ଘଣ୍ଟାକରେ ମିଳିଲା ଜମି ପଟ୍ଟା

ଖୋର୍ଦ୍ଧା: ଜମି କିଣିବାର ଘଣ୍ଟାକ ମଧ୍ୟରେ କ୍ରେତାଙ୍କୁ ନୂଆ ପଟ୍ଟା ଦେଇ ଖୋର୍ଦ୍ଧା ତହସିଲ ରେକର୍ଡ କରିଛି। ରାଜ୍ୟ ସରକାରଙ୍କ ନୂତନ ଭୂସଂସ୍କାର ଆଇନ ଅନୁଯାୟୀ ଜମି କିଣିବାର ସାତ ଦିନ ମଧ୍ୟରେ ନୂଆ ପଟ୍ଟା ଦେବାକୁ ନିର୍ଦେଶ ଦିଆ ଯାଇଛି। ବୁଧବାର ଖୋର୍ଦ୍ଧା ତହସିଲ କର୍ମଚାରୀଙ୍କ ଉଦ୍ୟମରୁ ଜଣେ ବ୍ୟକ୍ତି ଘଣ୍ଟାଏ ମଧ୍ୟରେ ନୂଆ ପଟ୍ଟା ପାଇଛନ୍ତି। ଭୁବନେଶ୍ୱର ନୀଳଚକ୍ର ନଗରର ସୁଶାନ୍ତ କୁମାର ସେଠୀ ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ମୁକୁନ୍ଦ ପ୍ରସାଦ ମୌଜାରେ ଆଜି ଏକ ପ୍ଲଟ କିଣିଥିଲେ। ଅନଲାଇନରେ ଏହି ବାର୍ତ୍ତା ଖୋର୍ଦ୍ଧା ତହସିଲ କର୍ତ୍ତୃପକ୍ଷ ପାଇଥିଲେ। ଘଣ୍ଟାକ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଦ୍ୟମରେ ପଟ୍ଟା ପ୍ରସ୍ତୁତ ହୋଇ ସୁଶାନ୍ତ କୁମାର ସେଠୀଙ୍କୁ ଦିଆଯାଇଥିଲା। ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁ, ଅତିରିକ୍ତ ତହସିଲଦାର ଡ.ବିଜୟ କୁମାର ସେଠୀ, ରାଜସ୍ୱ ନିରୀକ୍ଷକ କବିରାଜ ସେଠୀ, କୃଷ୍ଣଚନ୍ଦ୍ର ସୁବୁଦ୍ଧି, ଅମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.