ଖୁଣ୍ଟକଟା ଗୁଳିକାଣ୍ଡ ଘଟଣାରେ ଜଣେ ଗିରଫ

ବାଇକ୍‍, ପିସ୍ତଲ, ଜୀବନ୍ତ ଗୁଳି, ଖୋଖା, ଛୁରା ଜବତ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମରେ ପୂର୍ବ ଶତ୍ରୁତା ଓ ସାମାନ୍ୟ ବଚସାରୁ ଘଟିଥିବା ଫାଙ୍କା ଗୁଳିଚାଳନା ଘଟଣାରେ ସଂପୃକ୍ତ ଜଣେ ଗିରଫ ହୋଇଥିବାବେଳେ ସେମାନେ ବ୍ୟବହାର କରିଥିବା ୨ଟି ବାଇକ୍‍, ୧ଟି ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋଖା ଓ ଗୋଟିଏ ଛୁରା ଜବତ ହୋଇଛି। ଶନିବାର ଘଟିଥିବା ଏହି ଘଟଣାରେ ସଂପୃକ୍ତ ବିଜୟ ନାୟକଙ୍କ ପୁଅ ଜଗୁ ଓରଫ ବିଷ୍ଣୁ ପ୍ରସାଦ ନାୟକ(୨୫)ଙ୍କୁ ପୁଲିସ ଗତକାଲି ରାତିରେ ଅଟକ ରଖିବା ସହ ପଚରା ଉଚୁରା ପରେ ରବିବାର ଗିରଫ କରିଛି । ତା ପାଖରୁ ଗୋଟିଏ ପିସ୍ତଲ, ଚୁରା ଓ ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ୨ଟି ବାଇକ ଓ ଗୋଟିଏ ଖୋଖା ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ମହେନ୍ଦ୍ର ରାଉତଙ୍କ ପୁଅ ପୁଚୁକି ଓରଫ ସୁରେଶ ରାଉତ ଫେରାର ହୋଇଯାଇଥିବାବେଳେ ପୁଲିସ ତାକୁ ଧରିବା ପାଇଁ ତନାଘନା ଚଳାଇଛି । ବିବରଣୀରୁ ପ୍ରକାଶ ଖୁଣ୍ଟକଟା ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପୁଅ ଆଲୋକ କୁମାର ସ୍ୱାଇଁ ଓ ତାଙ୍କ ବଡଭାଇ ରବିନ୍ଦ୍ର ନାଥ ସ୍ୱାଇଁଙ୍କ ପୁଅ ସଂଜୟ ସ୍ୱାଇଁଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ଓ ବଚସା ହୋଇଥିଲା। ପଞ୍ଚାନନଙ୍କ ଘରେ ଅପରାହ୍ନରେ ଜଗୁ ଓ ସୁରେଶ ତାଙ୍କ ଘରେ କେହି ପୁରୁଷ ବ୍ୟକ୍ତି ନଥିବାବେଳେ ଘରେ ପଶି ତାଙ୍କର ୮ବର୍ଷର ପୁଅ ଆଦିତ୍ୟ ମୁଣ୍ଡରେ ବନ୍ଧୁକ ଲଗାଇ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏହି ସମୟରେ ଖବର ପାଇ ପଞ୍ଚାନନ ଓ ତାଙ୍କ ପୁଅ ଆଲୋକ ଆସି ଯିବାରୁ ଜଗୁ ଓ ସୁରେଶ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ପଞ୍ଚାନନ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଲଟା ଆକ୍ରମଣରେ ଜଗୁ ଓ ସୁରେଶ ଗୁରୁତର ଆହତ ହୋଇ ସେଠାରୁ ବାଇକ୍‍ ଛାଡି ଦୌଡି ପଳାଇଥିଲେ। ଏହି ଘଟଣାକୁ ନେଇ ଖୁଣ୍ଟକଟାରେ ଚାପା ଉତ୍ତେଜନା ଲାଗି ରହିଛି।

Comments are closed.