MEllora 950×100

ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ, ନିର୍ଯ୍ୟାତନା ବଢ଼ିବାରୁ ସ୍ବାମୀକୁ ମାରିଦେଲା ସ୍ତ୍ରୀ

ଭୁବନେଶ୍ବର: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ ନାଚୁଣୀ ଥାନା ହରିପୁର ଜଙ୍ଗଲରେ ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟାରିଆ ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ହରିପୁର ଜଙ୍ଗଲରେ ଟ୍ରଲି ବ୍ୟାଗରୁ ମୃତଦେହ ମିଳିବା ଘଟଣାରେ ସୂଚନା ଦେଇ କହିଛନ୍ତି ଯେ ମୃତ ମନୋରଞ୍ଜନଙ୍କର ପତ୍ନୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ।

ମିଲି ନିଜ ସମ୍ପର୍କୀୟ ଭାଇ ଓ ସହଯୋଗୀଙ୍କ ଜରିଆରେ ହତ୍ୟା କରିଛି। ମନୋରଞ୍ଜନ ନିୟମିତ ମିଲିକୁ ମାରଧର କରୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ ହତ୍ୟା ଯୋଜନା କରିଥିଲେ ପତ୍ନୀ ମିଲି। ଯୋଜନା ଅନୁସାରେ ଏକ ରଶିରେ ତଣ୍ଟିକୁ ଚିପି ହତ୍ୟା କରାଯାଇଛି। ଏକ ନୂଆ ଟ୍ରଲି ବ୍ୟାଗ କିଣାଯାଇ ସେଥିରେ ମୃତଦେହ ରଖି ଫିଙ୍ଗାଯାଇଛି। ଘଟଣାରେ ପତ୍ନୀ ମିଲି ସହ ୩ଜଣଙ୍କୁ ଗିରଫ କରାଯାଇଛି। ଆଜି ଘଟଣାର ସିନ୍ ରିକ୍ରିଏସନ କରିଛି ପୁଲିସ।

ସୂଚନା ଯୋଗ୍ୟ ଯେ ଗତକାଲି ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ଟ୍ରଲି ବ୍ୟାଗରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ମୃତ ଯୁବକଙ୍କ ନାମ ମନୋରଞ୍ଜନ ମହାପାତ୍ର (୩୫) ବୋଲି ଚିହ୍ନଟ କରାଯାଇଥିଲା।। ସେ ରଣପୁର ଥାନା ଓ ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତ ଅଧୀନ ଲାଖପଡା ଗ୍ରାମର ଗଙ୍ଗାଧର ମହାପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଥିଲା

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଜାରି ରଖିଥିଲା। ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଓ ପୁଲିସ ସଦଳବଳେ ସେଠାରେ ଉପସ୍ଥିତ ରହିଥିଲେ। ବାଲୁଗାଁ ଏସଡିଓ ମାନସ ରଞ୍ଜନ ବାରିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ। ଘଟଣାଟି ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

Comments are closed.