ଓଡ଼ିଶାରେ ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ : ମୃତ ସ୍ତ୍ରୀଙ୍କ କିଡ଼ନୀ ଦାନ କଲେ ସ୍ବାମୀ

ଭୁବନେଶ୍ବର : ଓଡ଼ିଶାରେ ବୁଧବାର ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ ହୋଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମୃତ (ବ୍ରେନ୍‌ ଡେଡ୍‌) ଜଣେ ରୋଗୀଙ୍କ ଶରୀରରରୁ କିଡନୀ ବାହାର କରାଯିବା ପରେ ସଂପୃକ୍ତ ମୃତ ବ୍ୟକ୍ତିଙ୍କ କିଡନୀ ବଞ୍ଚିଥିବା ୨ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ଯାହା ଫଳରେ ଦୁଇ ଜଣ ବ୍ୟକ୍ତି ନୂଆ ଜୀବନ ପାଇ ପାରିଛନ୍ତି।

ସୂଚନା ଅନୁସାରେ, ସୁଚିତ୍ରା ଦାସ ନାମରେ ଜଣେ ରୋଗୀଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁଚିତ୍ରାଙ୍କୁ ହସ୍ପିଟାଲର ୫ମ ମହଲାସ୍ଥିତ ୫୫୦ ନମ୍ବର ଶଯ୍ୟାରେ ଚିକିତ୍ସା କାରାଯାଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ସୁଚିତ୍ରାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ତାଙ୍କର ଅଙ୍ଗଗୁଡ଼ିକ ଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ। ପରିବାର ଲୋକେ ଅଙ୍ଗଦାନ ଲାଗି ସ୍ୱୀକୃତି ଦେବା ପରେ କିଡନୀ ସମସ୍ୟା ଜନିତ ରୋଗରେ ଏବେ ଜୀବନ ସହିତ ସଂଘର୍ଷ କରୁଥିବା ଅନ୍ୟ ଦୁଇ ଜଣ ରୋଗୀଙ୍କ ଶରୀରରେ ଏହାକୁ ପ୍ରତିରୋପଣ କରାଯାଇଛି।

ସୁଚିତ୍ରାଙ୍କ ମୃତ (ବ୍ରେନ୍‌ ଡେଡ୍‌) ପରେ ତାଙ୍କ ଶରୀରରରୁ କିଡନୀ ବାହାର କରାଯାଇ ଗୋଟିଏ କିଡନୀ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ଥିବା ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ସେହିଭଳି ଦ୍ୱିତୀୟ କିଡ଼ନୀଟି ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ଥିବା ଅନ୍ୟ ଜଣେ  ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ସୂଚନା ମିଳିଛି।

Comments are closed.