ଭଗାମୁଣ୍ଡା ଗ୍ରାମରେ କିଡନୀ ରୋଗରେ ୪ ଆକ୍ରାନ୍ତ : ରୋଗୀ ପିଉଛନ୍ତି ନଳକୂପର ଫ୍ଲୋରାଇଡ ପାଣି

ହରଭଙ୍ଗା : ନରସିଂହପୁର, ନୂଆପଡା ପରେ କିଡନୀ ରୋଗୀଙ୍କ ନୂଆ ଠିକଣା ହୋଇଛି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ। ସମ୍ପ୍ରତି ଏହି ବ୍ଲକ ଅଞ୍ଚଳରେ କିଡନୀ ରୋଗ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ଏହି ମାରାତ୍ମକ ରୋଗ ଗ୍ରାମାଚଂଳରେ ବସବାସ କରୁଥିବା ଗରିବ, ଖଟିଖିଆ ଦିନ ମଜୁରୀଆ ପରିବାର ଉପରେ ଦାଉ ସାଜିଛି। ରୋଗ ଚିହ୍ନଟ ପୂର୍ବରୁ ଗରିବ ଶ୍ରେଣୀର ରୋଗୀଟିଏ ଏଠି ସେଠିକୁ ଧାଇଁ ଧାଇଁ ଅକାରଣରେ ପ୍ରାଣ ହାରୁଥିବା ଦେଖିବାକୁ ମିଳିଛି। ଏହି ମାରାତ୍ମକ ରୋଗ ଅଞ୍ଚଳରେ କ୍ରମଶଃ ଦିନକୁ ଦିନ ନିଜର କାୟା ବିସ୍ତାର କରୁଛି। ଏତେ ସବୁ ପରେ ବି ପ୍ରଶାସନ ପକ୍ଷରୁ ରୋଗର ଭୟାବହତା ସାଙ୍ଗକୁ ଆକ୍ରାନ୍ତ ଗାଁରେ ଦୂଷିତ ଫ୍ଲୋରାଇଡ ପାଣି ଉପରେ ସଚେତନତା କରାଯାଉନଥିବାରୁ କିଡନୀ ରୋଗ ବୃଦ୍ଧିର ମୂଳ କାରଣ ବୋଲି ମତପ୍ରକାଶ ପାଉଛି।

ବର୍ତ୍ତମାନ ବ୍ଲକର କୁଶଙ୍ଗ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମର କନ୍ଧ ତଇଳାସାହିରେ କିଡନୀ ରୋଗ ଆତଙ୍କ ସୃଷ୍ଟି କରିଛି। ୪୦ ପରିବାର ବିଶିଷ୍ଟ ଏହି ଗ୍ରାମରେ ବିଗତ ତିନି ବର୍ଷ ମଧ୍ୟରେ କିଡନୀ ରୋଗରେ ନଗେନ୍ଦ୍ର ପ୍ରଧାନ, ସୁନା ପ୍ରଧାନ, ନୀଳ ହାତୀ, ଶଙ୍କର ବାଈ, କୁମୁଦୁନୀ ବାଈ ଭଳି ୫ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ବର୍ତ୍ତମାନ ଏହି ମାରାତ୍ମକ ରୋଗରେ ଗ୍ରାମର ଅନ୍ନପୂର୍ଣ୍ଣା ବେହେରା(୬୦), ସୁରମଣି ଲେଙ୍କା(୫୬), ବୈକୁଣ୍ଠ ହାତୀ(୪୧), ସଦାଶିବ ଧଳ(୫୩)ଭଳି ୪ଜଣ ଗରିବ ଖଟିଖିଆ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଅନ୍ନପୂର୍ଣ୍ଣା ବେହେରା ପାଖରେ ଟଙ୍କାଟିଏ ନଥିବାରୁ ଚିକିତ୍ସାରୁ ବଞ୍ଚିତ ହୋଇ ଭଗବାନ ଭରସାରେ ଘରେ ପଡ଼ିରହିଛନ୍ତି। ସେହିପରି ବୈକୁଣ୍ଠ ହାତୀ ଭଳି ଜଣେ ଦିନ ମଜୁରୀଆ ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଗତ ୩ବର୍ଷ ହେଲା କିଡନୀରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ ଭଗବାନ ଭରସାରେ ଘରେ ପଡ଼ିରହଛନ୍ତି। ଅନ୍ୟ ଦୁଇ ଜଣ ରୋଗୀ ସୁରମଣି ଲେଙ୍କା ଏବଂ ସଦାଶିବ ବାରିକ ଭଳି ରୋଗୀ ଜମି ବାଡି ବନ୍ଧା ପକାଇ କଟକ ଭୁବନେଶ୍ୱର ଭଲି ମେଡିକାଲ ଧାଇଁ ଧାଇଁ ଶେଷରେ ନୟାନ୍ତ ହୋଇ ଅର୍ଥାଭାବରୁ ଘରେ ପଡ଼ିରହିଥିବା ଜଣାପଡ଼ିଛି। ତୁରନ୍ତ ଗରିବ ଶ୍ରେଣୀର ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଗାଁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇଦେବାକୁ ଗ୍ରାମର ଭୀକାରୀ ବାଈ,ଦିବ୍ୟରଞ୍ଜନ ପ୍ରଧାନ,ଶୁଶିଲ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଜାଲ, ବୈକୁଣ୍ଠ ବେହେରା ପ୍ରମୁଖ ଦାବୀ କରିଛନ୍ତି।

 

Comments are closed.