ନିଜର ବରିଷ୍ଠ ଅଧିକାରୀଙ୍କୁ ହତ୍ୟାକଲେ କିମ୍‌ ଜଙ୍ଗ

ସିଓଲ୍‌.- ନିଜର ବରିଷ୍ଠ ଅଧିକାରୀଙ୍କୁ ଉତ୍ତର କୋରିଆର ଶାସନ ମୁଖ୍ୟ କିମ ଜଙ୍ଗ୍‌ ହତ୍ୟା କରିଛନ୍ତି । ଆମେରିକା ସହ ତାଙ୍କର ଚାଲିଥିବା କଥାବାର୍ତ୍ତା ସଫଳ ନହେବାରୁ ଏହି ଅଧିକାରୀମାନଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ କଥାବାର୍ତ୍ତା ହୋଇପାରି ନଥିଲା । ଏହାପରେ କିଛି ବରିଷ୍ଠ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଦକ୍ଷିଣ କୋରିଆର ଏକ ଖବର ପ୍ରକାଶନ ସଂସ୍ଥା ସୂଚନା ଦେଇଛି ।

ଟ୍ରମ୍ପ ଓ କିମଙ୍କ ମଧ୍ୟରେ କିମ୍‌ ହ୍ୟୋକ ଚୋଲ ନାମକ ବରିଷ୍ଠ ଅଧିକାରୀ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ଏହାର ଆୟୋଜନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମାର୍ଚ୍ଚ ମାସରେ ଏମାନଙ୍କୁ ଉତ୍ତର କୋରିଆର ରାଜଧାନୀ ନିକଟରେ ଥିବା ଏକ ବିମାନ ବନ୍ଦରରେ ଗୁଳି କରି ହତ୍ୟା କରାଯାଇଥିବା ଖବର ପ୍ରକାଶିତ ହୋଇଛି । ଉତ୍ତର କୋରିଆର ଶାସନମୁଖ୍ୟଙ୍କ ସହ ବିଶ୍ୱାସଘାତ କରିଥିବା ଅଭିଯୋଗରେ ଏମାନଙ୍କୁ ହତ୍ୟା କରାଯାଇଛି । ହ୍ୟୋକ୍‌ଙ୍କ ସହ ଅନ୍ୟ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମାତ୍ର କେଉଁ ସୁତ୍ରରୁ ଏହି ସୂଚନାମିଳିଛି ସମ୍ପୃକ୍ତ ଖବର ପ୍ରକାଶନ ସଂସ୍ଥା ତାହା ପ୍ରକାଶ କରିନାହିଁ ।

Comments are closed.