୩୦ଲକ୍ଷ ଦାବିରେ ବ୍ୟବସାୟୀଙ୍କ ପୁଅକୁ ଅପହରଣ : ୩୬ଘଣ୍ଟା ପରେ ଉଦ୍ଧାର, ୪ ଗିରଫ

ଗାଡ଼ି, ଛୁରି, ୫ ମୋବାଇଲ ଜବତ, ପୁଲିସକୁ ବୁଲାଇଲେ ୮୦୦ କିଲୋମିଟର

ଭୁବନେଶ୍ୱର : ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ଯୁବକଙ୍କୁ ଅପହରଣ ପରେ ଅପହରଣକାରୀମାନେ ଛାଡିବା ପାଇଁ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଏ ନେଇ ପୁଲିସରେ ଅଭିେଯାଗ ହେବା ପରେ କମିସନରେଟ ପୁଲିସର ସ୍ବତନ୍ତ୍ର ଦଳ ୩୬ ଘଣ୍ଟା ପରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୪ ଅପହର୍ତ୍ତାଙ୍କୁ ଗିରଫ କରିଛି। ସମ୍ପୃକ୍ତ ଅନ୍ୟ ୩ଜଣ ଫେରାର ଅଛନ୍ତି । ଗିରଫ ୪ ଅଭିଯୁକ୍ତ ହେଲେ ବ୍ରହ୍ମପୁରର ରାମକୃଷ୍ଣ, ସମ୍ବଲପୁର ରେଢାଖୋଲର ସନ୍ତୋଷ କୁମାର ରାଉତ, ନୟାଗଡ ଗୌଡପୁଟର ଜଗବନ୍ଧୁ ପାତ୍ର ଓ ଖଣ୍ଡଗିରି ରଘୁନାଥ ନଗରର ମହମ୍ମଦ ମୁସ୍ତାକ ଅଲ୍ଲୀ। ଏମାନଙ୍କୁ ଅଦାଲତ ଚାଲାଣ କରାଯାଇଛି। ଅଧିକ ତଦନ୍ତ ଲାଗି ସେମାନଙ୍କୁ ୭ଦିନିଆ ଜିମାରେ ଅଣାଯିବ ବୋଲି ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ଆୟୁକ୍ତ କହିଛନ୍ତି ଯେ, ଅଭିଯୁକ୍ତମାନେ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ବ୍ୟବସାୟୀ ରାମରୂପ ଅଗ୍ରୱାଲଙ୍କ ପୁଅ ଇଶାନଙ୍କୁ ଅପହରଣ କରିବା ଲାଗି ପୂର୍ବରୁ ଯୋଜନା କରି ତାଙ୍କ ଗତିବିଧି ଉପରେ ନଜର ରଖୁଥିଲେ । ଘଟଣାଦିନ ଇଶାନ ଘର ନିକଟ ଚା’ ଦୋକାନକୁ ଆସିଥିଲା ବେଳେ ଅଭିଯୁକ୍ତମାନେ ତାଙ୍କ ସହ କଥା ହେବା ଆଳରେ ଅପହରଣ କରି ନେଇଥିଲେ। ସେମାନେ ଇଶାନଙ୍କୁ ନେଇ ଖୋର୍ଦ୍ଧା ଅଭିମୁଖେ ପଳାଇଥିଲେ। ବାଟରେ ସେମାନେ ଇଶାନଙ୍କ ଫୋନରୁ ପରିବାର ଲୋକଙ୍କୁ ଫୋନ କରି ତାଙ୍କ ପୁଅକୁ ଅପହରଣ କରାଯାଇଥିବା କହିବା ସହ ଛାଡିବା ପାଇଁ ୩୦ଲକ୍ଷ ଟଙ୍କା ଦାବି କରିଥିଲେ। ଇଶାନଙ୍କ ବେକରେ ଛୁରି ଲଗାଯାଇଥିବା ଫଟୋ ପରିବାର ଲୋକଙ୍କ ଫୋନକୁ ଛାଡିଥିଲେ। ଏ ନେଇ ରାମରୂପ ଲକ୍ଷ୍ମୀସାଗର ଥାନାରେ ଅଭିେଯାଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସହକାରୀ ଆୟୁକ୍ତ ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଗଠିତ ଦଳ ଅପହରଣକାରୀଙ୍କ ପିଛା କରିଥିଲା। ଶେଷରେ ଅପହରଣକାରୀଙ୍କୁ ନୟାଗଡ ରାଜସୁନାଖଳା ଚୁଡା ଜଙ୍ଗଲ ନିକଟରେ କାବୁ କରିବା ସହ ଇଶାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ ନମ୍ବରବୀହିନ କାର, ଦୁଇଟି ଛୁରି ଓ ୫ଟି ମୋବାଇଲ ଜବତ ହୋଇଛି।
ଅପହରଣକାରୀମାନେ ପୁଲିସକୁ ଭୁଆଁ ବୁଲାଇବା ପାଇଁ ତିନୋଟି ଦଳରେ ବିଭକ୍ତ ହୋଇଥିଲେ। ଗୋଟିଏ ଦଳ ପାଖରେ ଇଶାନ ରହିଥିବା ବେଳେ ଆଉ ଗୋଟିଏ  ଦଳ ପାଖରେ ତାଙ୍କ ଫୋନ ଥିଲା। ଏହି ଫୋନ ଜରିଆରେ ସେମାନେ ଇଶାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଥିଲେ। ଆଉ ଗୋଟିଏ ଦଳ ଇଶାନ ପରିବାର ଉପରେ ନଜର ରଖିଥିଲା । ଅପରହଣକାରୀମାନେ ପ୍ରାୟ ୫୦ଥର ଫୋନ କରି ଟଙ୍କା ଦେବା ପାଇଁ କହି ସ୍ଥାନ ବଦଳାଉ ଥିଲେ। ସେମାନେ କୌଣସି ଗୋଟିଏ ସ୍ଥାନରେ ନ ରହି ଦୁଇଦିନ କାଳ ଇଶାନଙ୍କୁ ଧରି ଖୋର୍ଦ୍ଧା, ବ୍ରହ୍ମପୁର ଓ ନୟାଗଡ ବୁଲିଥିଲେ। ପ୍ରାୟ ୮୦୦ କିଲୋମିଟର ବୁଲିବା ପରେ ରାଜସୁନାଖଳା ନିକଟ ଚୁଡା ଜଙ୍ଗଲ ନିକଟରେ ଧରାପଡିଥିଲେ।
ପୂର୍ବରୁ କରିଥିଲେ ଅପହରଣ
ଅଭିଯୁକ୍ତମାନେ ବ୍ରହ୍ମପୁର ଗୋଳନ୍ଥରା ଥାନା ଅଞ୍ଚଳରୁ ଭୁବନେଶ୍ବରର ଜଣେ ବ୍ୟବସାୟୀଙ୍କୁ ଅପହରଣ କରି ୧୦ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ। ମାତ୍ର କୌଶଳକ୍ରମେ ବ୍ୟବସାୟୀ ଜଣକ ସେମାନଙ୍କ କବଳରୁ ଖସି ଆସିଥିଲେ। ତାଙ୍କ ସହ ମଧ୍ୟ ପୁଲିସ ଯୋଗାେଯାଗ କରିଥିଲା। ତାଙ୍କଠାରୁ ଅପହରଣକାରୀଙ୍କ ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରିଥିଲା। ଯେଉଁ ଫୋନରେ ଅପହରଣକାରୀମାନେ କଥା ହେଉଥିଲେ ତାହାର ଭଏସ ରେକର୍ଡିଂ କରାଯିବା ସହ ବୈଷୟିକ ଯାଞ୍ଚ ମଧ୍ୟ କରାଯାଇଥିଲା। ପୁଲିସ ଅପହରଣକାରୀଙ୍କ ମୋବାଇଲ ଫୋନ ଟ୍ରାକିଂ କରି ସେମାନଙ୍କୁ ପିଛା କରିଥିଲା।
ଧରାପଡ଼ିଲେ କେମିତି
ଅପହରଣକାରୀମାନେ ଇଶାନଙ୍କ ମୋବାଇଲ ବ୍ୟବହାର କରି ତାଙ୍କ ପରିବାର ସହ କଥା ହେଉଥିଲେ। ପୁଲିସର ବୈଷୟିକ ଦଳ ମୋବାଇଲ ଟ୍ରାକିଂ କରି ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଅପହରଣକାରୀଙ୍କୁ ଧରିବା ଲାଗି ପୁଲିସର ୪ଟି ଦଳ ଗଠନ କରାଯାଇଥିଲା। ଗୋଟିଏ ଦଳ ଇଶାନଙ୍କ ବାପାଙ୍କ ସହ ଗାଡିରେ ଯାଉଥିଲା ବେଳେ ଆଉ ଦୁଇଟି ଦଳ ସେମାନଙ୍କୁ ପିଛା କରୁଥିଲା। ଏତଦବ୍ୟତୀତ ମଟର ସାଇକଲରେ ମଧ୍ୟ କିଛି ପୁଲିସ ପିଛା କରିଥିଲେ।ମୋବାଇଲ ଟ୍ରାକିଂ ଜରିଆରେ ପୁଲିସ ଇଶାନଙ୍କୁ ରଖିଥିବା ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା। ଆଉ ଗୋଟିଏ ଦଳ ଇଶାନଙ୍କ ବାପା ରାମରୂପଙ୍କୁ ଫୋନ କରି ଟଙ୍କା ଦାବି କରି ଚାଲିଥିଲେ। ଷେଷରେ ସେମାନେ ରାମରୂପଙ୍କୁ ଏକ ଚା’ ଦୋକାନ ନିକଟରେ ଟଙ୍କା ବ୍ୟାଗ ରଖି ପଳାଇଯିବାକୁ କହିଥିଲେ। ରାମରୂପ ଟଙ୍କା ରଖି ପଳାଇଯିବା ପରେ ଜଣେ ଯୁବକ ସେହି ଟଙ୍କା ନେବାକୁ ଆସିଥିଲେ। ସେ ଆସି ଟଙ୍କା ବ୍ୟାଗ ଉଠାଇଲା ବେଳେ ପୂର୍ବରୁ ଜଗି ରହିଥିବା ପୁଲିସ ତାଙ୍କୁ କାବୁ କରି ନେଇଥିଲା।

Comments are closed.