ଖୁଣ୍ଟା ବ୍ଲକରେ ତାଲାପକା ଯିବା ଘଟଣାରେ ୪ ଗିରଫ

ଖୁଣ୍ଟା : ଖୁଣ୍ଟା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଯିବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି। ଗିରଫ ମାନେ ହେଲେ ଡୁକୁରାର ଶ୍ରୀଧର ବେହେରା(କଙ୍କ), କୁସୁମଘାଟି ଗ୍ରାମର ସୁକୁରା ବେହେରା (ଟୁନା), ଗୟଳମରା ଗ୍ରାମର ସଞ୍ଜୟ ସାହୁ(ମୁନା), ଖୁଣ୍ଟା ନିକଟସ୍ଥ ପୁରୁଣାପଣିର ଅଙ୍କଜ ମହାପାତ୍ର ( ରୁନା)।

ସୂଚନା ଯୋଗ୍ୟ, ଖୁଣ୍ଟା ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ କରିବା ସହିତ ଶନିବାର ୧୯ ତାରିଖ ଦିନ ବିଜେପି ବିଧାୟକ ପ୍ରକାଶ ସୋରେନଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟକୁ ଅଚଳ କରିଦିଆଯାଇଥିଲା। ବିଧାୟକ ଶ୍ରୀ ସୋରେନଙ୍କ ଉପସ୍ଥତିରେ ବିଜେପିର ଦଳୀୟ କର୍ମକର୍ତ୍ତା, କର୍ମୀ ମାନେ କର୍ମଚାରୀମାନଙ୍କୁ ବାହାରକୁ କାଢିଦେଇ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ବିଡିଓ ସେହିଦିନ ଛୁଟିରେ ଥିବା ବେଳେ ଦୀର୍ଘ ୫ ଘଣ୍ଟା ଧରି ବ୍ଲକର କାମକାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ଓ ଖୁଣ୍ଟା ଆଇଆଇସିଙ୍କ ଉପସ୍ଥିତିରେ ଉପଜିଲାପାଳ ଭଗବାନ ବେହେରା ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ସହିତ ପରବର୍ତ୍ତି ସମୟରେ ଅନିୟମିତତା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ କାର୍ଯ୍ୟାଳୟରୁ ତାଲା ଫିଟାଇ ଦିଆଯାଇଥିଲା। ତାଲା ଫିଟାଯିବା ପରେ ସନ୍ଧ୍ୟାରେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟ ପରିସରରୁ ଚାଲିଯାଇଥିବା ବେଳେ ସେହି ରାତିରେ ଏବିଡିଓ ବସନ୍ତ କୁମାର ପୃଷ୍ଟି ଖୁଣ୍ଟା ଫେରିଆସି ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରବିବାର ରାତିରେ ଅଭିଯୁକ୍ତ ମାନଙ୍କ ଗିରଫଦାରି ଆରମ୍ଭ ହେବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣା ପରେ ଖୁଣ୍ଟା ବ୍ଲକ ରାଜନୀତିରେ ଉଷ୍ଣତା ବୃଦ୍ଧିପାଇଛି।

Comments are closed.