ସଟଡାଉନ ବେଳେ ଚାଲିଥିଲା କୁକୁଡା ଲଢେଇ; ପୁଲିସର ଚଢଉ, ୪୦୦ରୁ ଅଧିକ ଲୋକଙ୍କ ଛତ୍ରଭଙ୍ଗ

୨୩ ବାଇକ ୫ ସାଇକେଲ ଜବତ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ବାସିପିଠା ପଞ୍ଚାୟତର ଖେଜୁରଡିହା ଗାଁ ମୁଣ୍ଡରେ କୋଭିଡ କଟକଣାକୁ ଭୃକ୍ଷେପ ନକରି ବେଆଇନ କୁକୁଡା ଲଢେଇ ଚାଲିଥିବା ବେଳେ ପୁଲିସ ଦ୍ୱାରା ଆତର୍କିତ ଚଢଉ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ସମୟରେ ଘଟଣା ସ୍ଥଳରୁ ୨୩ ଗୋଟି ବାଇକ ସମେତ ୫ଟି ସାଇକେଲ ଜବତ କରାଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ୪ଶହରୁ ଅଧିକ ଲୋକ ଛତ୍ରଭଙ୍ଗ ଦେଇଥିଲେ। ଜବତ ବାଇକର ରେଜିଷ୍ଟ୍ରେସନରୁ ମାଲିକମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବ ବୋଲି ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ କହିଛନ୍ତି। ଘଟଣାରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଖେଜୁରଡିହା ଗାଁ ମୁଣ୍ଡରେ ଜଙ୍ଗଲିଆ ଦୁର୍ଗମ ସ୍ଥାନରେ ରବିବାର ସଟ୍ ଡାଉନ ସମୟରେ କୁକୁଡା ଲଢେଇ ଚାଲିଥିବା ପୁଲିସ ସୂଚନା ପାଇଥିଲା। ସ୍ଥାନୀୟ ପୁଲିସର ଏକ ଦଳ ଘଟଣା ସ୍ଥଳରେ ଚଢଉ କରିବା ସମୟରେ ଲଢେଇ ସ୍ଥଳରେ ଚାରିଶହରୁ ଅଧିକ ଲୋକ ଉପସ୍ଥିତ ଥିଲେ। କୁକୁଡା ଲଢେଇ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାବେଳେ ନିୟମିତ ଭାବେ କେତେକ ବ୍ୟକ୍ତିଙ୍କ ପକ୍ଷରୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ସନ୍ତର୍ପଣରେ କୁକୁଡା ଲଢେଇ କରାଯାଉଛି। କୁକୁଡା ଲଢେଇ ମାଧ୍ୟମରେ ଜୁଆ ଖେଳ କରାଯାଇ ଲକ୍ଷାଧିକ ଟଙ୍କା କାରବାର କରାଯାଉଥିବା ଆଲୋଚନା ହେଉଛି। ଉକ୍ତ ବେଆଇନ କାର୍ଯ୍ୟ ସହିତ ରବିବାର ସଟଡାଉନ ନିୟମକୁ ଭାଙ୍ଗି କୁକୁଡା ଲଢେଇରେ ଏତେ ମାତ୍ରାରେ ଲୋକ ସାମିଲ ହୋଇଥିବା ବେଳେ କୋଭିଡ ସମୟରେ ସରକାରଙ୍କ ସମସ୍ତ ସଚେତନତା ମୂଳକ କାର୍ଯ୍ୟକୁ ସମ୍ପୃକ୍ତ ଲୋକମାନେ ତୁଚ୍ଛ କରିଦେବା ସହ ଗୋଷ୍ଠୀ ସଂକ୍ରମଣ ପାଇଁ ମାର୍ଗ ପ୍ରସ୍ତୁତ କରିଛନ୍ତି କହିଲେ ଅତ୍ୟୁକ୍ତ ହେବନାହିଁ। ସପ୍ତାହକ ମଧ୍ୟରେ କପ୍ତିପଦା ଥାନା ଅଧିନରେ ଅନୁରୂପ ଘଟଣାରେ ବହୁ ବାଇକ୍ ଓ ସାଇକେଲ ଜବତ ହେବା ଓ ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଖବର ଗଣମାଧ୍ୟମରେ ପ୍ରଚାରିତ ହେବା ସତ୍ତ୍ବେ ମୟୂରଭଞ୍ଜ ଜିଲାର ଅନ୍ୟ ପ୍ରାନ୍ତର ଲୋକଙ୍କ ଉପରେ ତାର ପ୍ରଭାବ ଯେ ପଡିଛି, ରବିବାର ଦିନ ଖୁଣ୍ଟା ବ୍ଲକର ଖେଜୁରଡିହା ଘଟଣାରୁ ପ୍ରତିୟମାନ ହେଉନାହିଁ। ପୁଲିସ ଏବେ କୁକୁଡା ଲଢେଇର ଆୟୋଜକମାନଙ୍କୁ ଖୋଜୁଛି। ପୁଲିସ ଏସଆଇ ରନିତା ରାଣୀ ପ୍ରଧାନ, ଏଏସଆଇ ସୌମ୍ୟରଞ୍ଜନ ଭୋଳଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲେ। ଘଟଣା ସ୍ଥଳରୁ ୨୩ ଗୋଟି ବାଇକ୍ ଓ ୫ ଗୋଟି ସାଇକେଲ ଜବତ କରାଯାଇଥିବାବେଳେ ସେଗୁଡିକୁ ଗୋଟିଏ ଟ୍ରାକ୍ଟର, ମିନି ଟ୍ରକ ଓ ୨ଟି ପିକଅପରେ ଲଦି ଥାନା ପରିସରକୁ ନିଆଯାଇଥିଲା। ତେବେ ଦୁର୍ଗମ ସ୍ଥାନ ଓ ଗାଡିରେ ସ୍ଥାନାଭାବ ଯୋଗୁ ଅନେକ ସାଇକେଲ ଘଟଣା ସ୍ଥଳରେ ରହିଯାଇଥିଲା। ଆଗକୁ ପର୍ବ ପର୍ବାଣୀର ଦିନ ଆସୁଥିବାରୁ ଏବେଠାରୁ କୁକୁଡା ଲଢେଇ ଉପରେ ନଜର ନରଖିଲେ ଉକ୍ତ ବେଆଇନ କାର୍ଯ୍ୟକୁ ପ୍ରତିହତ କରାଯାଇପାରିବନି କିମ୍ବା ଜିଲାରେ କୋଭିଡ ସଂକ୍ରମଣ ହାର ଉପରେ ନିୟନ୍ତ୍ରଣ ରହିବନି।

Comments
Loading...