ରୋଷେଇ ଘରେ ଅହିରାଜ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରିର କୁଲଡ଼ିହା ଅଭୟାରଣ୍ୟରୁ ଖାଦ୍ୟ ଅନ୍ୱେଷଣରେ ପଳାଇ ଆସିଥିବା ଏକ ୧୪ଫୁଟ ଲମ୍ବର ଅହିରାଜ ବା କିଙ୍ଗକୋବ୍ରାକୁ ସୋମବାର ଉଦ୍ଧାର କରାଯାଇଛି। ଗରଡ଼ିହି ପଞ୍ଚାୟତ ଅଧୀନ କଳାକାଦ ନିକଟ ଅସନବଣି ଗାଁର ମାଲୁ ସିଂଙ୍କ ରୋଷେଇ ଘରକୁ ଏହି ସାପଟି ପଶି ଯାଇଥିଲା। ଏତେ ବଡ ସାପକୁ ଦେଖି ବନ୍ଧା ହୋଇଥିବା ୩ଟି ଗୋରୁ ଭୟାତୁର ଅବସ୍ଥାରେ ଦଉଡି ଛିଣ୍ଡାଇ ଦୌଡ଼ିଥିଲେ। ସାପଟି ତାଙ୍କ ରୋଷେଇ ଘରେ ପଶି ଏକ ମୂଷାକୁ ଗିଳିବାକୁ ଉଦ୍ୟମ କରିଥିଲା।

ଅହିରାଜର ଗର୍ଜନରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସୁନୀଲ ସିଂ ନାମକ ଜଣେ ଶିକ୍ଷକଙ୍କଠାରୁ ଖବର ପାଇ ନୀଳଗିରି ଅଞ୍ଚଳର ପ୍ରକାଶ ମର୍ଦ୍ଦରାଜଙ୍କ ଉଦ୍ୟମ କ୍ରମେ ଏକ ସାପଧରା ଟିମ ସେଠାରେ ପହଞ୍ଚିଥିଲା। ସୁଶାନ୍ତ ମହାପାତ୍ର, ଗୟାଧର ବେହେରା, ଗିରିଜା ବେହେରା, ଦିଲୀପ ପାତ୍ର ପ୍ରମୁଖ ଅଧ ଘଣ୍ଟାର ପରିଶ୍ରମ ପରେ ଏହି ବିଷଧର ସାପକୁ କାବୁ କରିଥିଲେ। ସାପଟିକୁ ତା’ର ପ୍ରାକୃତିକ ଆବାସସ୍ଥଳୀ କୁଲଡ଼ିହା ଜଙ୍ଗଲରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

Comments are closed.