MEllora 950×100

ଡିସେମ୍ବର ୧୫ରୁ ଆରମ୍ଭ ହେବ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ; ବଚ୍ଚନ ଦମ୍ପତି କରିବେ ଉଦ୍‌ଘାଟନ

କୋଲକାତା: ଡିସେମ୍ବର ୧୫ରୁ ଆରମ୍ଭ ହେବ ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ଅଢେଇ ଦଶନ୍ଧି ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି, ଯେତେବେଳେ ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେଉଛି। ଏଥର ବଲିଉଡ ଅଭିନେତା ଅମିତାଭ ବଚ୍ଚନ ପତ୍ନୀ ଜୟା ବଚ୍ଚନଙ୍କ ସହ ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ ସମାରୋହରେ ଯୋଗଦେବେ।

ସୂଚନାଯୋଗ୍ୟ, କରୋନା ମହାମାରୀ ପରଠାରୁ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେଉ ନଥିଲା। ତେବେ ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିବାରୁ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୨୭ତମ ସଂସ୍କରଣ ଏପ୍ରିଲ୍ ୨୫ରୁ ଆରମ୍ଭ ହୋଇ ମେ’ ୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟରେ ଏହି ଉତ୍ସବରେ ୪୦ଟି ଦେଶର ୧୬୩ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏବେ ପୁଣି ଡିସେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ ହେବାକୁ ଯାଉଛି।

ପଶ୍ଚିମବଙ୍ଗ ସରକାର ତଥା ସଂସ୍କୃତି ବିଭାଗ ଦ୍ୱାରା ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେଉଛି। କୁହାଯାଉଛି ଯେ, ଚଳିତ ବର୍ଷର ଉତ୍ସବରେ ନେଟ୍ ପ୍ୟାକ୍ ଆୱାର୍ଡ଼ ସହ ଏହାକୁ ପାଞ୍ଚଟି ବର୍ଗରେ ପ୍ରଦାନ କରାଯିବ। ଏଥିରେ ମୁଭିଂ ଇମେଜ୍‌, ଭାରତୀୟ ଭାଷା ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଗଳ୍ପ ଅନ୍ତର୍ଭୁକ୍ତ।

Comments are closed.