ଅବିଶ୍ବାସୀ କିମ୍ ଜୋଙ୍ଗ ଉନ୍: ଭଉଣୀଙ୍କ ଠାରୁ ଅପସାରଣ କଲେ ଅନେକ ଗୁରୁ ଦାୟିତ୍ବ

ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ କାହାରିକୁ ବିଶ୍ବାସ କରନ୍ତି ନାହିଁ । କ୍ଷମତା ପାଇଁ ସେ ସବୁ କିଛି କରିପାରନ୍ତି । ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ କେହି ସାହସ କରିପାରନ୍ତି ନାହିଁ ।
ତାଙ୍କ ଅସୁସ୍ଥତା ଓ ଅନୁପସ୍ଥିତିରେ ଶାସନ ଦାୟିତ୍ବ ସମ୍ଭାଳୁଥିବା ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗଙ୍କୁ ମଧ୍ୟ ସେ ଆଉ ବିଶ୍ବାସ କରୁନାହାନ୍ତି ବୋଲି ସୂଚନା ମିଳିଛି । ନିଜ ଦଳର ବୈଠକରେ ସେ ତାଙ୍କର ଭଉଣୀଙ୍କର ଗୁରୁତ୍ବ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଓ ଅନେକ ଗୁରୁ ଦାୟିତ୍ବ ତାଙ୍କ ହାତରୁ କାଢ଼ି ନେଇଛନ୍ତି ।
ୱାର୍କର୍ସ ପାର୍ଟି ବୈଠକର ଷଷ୍ଠ ଦିନରେ ସେ ନିଜକୁ ରାଷ୍ଟ୍ରପତି ପଦରୁ ସାଧାରଣ ସମ୍ପାଦକ ପଦବୀ ପର୍ଯ୍ୟନ୍ତ ପଦୋନ୍ନତି ଦେଇଥିଲେ। ଏହାପୂର୍ବରୁ ଜୋଙ୍ଗଙ୍କ ସ୍ୱର୍ଗତ ପିତା ଏବଂ ଜେଜେବାପା ଏହି ପଦରେ ରହିଥିଲେ । ଅନ୍ୟପକ୍ଷରେ ତାଙ୍କର ଭଉଣୀ କିମ୍ ୟୋ ଜଙ୍ଗଙ୍କୁ ପ୍ରଭାବଶାଳୀ କମିଟିରୁ ବାଦ ଦେଇଛନ୍ତି ।
ଗତ ବର୍ଷ କିମ ୟୋ ଜୋଙ୍ଗ ପଲିଟିବୁରୋର ଏକ ବିକଳ୍ପ ସଦସ୍ୟ ହୋଇଥିଲେ। ଏଥର ଓ୍ୱାକର୍ସ ପାର୍ଟି ବୈଠକରେ ତାଙ୍କୁ ପଲିଟିବ୍ୟୁରୋର ପୂର୍ଣ ସଦସ୍ୟତା ପାଇବେ ବୋଲି ଆଶା କରାଯାଉଥିଲା । ମାତ୍ର ରାଷ୍ଟ୍ରପତି ଜଙ୍ଗ ନିଜ ଭଉଣୀଙ୍କୁ କମିଟିରୁ ବାହାର କରି ଦେଇଛନ୍ତି । ପଲିଟିବୁରୋ ଉତ୍ତର କୋରିଆର ଏକ ଶକ୍ତିଶାଳୀ ରାଜନୈତିକ ସଂସ୍ଥା | ଏହା ହେଉଛି ଦେଶର ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଫ୍ଲାଗସିପ୍ ସଂଗଠନ | ସରକାରଙ୍କ ପରିଚାଳନାରେ ଏହାର ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି | ବ୍ୟୁରୋର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଏ | ତେଣୁ ଅନୁମାନ କରାଯାଉଛି ଯେ ଏହି ନିଷ୍ପତ୍ତି ପଛରେ କିମ ୟୋ ଜୋଙ୍ଗଙ୍କୁ ଦେଶର ରାଜନୀତିରୁ ଦୂରେଇ ରଖାଯାଉଛି। ଏପରିକି କିମ ଜୋଙ୍ଗ ଉନଙ୍କ ଏହି ପଦକ୍ଷେପ ତାଙ୍କ ଭଉଣୀକୁ ରାଜନୀତି ଛାଡିବାକୁ ବାଧ୍ୟ କରିପାରେ ବୋଲି ଆଲୋଚନା ହୋଇଛି।