କିଡ୍‌ନୀ ରାକେଟ ମାଷ୍ଟରମାଇଣ୍ଡ୍‌ ହିମାଂଶୁ, ଲୁଟିଛି ଅଧକୋଟି

ଭୁବନେଶ୍ୱର/ଉତ୍ତର ଭୁବନେଶ୍ୱର: ରାଜଧାନୀରେ କିଡ୍‌ନୀ ରାକେଟ୍ ସକ୍ରିୟ। କିଡ଼ନୀ ଯୋଗାଇବା ଲାଗି ୫୦ ଲକ୍ଷ ଟଙ୍କା ଠକି ନେଇଥିବା ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ ନାଁରେ ଶନିବାର ପୁଣି ୮ଲକ୍ଷ ୫୦ ହଜାର ଟଙ୍କା ଠକେର ଅଭିଯୋଗ ଆସିଛି। କମିଶନରେଟ ପୁଲିସର ନୂଆପଲ୍ଲୀ, ଲକ୍ଷ୍ମୀସାଗର, ମଞ୍ଚେଶ୍ବର ପରେ ଶନିବାର ସହିଦନଗର ଥାନାରେ କେନ୍ଦ୍ରାପଡା ଜିଲା ମାର୍ଶାଘାଇର କୋଶକା ଗାଁର ଆଲୋକ ରଞ୍ଜନ ଚଇନି ଅଭିଯୋଗ କରିଛନ୍ତି। ଆଲୋକ ଜଣେ କିଡ୍‌ନୀ ରୋଗୀ। ୨୦୧୫ ମସିହାରେ କିଡ୍‌ନୀ ପ୍ରତିରୋପଣ ପାଇଁ ତାଙ୍କ ଭଉଣୀ ଫେସବୁକ୍‌କୁ କିଡ୍‌ନୀ ପାଇଁ ପୋଷ୍ଟ କରିଥିଲେ। ହିମାଂଶୁ ଓ ତା’ର ସହଯୋଗୀ ବାଲୁଗାଁର ସଞ୍ଜୟ ପଲାଇ ଆଲୋକଙ୍କୁ କିଡ୍‌ନୀ ଦେବାକୁ କହି ତାଙ୍କ ସହ ଯୋଗାଯୋଗ କରିଥିଲେ। ପରେ ହିମାଂଶୁ ଆଲୋକଙ୍କୁ କଲକାତାର ଏକ ହସ୍‌ପିଟାଲକୁ ନେଇ ପରୀକ୍ଷା ନିରୀକ୍ଷା କରିବା ସହ ଡୋନର ଯୋଗାଡ କରି ଦେବାକୁ କହି ବିଭିନ୍ନ ପର୍ଯ୍ୟାୟରେ ୮ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ। ସେ ସମୟରେ ଆଲୋକ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଗଣମାଧ୍ୟମରୁ ହିମାଂଶୁ ଗିରଫ ଖବର ଜାଣିବା ପରେ ଆଲୋକ ଆଜି ସନ୍ଧ୍ୟାରେ ସହିଦନଗର ଥାନାରେ ହିମାଂଶୁ ଓ ତା’ର ସହଯୋଗୀ ସଞ୍ଜୟ ନାଁରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ହିମାଂଶୁ କିଡନୀ ଡୋନର ଯୋଗାଡ଼ କରିଦେବା ଲାଗି ପ୍ରଲୋଭନ ଦେଖାଇ ୬୪ ବର୍ଷୀୟ ପ୍ରତାପଚନ୍ଦ୍ର ମିଶ୍ରଙ୍କଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା। ଏନେଇ ପ୍ରତାପ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ହିମାଂଶୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହିମାଂଶୁ ଗିରଫ ହେବା ପରେ ସେ ଜଣେ ମହିଳାଙ୍କୁ କିଡ୍‌ନୀ ଦେବାକୁ କହି ତାଙ୍କଠାରୁ ୩ ଲକ୍ଷ ୧୯ ହଜାର ଟଙ୍କା ଠକି ନେଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ମ​‌​‌ଞ୍ଚେଶ୍ବର ଥାନାରେ ଅଶୋକ କୁମାର ନାୟକ ହିମାଂଶୁ ନାଁରେ ୧୮ଲକ୍ଷ ୫୩ ହଜାର ଟଙ୍କାର ଠକେଇ ଅଭିଯୋଗ କରିଥିଲେ। ଏମିତି ହିମାଂଶୁ ନାଁରେ ୩୫ ଲକ୍ଷ ୭୨ ହଜାର ଟଙ୍କା ଠକେଇ ଅଭିଯୋଗ ହେବା ପରେ ତା’ର ଅନ୍ୟ ଜଣେ ସହଯୋଗୀ ସଞ୍ଜୟ ନାଁ ପଦାକୁ ଆସିଛି।

କିଡ୍‌ନୀ ରୋଗୀଙ୍କ ପାଖରେ ପହଞ୍ଚିବା ପାଇଁ ହିମାଂଶୁ ଦଲାଲ ନିଯୁକ୍ତି କରିଥିଲେ। ପ୍ରଥମେ ରୋଗୀଙ୍କ ପାଖରେ ପହଞ୍ଚି ହିମାଂଶୁର ସଫଳତା କାହାଣୀ ଶୁଣାଉଥିଲେ। ରୋଗୀଙ୍କ ମନରେ ଆଶା ସଂଚାର କରିବା ପରେ ହିମାଂଶୁକୁ ରୋଗୀଙ୍କ ସହ ଭେଟ କରୁଥିଲେ। ହିମାଂଶୁ କିଡ୍‌ନୀ ରୋଗୀଙ୍କ ସମ୍ପର୍କୀୟକୁ ଲୁଟିବା ପାଇଁ ତା’ର ଅପରେସନ୍ ଆରମ୍ଭ କରୁଥିଲା। ଅଭିଯୋଗକାରୀଙ୍କ ପାଖରୁ ସଂଗୃହୀତ ତଥ୍ୟକୁ ଅାଧାର କରି ପୁଲିସ ଏହି ସବୁ ଦଲାଲଙ୍କର ତାଲିକା ପ୍ରସ୍ତୁତ କରିଛି। ପୂର୍ବରୁ ସେ ଏକ
ଘରୋଇ ହସ୍ପିଟାଲରେ କାମ କରୁଥିଲା।
ନୂଆପଲ୍ଲୀ ଥାନା ପୁଲିସ ହିମାଂଶକୁ ଗିରଫ ହେବା ପରେ ତା’ ନାଁରେ ଅଭିଯୋଗ ସଂଖ୍ୟା ବଢିଚାଲିଛି। କିଡ୍‌ନୀ ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଲୁଟ ଟଙ୍କା କେଉଁ ବାଟରେ ଉଡାଉଥିଲା, ଏହି ଠକେଇ ମାମଲାର ଚେର କେଉଁଠିକୁ ଲମ୍ବିଛି ଏସବୁର ତଥ୍ୟ ହାସଲ ଲାଗି ପୁଲିସ କୋର୍ଟରେ ହିମାଂଶୁକୁ ତିନିଦିନ ରିମାଣ୍ଡରେ ଆଣିଛି। ହିମାଂଶୁ ନାଁରେ ୪ଟି ଥାନାରେ ଅଭିଯୋଗ ହୋଇଥିବାରୁ ୪ ଥାନାଧିକାରୀ ଅଭିଯୁକ୍ତକୁ ଏକାଠି ବସାଇ ଜେରା କରିବେ। ହିମାଂଶୁର ସହଯୋଗୀ ସଞ୍ଜୟକୁ ଗିରଫ ପାଇଁ ସହିଦନଗର ପୁଲିସ ଏକ ଟିମ ଗଠନ କରି ବାଲୁଗାଁ ପଠାଇଛି। ଆଗକୁ ଏକ ଟିମ ହିମାଂଶୁକୁ ଜେରା କରିବା ପରେ ପୁଲିସ କଲକାତା ଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଭୁବନେଶ୍ବରରୁ କିଡ୍‌ନୀ ରାକେଟ୍‌ କଲକାତାକୁ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଛି।
ରୋଗୀଙ୍କ ଟଙ୍କାରେ ଅୟସ କରୁଥିବା ଅଭିଯୁକ୍ତର ସମ୍ପତ୍ତି ତାଲିକା ଖୋଜିବା ସହ ତା’ର ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବ ପୁଲିସ। ଏତେ ଗୁଡାଏ ଟଙ୍କା ନେଇ କେଉଁଠି ବିନିଯୋଗ କରିଛି। ହିମାଂଶୁର ଡେକୋରେଟ ବେପାର କିଡ୍‌ନୀ ରୋଗୀଙ୍କ ଅର୍ଥରେ ହୋଇଛି କି ନାହିଁ ତା’ର ଖୋଳତାଡ କରିବ। ଏହାସହ ତା’ର ମୋବାଇଲ ଫୋନ ଓ ଲାପ୍‌ଟପ୍‌ରୁ ତା’ର ସହଯୋଗୀଙ୍କ ଠିକଣା ସଂଗ୍ରହ କରିବ।
ଲୁଟିଛି…

Comments are closed.