ତୃଟିପୂର୍ଣ୍ଣ ଜଳ ଅମଳ ପ୍ରକଳ୍ପ – ଗାଁରେ ପଶିଲା ବର୍ଷା ଜଳ

ଖୁଣ୍ଟା: ଖୁଣ୍ଟା ବ୍ଲକ ବଡପଥରା ଗ୍ରାମ ପଞ୍ଚାୟତର କୁସୁମଘାଟି ଗ୍ରାମରେ ଶୁକ୍ରବାର ବର୍ଷାଜଳ ପଶିଯିବାରୁ ୮ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି। ଲଗାଣ ବର୍ଷା ଫଳରେ ଶୁକ୍ରବାର ଅପରାହ୍ନରେ କୁସୁମଘାଟି ଗ୍ରାମର ଦଶରଥ ସାହିରେ ବର୍ଷା ପାଣି ପଶି ଯାଇଥିଲା। ଏକାଧିକ ଘର ଭିତରେ ପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମ ବାହାରର ବର୍ଷାଜଳ ନଷ୍କାସିତ ମାର୍ଗରେ ଜଳ ବିଭଜିକା ପକ୍ଷରୁ ଏକ ତୃଟିପୂର୍ଣ୍ଣ ଜଳଅମଳ ପ୍ରକଳ୍ପ ନିର୍ମାଣ କରାଯିବା ଦ୍ୱାରା ବର୍ଷା ହେଲେ ବଳକା ବର୍ଷା ଜଳ ନିଷ୍କାସିତ ହୋଇନପାରି ଗ୍ରାମ ମଧ୍ୟକୁ ପ୍ରବାହିତ ହୋଇ ଘର ଭିତରେ ପଶି ଯାଉଛି। ଗ୍ରାମ ବାହାରର ବିସ୍ତୀର୍ଣ୍ଣ ଅଞ୍ଚଳର ବର୍ଷା ଜଳର ପରିମାଣ ଆକଳନ କରିବାରେ ବିଭାଗୀୟ ବିଫଳତାକୁ ଦାୟୀ କରାଯାଇଛି।

ଗ୍ରାମରେ ବର୍ଷା ଜଳ ପଶିବା ଫଳରେ କଚ୍ଚା ଘର ଗୁଡିକର ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଏବିଡିଓ ବସନ୍ତ ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଉଚ୍ଚା ସ୍ଥାନ କିମ୍ବା ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରକୁ ପଠାଯିବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ। ଆଗକୁ ସ୍ଥାୟୀ ସମାଧନ ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରେ ଏକ ଡ୍ରେନ ନିର୍ମାଣ ପାଇଁ ପ୍ରସ୍ତୁତି ସରିଛି ବୋଲି ନିର୍ବାହୀ ଅଧିକାରୀ ହରିହର ପଣ୍ଡା କହିଛନ୍ତି।

Comments are closed.