ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପ୍ରେମିକ ଗିରଫ

ଖୁଣ୍ଟା : ମୟୁଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ସହ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପ୍ରେମିକକୁ ପୁଲିସ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଉଦଳା ଥାନା ଅଧୀନ ଭରଡାଡିହି ଗ୍ରାମର ଦେବେନ୍ଦ୍ର ବିନ୍ଧାଣୀ ସହିତ ତାଙ୍କର ବର୍ଷେ ହେବ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଆସନ୍ତା ଫେବୃୟାରୀ ୧୦ ତାରିଖରେ ବିବାହ କରିବ କହି ଦେବେନ୍ଦ୍ର ଗତ ୨ ତାରିଖ ରାତିରେ ବାଇକ ନେଇ ଯୁବତୀଙ୍କୁ ଭେଟିବାକୁ ଗ୍ରାମର ସ୍କୁଲ ନିକଟକୁ ଯାଇଥିଲା। ତେବେ ସେଠାରେ ଦେବେନ୍ଦ୍ର ଯୁବତୀଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ କରିବା ବେଳେ ସେ ଚିତ୍କାର କରିବାରୁ ଗ୍ରାମବାସୀ ମାନେ ପହଞ୍ଚି ଯୁବକକୁ ଧରି ଥିଲେ। ସ୍ଥାନୀୟ ଲୋକେ ଦେବେନ୍ଦ୍ରକୁ ଅଟକ ରଖି ଉଭୟଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବିଳମ୍ବିତ ରାତିରେ ଦେବେନ୍ଦ୍ର ବାଇକ ଓ ମୋବାଇଲ ଛାଡି ଖସି ପଳାଇଥିଲା। ଖୁଣ୍ଟା ଥାନାରେ ଅଭିଯୋଗକାରିଣୀ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ୪ ତାରିଖରେ ମାମଲା ରୁଜୁକରି ବାଇକ ଓ ମୋବାଇଲ ଜବତ କରିବା ସହ ଅଭିଯୁକ୍ତକୁ ବାରିପଦାରୁ ଗିରଫ କରିଥିଲା।

Comments are closed.