ମାତିଛି ମଣିଷମରା ଦନ୍ତା : ୪ ଜୀବନ ନେବା ପରେ ସକାଳୁ ଜଣେ ମହିଳାଙ୍କୁ ଦଳି ଗୁରୁତର କରିଛି 

ଦନ୍ତା ଆକ୍ରମଣରେ ପୁରୀ ଜିଲାର ୪ଜଣଙ୍କ ମୃତ୍ୟୁ

ପିପିଲି : ପିପିଲିରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାହାତୀ ଏବେ ପିପିଲି ପାର ହୋଇ ଭୁବନେଶ୍ବର ଉପକଣ୍ଠ ପାତ୍ରପଡାର ଭେଷଜ ଉଦ୍ୟାନ ନିକଟରେ ଅଛି ବୋଲି ସୂଚନା ମିଳିଛି। ସେଠାରେ ଆଜି ତାକୁ ଟ୍ରାଙ୍କୱାଲାଇଜ କରାଯିବ ବୋଲି ଜଣାପଡିଛି।

ତେବେ ଭୁବନେଶ୍ବରର ପାତ୍ରପଡାରେ ହାତୀ ସୋମବାର ସକାଳୁ ଜଣେ ମହିଳାଙ୍କୁ ଦଳି ଗୁରୁତର କରିଛି। ମହିଳା ଜଣଙ୍କ ଏବେ ଏମ୍ସରେ ଭର୍ତି ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦନ୍ତା ହାତୀ ଆକ୍ରମଣରେ ରବିବାର ପୁରୀ ଜିଲାର ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପିପିଲି ବ୍ଲକର ୩ଜଣ ଓ ନିମାପଡ଼ା ବ୍ଲକର ଜଣେ ଥିବା ଜଣାପଡ଼ିଛି। ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡ଼ା ବ୍ଲକ ଗୋପୀନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ (୫୯), ପିପିଲି ବ୍ଲକ ଚନ୍ଦ୍ରାଦେଈପୁର ମାଟିସାହିର ମକର ପଲେଇ (୬୨), ସଁପୁର ପଞ୍ଚାୟତ ଅନ୍ତର୍ଗତ ରାଜତେଇ ଗ୍ରାମର ଚୈତନ୍ୟ ସାହୁ (୪୧) ଓ ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଜମାଲପୁର ଗ୍ରାମର ଅଜୟ କୁମାର ନାୟକ(୪୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଗତ ୨ଦିନ ହେଲା ଡେଲାଙ୍ଗ ଅଞ୍ଚଳରେ ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଥିଲା। ଶନିବାର ସନ୍ଧ୍ୟାରେ ଉକ୍ତ ହାତୀକୁ ବନ ବିଭାଗ ପକ୍ଷରୁ ସୁରକ୍ଷିତ ଭାବେ ଜଙ୍ଗଲ ଅଭିମୁଖେ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା। ହାତୀଟି ସୁନାମୁଇଁ ଓ ପାଣିଦୋଳ ଜଙ୍ଗଲ ଦେଇ ରାତି ୧୧ଟା ସୁଦ୍ଧା ଦୟାନଦୀ କୂଳରେ କଣାସ ଅଭିମୁଖେ ଯାଉଥିବାବେଳେ ଡେଲାଙ୍ଗ ବେନୁପଡ଼ା ମଠ ନିକଟରୁ ଦିଗ ପରିବର୍ତ୍ତନ କରିଥିଲା। ସେଠାରୁ ଏହି ହାତୀଟି ପୁନର୍ବାର ସୁନାମୁଇଁ ଦେଇ ପିପିଲିର ବାଜପୋଇ ଛକ, ଦାଣ୍ଡମୁକୁନ୍ଦପୁର ନିକଟ ତେଇସିମାଇଲି ଛକ ଦେଇ ଜାତୀୟ ରାଜପଥ ଅତିକ୍ରମ କରି ସଠସ, ଜୁଣୁପଡ଼ିଆ, ରାଜତେଇ, ଚନ୍ଦ୍ରାଦେଈପୁର ଦେଇ ଭାର୍ଗବୀ ନଦୀ ପାର ହୋଇ ଆଜି ଭୋର ସମୟରେ ଗୋପୀନାଥପୁର ଗ୍ରାମର ଜଙ୍ଗଲିଆ ସ୍ଥାନରେ ପହଞ୍ଚିଥିଲା। କେନାଲ ବନ୍ଧକୁ ଶୌଚ ହେବାକୁ ଯାଇଥିବା ଉକ୍ତ ଗ୍ରାମର ଯୁଗଳ କିଶୋର ଭଟ୍ଟ (୫୯)ଙ୍କୁ ହାତୀ ସେଠାରେ ଦଳି ମାରି ଦେଇଥିଲା। ସେଠାରେ ଏକ ଘଣ୍ଟାକାଳ ହାତୀଟି ଆତଙ୍କ ସୃଷ୍ଟି କରିଥିଲା। ଗୋପୀନାଥପୁର ଗ୍ରାମର ବାବନ ପୃଷ୍ଟି (୬୦), ହାଡ଼ିବନ୍ଧୁ ସାହୁ (୫୦)ଓ ତେରହଳ ଗ୍ରାମର ଛବି ଦେଈ(୪୭)ଙ୍କୁ ହାତୀ ଆକ୍ରମଣ କରି ଗୁରୁତର କରିବା ପରେ ପୁନର୍ବାର ନଦୀ ପାର ହୋଇ ଚନ୍ଦ୍ରାଦେଈପୁର ଗ୍ରାମ ଅଭିମୁଖେ ଫେରିଥିଲା। ଚନ୍ଦ୍ରାଦେଈପୁର ମାଟିସାହିର ମକର ପଲେଇ (୬୨)ଙ୍କୁ ହାତୀଟି ଆକ୍ରମଣ କରି ମାରି ଦେଇଥିଲା। ସେଠାରୁ ଲୋକେ
ହାତୀକୁ ଘଉଡ଼ାଇବା ପରେ ହାତୀଟି ନିକଟବର୍ତ୍ତୀ ରାଜତେଇ ଗ୍ରାମର ଗହୀର ବିଲ ମଧ୍ୟରେ ଥିବା ଜଙ୍ଗଲିଆ ସ୍ଥାନକୁ ଚାଲି ଆସିଥିଲା।
ରାଜତେଇ ଗ୍ରାମର ଚୈତନ୍ୟ ସାହୁ (୪୧) ନିଜ ଘର ପଛପଟ ବାରିକୁ ଯାଇଥିବାବେଳେ ହାତୀଟି ତାଙ୍କୁ ଆକ୍ରମଣ କରି ତଳେ କଚାଡ଼ି ଦେବା ସହ ପାଦରେ ତାଙ୍କୁ ଦଳି ଦେଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨ ଘଣ୍ଟା ମଧ୍ୟରେ ହାତୀଟି ୩ଜଣଙ୍କୁ ମାରି ଦେଇଥିଲା। ହାତୀ ଆକ୍ରମଣରେ ଚନ୍ଦ୍ରାଦେଇପୁର ଗ୍ରାମର କାଳନ୍ଦୀ ବେହେରା ଓ ରାଜତେଇ ଗ୍ରାମର ବଳଭଦ୍ର ବେହେରା ଗୁରୁତର ଆହତ ହୋଇଥିଲେ।

ବିଳମ୍ବିତ ରାତିରେ ପିପିଲି-ଜଟଣୀ ରାସ୍ତାର ଭାରତୀପୁର ଛକରେ ମଣିଷମରା ଦନ୍ତା

ଏହି ଖବର ବିଜୁଳି ବେଗରେ ପ୍ରଚାର ହୋଇଯିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ରାଜତେଇ ଗ୍ରାମରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ହାତୀ ଆତଙ୍କକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଖୋର୍ଦ୍ଧା ଡିଏଫ୍‍ଓ ସୁଦୀପ କୁମାର ନାୟକ, ଏସିଏଫ ଗୌରଗୋପାଳ ସିଂ, ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବାଳକାଟିସ୍ଥିତ ବାଲିପାଟଣା ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ, ଡେଲାଙ୍ଗ ରେଞ୍ଜର ଶଶିଭୂଷଣ ବଳିଆରସିଂ, ଟାଙ୍ଗି ଓ ଖୋର୍ଦ୍ଧା ବନ ଅଧିକାରୀଙ୍କ ସମେତ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଆଇଆଇସି ଶରତ କୁମାର ସାହୁ, ବଳଙ୍ଗା ଓଆଇସି ସଞ୍ଜୀବ କୁମାର ପ୍ରଧାନ ପ୍ରମୁଖ ରାଜତେଇ ଗ୍ରାମରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ହାତୀ ଉପରେ ତୀକ୍ଷ୍ମ ନଜର ରଖିଥିଲେ। ହାତୀଟି ରାଜତେଇ ଗହୀର ବିଲ ମଧ୍ୟରେ ଥିବା ଜଙ୍ଗଲିଆ ଅଞ୍ଚଳ ମଧ୍ୟରେ ଚଳପ୍ରଚଳ କରୁଥିବାବେଳେ ବନ ବିଭାଗ ପକ୍ଷରୁ ତା’ର ଗତିବିଧି ଉପରେ ନଜର ରଖାଯିବା ସହ ସମସ୍ତଙ୍କୁ ସତର୍କ ରହିବା ଓ ହାତୀକୁ ବିରକ୍ତ ନକରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ସନ୍ଧ୍ୟାରେ ଉଜ୍ଜ୍ୱଳ ଆଲୋକ ସହ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ମଧ୍ୟରେ ହାତୀଟି ଯେଉଁ ବାଟ ଦେଇ ଆସିଥିଲା, ସେହି ବାଟ ଦେଇ ତାକୁ ସୁରକ୍ଷିତଭାବେ ଜଙ୍ଗଲ ଅଭିମୁଖେ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଜମାଲପୁର ଗ୍ରାମର ଅଜୟ କୁମାର ନାୟକ(୪୫) ହାତୀକୁ ଦେଖିବା ପାଇଁ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିବାବେଳେ ହାତୀଟି ତାଙ୍କ ପେଟ ଭିତରେ ଦାନ୍ତ ପୂରାଇ ଉଠାଇ ତଳେ କଚାଡ଼ି ଦେଇଥିଲା। ଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ରାତି ପ୍ରାୟ ୯ଟା ସମୟରେ ଦେବୀ ଗଳି ନିକଟରେ ହସନପୁର ଗ୍ରାମର ସେକ୍‍ ସମୀର (୨୫)କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ଡାକ୍ତରଖାନା ଓ ପରେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମଳିଛି।
ହାତୀ ଆକ୍ରମଣରେ ମୃତ୍ୟୁ ସମ୍ପର୍କିତ ୨ଟି ଅପମୃତ୍ୟୁ ମାମଲା ବଳଙ୍ଗା ଥାନା ଓ ୨ଟି ଅପମୃତ୍ୟୁ ମାମଲା ପିପିଲି ଥାନାରେ ରୁଜୁ କରାଯିବା ସହ ମୃତଦେହକୁ ପଞ୍ଚାନାମା କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଥିଲା। ସନ୍ଧ୍ୟା ସୁଦ୍ଧା ୩ଟି ମୃତଦେହର ବ୍ୟବଚ୍ଛେଦ ହୋଇଥିବାବେଳେ ପୁଲିସ ମୃତଦେହକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୩ଜଣ ମୃତକଙ୍କ ପରିବାର ବର୍ଗଙ୍କୁ ଅଗ୍ରୀମ ଭାବେ ନଗଦ ୪୦ହଜାର ପ୍ରଦାନ କରାଯାଇଥିବା ଓ ସମସ୍ତ ଆହତଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବାବଦରେ ଅର୍ଥ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ପିପିଲି ବ୍ଲକର ୩ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଓ ଦୁଇଜଣ ଆହତଙ୍କ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ସମ୍ପର୍କରେ ତହସିଲଦାର ସପନ କୁମାର ନନ୍ଦ ସୂଚନା ଦେଇଛନ୍ତି। ଗୁରୁତର ଆହତ ବଳଭଦ୍ର ବେହେରାଙ୍କୁ କଟକ ବଡ଼ ଡାକ୍ତରଖାନା ଓ କାଳନ୍ଦୀ ବେହେରାଙ୍କୁ କ୍ୟାପିଟାଲ ହସ୍‍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ପିପିଲିର ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା ସେମାନଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ସୂଚନା ମିଳିଛି। ଗୁରୁତର ଛବି ଦେଈଙ୍କୁ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି।
ହାତୀଟିକୁ ସନ୍ଧ୍ୟା ପରେ ବନ ବିଭାଗ ପକ୍ଷରୁ ରାଜତେଇ ଜଙ୍ଗଲରୁ ଘଉଡ଼ାଇବାକୁ ଉଦ୍ୟମ କରାଯାଇଥିଲା। ହାତୀଟି ସଁପୁର, ସଠସ, କାହ୍ନପୁର, ନଡ଼ିଆବନ୍ଧ ଗ୍ରାମ ଦେଇ ପିପିଲି ବାଇପାସ୍‌ ରାସ୍ତାର ତରାକାଜ ଓଭରବ୍ରିଜ୍‍ ନିକଟରେ ଜାତୀୟ ରାଜପଥ ଅତିକ୍ରମ କରି ପିପିଲି ପୌରାଞ୍ଚଳ ମଧ୍ୟକୁ ପ୍ରବେଶ କରିଥିଲା। ସେଠାରୁ ହସନପୁର, ଦେବୀଗଳି, ଟିଚର୍ସ କଲୋନୀ, ସେଠୀ ସାହି ଦେଇ ପିପିଲି ଚର୍ଚ୍ଚ ରାସ୍ତାରେ ଗଡ଼ି ସିଦ୍ଧେଶ୍ବର ମନ୍ଦିର, କଲେଜଛକ ଦେଇ ଧାନପୁର ଗହୀର ବିଲରେ କିଛି ସମୟ ଆତଙ୍କ ସୃଷ୍ଟି କରିବା ପରେ ରାତି ୧୧ଟା ସୁଦ୍ଧା ମକରବା ନିକଟରେ ଥିବାଲା।  ହାତୀକୁ କାବୁ କରିବାରେ ବନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ତାକୁ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବାକୁ ଦାବି ହୋଇଛି। ହାତୀ ଆତଙ୍କ ଯୋଗୁଁ ରବିବାର ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ସମଗ୍ର ପିପିଲି ଏନ୍‍ଏସି, ମଙ୍ଗଳପୁର ଓ ଦାଣ୍ଡମୁକୁନ୍ଦପୁର ଫିଡରରେ ବିଦ୍ୟୁତ୍‍ ସରବରାହ ବନ୍ଦ ରହିଥିବାବେଳେ ଶହେରୁ ଅଧିକ ଗ୍ରାମ ସମ୍ପୂର୍ଣ୍ଣ ଅନ୍ଧକାର ରହିଥିଲା। ଲୋକେ ଭୟରେ ପଦାକୁ ବାହାରି ନଥିବା ବେଳେ ଦୋକାନବଜାର ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା।

Comments are closed.