କୁନ୍ଥେଇ କୁନ୍ଥେଇ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ; ୨୦୨୧ ପ୍ରକଳ୍ପ ଶେଷ ଲକ୍ଷ୍ୟ ପୂରଣ ନେଇ ସନ୍ଦେହ

ସୋନପୁର: ଓଡିଶାର ଜୀବନରେଖା କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ସୁବର୍ଣ୍ଣପୁର ଜିଲାରେ କଚ୍ଛପ ଗତିରେ ଚାଲିଥିବା ଦେଖାଯାଇଛି। ୨୦୨୧ ସୁଦ୍ଧା ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଜିଲାରେ କେବଳ ଜମି ଅଧିଗ୍ରହଣ କାର୍ଯ୍ୟ ନିକଟ ଭବିଷ୍ୟତରେ ଶେଷ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ମାଟି ମୁଠା ମଧ୍ୟ ପଡ଼ି ପାରିନଥିବାରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାରୁ ପ୍ରକାଶ ଯେ, ଏହି ପ୍ରକଳ୍ପ ଅଧୀନରେ ରେଳପଥ ପାଇଁ ଜିଲାର ସୋନପୁର ତହସିଲ ଅଧୀନରେ ମୋଟ ୨୭ଟି ରାଜସ୍ୱ ଗ୍ରାମର ୩୮୫.୦୩୨ ଏକର ଜମିର ଆବଶ୍ୟକତା ରହିଥିବା ବେଳେ ତରଭା ତହସିଲର ଅଧୀନରେ ଥିବା ୯ଟି ରାଜସ୍ୱ ଗ୍ରାମର ୫୪୨.୯୦୬ ଏକର ଜମିର ଆବଶ୍ୟକତା ରହିଛି। ଏଥି ମଧ୍ୟରୁ ସୋନପୁର ତହସିଲ ଅଧୀନରେ ଥିବା ସୋନପୁର ଟାଉନ (ୟୁନିଟ ନଂ.୩), ହଳଦିପାଲି, ଡୁମୁରିମୁଣ୍ଡା, ସିଙ୍ଗାରୀ, ସିଙ୍ଗାରୀ (ଅତିରିକ୍ତ), ପିପିଲିପାଲି, ଧୋବାମୁଣ୍ଡା, କୁଲିପାଲି, କୁଲିପାଲି (ଅତିରିକ୍ତ), ସାହାଜପିଟା, ଲକର୍ମା, ବାଲିଜୁରୀ, ଛେପାପାଲି, ବୈଦ୍ୟନାଥ, ନରସିଂହଗଡ, ଖମ୍ବେଶ୍ୱରୀପାଲି, ଛତାପିପଲ, ବାଗଦୁଲି, ଖରଜୁରା ଜଙ୍ଗଲ, ମହୁଲେ, ବାଘପାଲି, ଖରଜୁରା, ଖରଜୁରା (ଅତିରିକ୍ତ), ବଡବାହାଲି, ବଡବାହାଲି (ଅତିରିକ୍ତ), ବହିରଖମନ ଓ ବହିରଖମନ (ଅତରିକ୍ତ) ଆଦି ଗ୍ରାମର ମୋଟ ୩୮୫.୦୩୧ ଡେସିମିଲ ଜମିର ଆବଶ୍ୟକତା ରହିଛି। ତେବେ ଏଥି ମଧ୍ୟରୁ ୩୮୧.୧୪୧ ଡେସିମିଲ ଜମିର ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। କିନ୍ତୁ ଡୁଙ୍ଗୁରିପାଲି ମୌଜାର ୦.୪୦୦ ଡେସିମିଲ ଜମି ଦୁଇ ଥର ଅଧିଗ୍ରହଣ ହୋଇଥିବା ବେଳେ ସିଙ୍ଗାରୀ ମୌଜାରେ ୦.୨୦୦ ଏକର ଜମି ଅଧିକ ଅଧିଗ୍ରହଣ ହୋଇଛି। ସେହିପରି ବୈଦ୍ୟନାଥ ମୌଜାରେ ୦.୨୭୦ ଡେସିମିଲ ଜମି ଦୁଇ ଥର ଅଧିଗ୍ରହଣ ହୋଇଥିବା ବେଳେ ଖରଜୁରା ମୌଜାରେ ମଧ୍ୟ ୦.୧୧୦ ଡେସିମିଲ ଜମି ଓ ବହିରଖମନ ମୌଜାରେ ୦.୦୫ ଡେସିମିଲ ଜମି ଦୁଇ ଥର ଅଧିଗ୍ରହଣ ହୋଇଥିବା ସୂଚନା ମିଳିଛି। ସେହିପରି ତରଭା ତହସିଲ ଅଧୀନର ଅରଖପଦର, ଦଇତପୁର, ଠକପାଲି, ଠକପାଲି (ଅତିରିକ୍ତ), ଝାରତରଭା, ହରିଡାପାଲି, ଜଡାମୁଣ୍ଡା, ଗରଜା, ଶିବତୁଲା ଆଦି ଗ୍ରାମର ମୋଟ ୫୪୨.୯୦୬ ଡେସିମିଲ ଜମିର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୩୯.୦୧୬ ଡେସିମିଲ ଜମି ଅଧିଗ୍ରହଣ ହୋଇଛି। ତେବେ ଗତ ୧୯-୨୦ ଆର୍ଥୀକ ବର୍ଷ ଏହି ରେଳପଥ ପାଇଁ ମିଳିଥିବା ୮୦ କୋଟି ୬୦ ଲକ୍ଷ ୯୨ ହଜାର ୫୫୦ ଟଙ୍କା ମଧ୍ୟରୁ ୩୮ କୋଟି ୭୪ ଲକ୍ଷ ୪୧ ହଜାର ୫୩୭ ଟଙ୍କା ବ୍ୟୟ କରାଯାଇ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ୨୧ ଟି ଗାଁର ୧୯୪.୭୯୯ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯାଇଛି। ସେହିପରି ୨୦-୨୧ ଆର୍ଥୀକ ବର୍ଷରେ ପୂର୍ବ ବର୍ଷର ବଳକା ଟଙ୍କା ସହ ଏହି ବର୍ଷ ମିଳିଥିବା ୩୬ କୋଟି ୭୩ ଲକ୍ଷ ୨୪ ହଜାର ୪୫୬ ଟଙ୍କା ମଧ୍ୟରୁ ଅକ୍ଟୋବର ୩୧ ସୁଦ୍ଧା ୭୭ କୋଟି ୫୬ ଲକ୍ଷ ୮୬ ହଜାର ୦୫୧ ଟଙ୍କା ରେଳପଥ ପାଇଁ ଆବଶ୍ୟକ ଥିବା ୯ ଟି ଗାଁର ୧୪୬.୦୧୨ ଡେସିମିଲ ବ୍ୟକ୍ତିଗତ ଜମି ଅଧିଗ୍ରହଣ କରାଯାଇଛି। କିନ୍ତୁ ଏହି ରେଳପଥ ପାଇଁ ଜମି ଅଧିଗ୍ରହଣ ଏକ ପ୍ରକାର ଶେଷ ହୋଇ ସାରିଥିଲେ ମଧ୍ୟ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉନଥିବା ଦେଖାଯାଇଛି। ଦୀର୍ଘ ମାସ ହେଲା ଅନେକ ଗାଁରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ରେଳପଥ ନିର୍ମାଣ ପାଇଁ ସାମାନ୍ୟ ମାଟି ମୁଠାଏ ପଡ଼ି ପାରିନଥିବା ଦେଖାଯାଇଛି। ବର୍ତ୍ତମାନ କାଁଭାଁ କିଛି ସ୍ଥାନରେ ମାଟି ପକାଇ ବର୍ତ୍ତମାନ କେବଳ ସମତୁଲ କରାଯାଉଥିବାରୁ ୨୦୨୧ ସୁଦ୍ଧା ଜିଲାରେ ଏହି ରେଳପଥର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲାବାସୀ ଦୃଢ ଦାବି କରିଛନ୍ତି।

Comments are closed.