କରୋନା ସଂକ୍ରମଣମୁକ୍ତ ୮୦ ପ୍ରତିଶତ ଗ୍ରାମ, ସଂକ୍ରମଣକୁ ନେଇ ଖୋର୍ଦ୍ଧା ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ: ଜିଲାପାଳ

ଭୁବନେଶ୍ବର: ଖୋର୍ଦ୍ଧା ଜିଲାର ୮୦ ପ୍ରତିଶତ ଗ୍ରାମ କରୋନା ସଂକ୍ରମଣ ମୁକ୍ତ। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସେସବୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଖୋର୍ଦ୍ଧା ଜିଲାରେ ଉନ୍ନତ ସ୍ବାସ୍ଥ୍ୟ ସେବା ଉପଲବ୍ଧ ରହିଛି। ତେଣୁ କରୋନା ସଂକ୍ରମଣକୁ ନେଇ ଖୋର୍ଦ୍ଧା ଜିଲାବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ପ୍ରକାଶ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ନେଇ ସୂଚନା ଦେଇ ଜିଲାପାଳ ସନତ କୁମାର ମହାନ୍ତି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲାର ୮୦ ପ୍ରତିଶତ ଗ୍ରାମରେ କୌଣସି କରୋନା ସଂକ୍ରମଣ ଦେଖାଯାଇ ନାହିଁ । ଆଜି ସୁଦ୍ଧା ଖୋର୍ଦ୍ଧା ଜିଲାର ମୋଟ୍ ୧୩୫୮ଟି ଗ୍ରାମରୁ ମାତ୍ର ୨୭୬ ଗ୍ରାମ ସଂକ୍ରମିତ ହୋଇଛି । ତେଣୁ ଖୋର୍ଦ୍ଧା ଜିଲାବାସୀ କରୋନା ସଂକ୍ରମଣକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ଖୋର୍ଦ୍ଧା ଜିଲାରେ ୩ଟି କୋଭିଡ୍ ସେଣ୍ଟର କାର୍ଯ୍ୟ କରୁଛି। ପରିସ୍ଥିତିକୁ ଦେଖି ପ୍ରାଇଭେଟ୍ କ୍ଲିନିକ୍ ଓ ହସ୍ପିଟାଲ ଗୁଡ଼ିକରେ କୋଭିଡ୍ କେୟାର ଖୋଲିବା ପାଇଁ ସରକାରଙ୍କ ସହ ଆଲୋଚନା କରିବୁ। ଅନ୍ୟପଟେ ଆଗାମୀ ଦିନରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସବୁପ୍ରକାର ଭିତ୍ତିଭୂମି ଅଛି, ସବୁସ୍ତରରେ କାର୍ଯ୍ୟକୁ ତ୍ୱରାନିତ କରାଯାଉଛି। ତେଣୁ ଆପଣମାନଙ୍କ ସହଯୋଗ ରହିଲେ କରୋନା ମହାମାରୀ ମୁକାବିଲାରେ ଆମେ ବିଜୟ ଲାଭ କରିପାରିବା ବୋଲି ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Comments are closed.