋଟି ଟଙ୍କା ଦେଇ କିରନ୍‍ କିଣିଥିôବା ବେଳେ ସେହିବର୍ଷ ସେହି ସ୍ଥାନର ଦୁଇଟି ଫ୍ଲାଟ୍‍କୁ ୪୯.୮୪ ଟଙ୍କା ଦେଇ ବିବେକ କିଣିଛନ୍ତି। ଏହାପରେ ଶ ଓ ବିବେକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଟ୍ରିବ୍ୟୁନାଲ୍‍ କହିଥିଲେ ଯେ ଉଭୟ ଆବେଦନକାରୀ ସମ୍ପତ୍ତି କିଣିବା ପାଇଁ ସମ୍ପୂର୍ଣ୍ଣ ଆଇନ୍‍ ଅନୁମୋଦିତ ଉପାୟରେ ଅର୍ଥ ପୈଠ କରିଛନ୍ତି। ସେହି ଅର୍ଥ କଳାଟଙ୍କା ବୋଲି ପ୍ରମାଣ ନାହିଁ। ତେଣୁ ସେମାନଙ୍କର ସମ୍ପତ୍ତି ଫେରାଇବାକୁ ଇଡିକୁ ଟ୍ରିବ୍ୟୁନାଲ୍‍ କହିଛନ୍ତି।

Leave A Reply