ବ୍ଲକ ସ୍ତରୀୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଶାଳ ସମାବେଶ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକରେ ଜିଲା ସ୍ତରୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଥାଇ ଉଦଘାଟନ କରିଥିଲେ। ପରେ ବୁଧବାର ମୁଖ୍ୟମନ୍ତ୍ରୀ ଖୁଣ୍ଟା ଯୁକ୍ତଦୁଇ କଲେଜ ପରିସରରେ ସେହି ସମାନ ମଞ୍ଚରୁ ଅନୁରୂପ ଭାବେ ଖୁଣ୍ଟା ବ୍ଲକର ୧୪ ଗୋଟି ପଞ୍ଚାୟତ ପାଇଁ ଆମ ଗାଁ ଆମ ବିକାଶ ମାଧ୍ୟମରେ ସାଢେ ତିନି କୋଟି ଟଙ୍କାର ୧୨୫ଟି ପ୍ରକଳ୍ପକୁ ଅନୁମୋଦନ କରିଥିଲେ। କାର୍ଯ୍ୟକ୍ରମରେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ରାଜନୈତିକ ପର୍ଯ୍ୟବେକ୍ଷକ ଶିବ ପ୍ରସାଦ ପଣ୍ଡା, ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ପୂର୍ବତନ ସାଂସଦ ବିରଭଦ୍ର ସିଂ ଉପସ୍ଥିତ ଥିଲେ। ମୟୂରଭଞ୍ଜ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ତୁଷାରକାନ୍ତ ମହାନ୍ତି ଉପସ୍ଥିତ ଥିବା ବେଳେ ଖୁଣ୍ଟା ବିଡିଓ ଦେବଦତ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଗୋପବନ୍ଧୁ ନଗର ବିଡିଓ ମନୋଜ କୁମାର ବେହେରା, ବଡସାହି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ, ଖୁଣ୍ଟା ଉପାଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡର ସଭ୍ୟ ଯୋଗ ଦେଇଥିଲେ। ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ। ୭୪୧୫୫ ଜନସଂଖ୍ୟା ବିଶିଷ୍ଟ ବ୍ଲକର ୧୪ ଗୋଟି ପଞ୍ଚାୟତ ପାଇଁ ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଗୋଷ୍ଠୀ କେନ୍ଦ୍ର, ମିଶନ ଶକ୍ତି ଗୃହ ନିର୍ମାଣ, ସାଂସ୍କୃତିକ ଗୃହ, କ୍ରୀଡା ଭିତ୍ତି ଭୂମି ନିର୍ମାଣ, ଗାଧୁଆ ତୁଠ ଓ ବସ୍ତ୍ର ବଦଳ ଗୃହ, ଯୁବକ ସଂଘ ପାଠାଗାର, ମହାବିଦ୍ୟାଳୟ ପାଠାଗାର ଆଦି ପ୍ରକଳ୍ପ ଅର୍ନ୍ତଭୁକ୍ତ ଥିଲା। ସର୍ବନିମ୍ନ ପ୍ରକଳ୍ପ ମୂଲ୍ୟ ୨ ଲକ୍ଷ ଟଙ୍କା ହୋଇଥିବା ବେଳେ ସଂଖ୍ୟାଧିକ ପ୍ରକଳ୍ପ ଗୁଡିକ ୩ ଲକ୍ଷ ଟଙ୍କା ଏବଂ ଦୁଇ ଗୋଟି ପ୍ରକଳ୍ପ ୪ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଥିଲା। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାରାଣ୍ଡି ବ୍ଲକବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply