ବେଆଇନ ପଥର ଖାଦାନରେ ୧୪୪ଧାରାକୁ ବିରୋଧ କରି ରେଞ୍ଜରଙ୍କୁ ଦାବି ପତ୍ର ପ୍ରଦାନ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ବନାଞ୍ଚଳ କାର୍ଯ୍ୟାଳୟରେ ସୋମବାର ଶତାଧିକ ପୁରୁଷ ଓ ମହିଳାମାନେ ଶିମିଳିପାଳ ଇକୋ ସେନସିଟିଭ ଜୋନରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଆଇନ ପଥର ଖାଦାନ ଗୁଡିକ ଚାଲୁ କରିବାକୁ ବାରିପଦା ବନଖଣ୍ଡ ଅଧିକାରୀଙ୍କ ଉଦେଶ୍ୟରେ ଡେପୁଟି ରେଞ୍ଜରଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

ସୂଚନା ମୁତାବକ, ସୋମବାର ମଧ୍ୟାହ୍ନରେ ବେଆଇନ ଘୋଷିତ ୧୧ଗୋଟି ପଥର ଖାଦାନ ଅଞ୍ଚଳର ଗ୍ରାମବାସୀମାନେ ଡୁକୁରା ବନାଞ୍ଚଳ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚାହିଁଥିଲେ। ପରେ ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଦେଇଥିଲେ। କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ସାମ୍ନାରେ ଥିବା ଡୁକୁରା ବିଟର ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏନେଇ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟଂ ମଲ୍ଲିକଙ୍କୁ ପଚାରିବାରୁ ରେଞ୍ଜରଙ୍କ ସହିତ ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।
ସୂଚନା ଯୋଗ୍ୟ ଯେ, ବେଆଇନ ଭାବେ ଶିମିଳିପାଳ ଇକୋ ସେନସିଟିଭ ଜୋନରୁ ଲଘୁ ଖଣିଜ ଉତ୍ତୋଳନ, ସେସବୁର ଚୋରା ଚାଲାଣ, ପଥର ବ୍ଲାଷ୍ଟିଂ, ଅବୈଧ କ୍ରସର ସ୍ଥାପନକୁ ଅଟକାଇବାକୁ ପ୍ରଶାସନ ପକ୍ଷରୁ ସେସବୁ ସ୍ଥାନମାନଙ୍କରେ ସମସ୍ତ ପ୍ରକାର ଗତିବିଧି ଉପରେ ନିଷେଧାଦେଶ ଜାରି କରାଯିବା ସହିତ ୧୪୪ଧାରା ଲାଗୁ କରାଯାଇଛି। ସେହି ଅନୁଯାୟୀ, ଶିମିଳିପାଳ ସଂଲଗ୍ନ ଖୁଣ୍ଟା ତହସିଲ ଅଧିନ ବଡପଥରା ଆରଆଇ ସର୍କଲର ବହଳଦା, ଗଭେଇ, ବାଲିପାଳ, ସୁବର୍ଣ୍ଣ ମଞ୍ଜରୀ, ସୋନ ପୋଖରୀ, ଯୋଡିଡିହା, ଡେଙ୍ଗାମ, ଅଣ୍ଡିଆଟିକିରା, ବିପ୍ରଚରଣପୁର ଓ ଭୋଳାଗଡିଆ ଆରଆଇ ସର୍କଲର ଶ୍ରୀରାମପୁର ପଥର ଖାଦାନରେ ୧୪୪ଧାରା ଗତ ଅଗଷ୍ଟ ମାସରୁ ବଳବତ୍ତର ରହିଛି। ତେବେ ତାହାକୁ ଭୃକ୍ଷେପ ନକରି ଉକ୍ତ ଖାଦାନମାନଙ୍କରେ ବେଆଇନ କାର୍ଯ୍ୟ କଳାପ ଜାରି ରହିବା ନେଇ ଖୁଣ୍ଟା ତହସିଲ ଓ ଡୁକୁରା ବନ ବିଭାଗ ପକ୍ଷରୁ ନିକଟରେ ପୃଥକ ଭାବେ ମାମଲାମାନ ରୁଜୁ କରାଯାଇଛି।
ପ୍ରକାଶ ଥାଉ କି, ଶିମିଳିପାଳ ଇକୋ ସେନସିଟିଭ ଜୋନରେ ଚାଲିଥିବା ବେଆଇନ କାର୍ଯ୍ୟକଳାପକୁ ପ୍ରଶାସନିକ ସ୍ତରରେ ବନ୍ଦ କରାଯିବା ଘଟଣାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ ପଥର ଖାଦାନରେ କାମ କରିବା ପାଇଁ ୧୪୪ଧାରା ଉଚ୍ଛେଦ ଦାବି କରିବା ଯେତିକି ଚିନ୍ତାର ବିଷୟ ମନରେଗା ଆଇନରେ ସେମାନେ ଖୁଣ୍ଟା ବ୍ଲକରେ କାମ ନମାଗିବା ସେତିକି ଆଶ୍ଚର୍ଯ୍ୟର ବିଷୟ। ମନରେଗା ଆଇନରେ ବ୍ଲକ କାମ ନ ଯୋଗାଇ ପାରିଲେ ବେକାରୀ ଭତ୍ତାର ସୁବିଧା ଥିବା ବେଳେ ଶିମିଳିପାଳର ଇକୋ ସେନସିଟିଭ ଜୋନରେ ବେଆଇନ ପଥର ଖାଦାନରେ ନିଜ ପାଇଁ ସେମାନେ କାମ ମାଗିବା ବିଷୟଟି ବିଶ୍ୱାସ ଯୋଗ୍ୟ ହେଉନାହିଁ। ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଦେଖାଯିବା ପରିବେଶ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି।

Comments are closed.