ବାଣପୁର ଘଣ୍ଟଶିଳା ପାହାଡ : ପଥରରୁ ଶୁଭୁଛି ଘଣ୍ଟ ଶବ୍ଦ

ରହସ୍ୟ ଉନ୍ମୋଚନ ପାଇଁ ଭୂତତ୍ତ୍ୱ ବିଭାଗ ଦ୍ୱାରା ପରୀକ୍ଷଣ ଦାବି

ବାଣପୁର : ପଥରକୁ ପଥରରେ ପିଟିଲେ ଆସୁଛି ଘଣ୍ଟି ଶଦ୍ଧ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଣପୁରରେ ଥିବା ଘଣ୍ଟଶୀଳା ପାହାଡରେ। ତେବେ ପାହାଡର କେତେକ ପଥରରେ ଅନ୍ୟ ପଥର ସାହାଯ୍ୟରେ ଆଘାତ କରିଲେ ଏପରି ଶଦ୍ଧ ଆସୁଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଖୋର୍ଦ୍ଧା ଜିଲାର ବାଣପୁର ଏକ ପୁରାତନ ସହର। ଏଠାରେ ରହିଛି ରାଜ୍ୟର ପ୍ରମୁଖ ଶକ୍ତି ପୀଠ ମା’ଭଗବତୀଙ୍କ ମନ୍ଦିର। ମନ୍ଦିରର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି ଘଣ୍ଟଶିଳା ପର୍ବତ। ଲୋକ କଥା ଅନୁଯାୟୀ ବାଣାସୁର ନାମକ ଜଣେ ପ୍ରବଳ ପ୍ରତାପୀ ରାଜା ଏଠାରେ ରାଜୁତି କରୁଥିଲେ। ତାଙ୍କରି ନାମ ଅନୁଯାୟୀ ଏହାର ନାମ ବାଣପୁର ବୋଲି ଲୋକ ଶ୍ରୁତିରୁ ଜଣାଯାଏ। ବାଣପୁର ସହରର ଉତ୍ତର ଦିଗରେ ସୋଲରୀ ପାହାଡ ରହିଥିବା ବେଳେ ଦକ୍ଷିଣ ଦିଗରେ ରହିଛି ଭାଲେରୀ ପାହାଡ। ଏହି ଦୁଇ ପାହାଡ ମଧ୍ୟବର୍ତ୍ତି ସ୍ଥାନରେ ରହିଛି ଘଣ୍ଟଶିଳା ପାହାଡ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବହୁ ଲୋକକଥା ପ୍ରଚଳିତ। ତେବେ ଗତ ନୂଆ ବର୍ଷରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ବଣଭୋଜି କରିବାକୁ ପାହାଡ ଉପରକୁ ଯାଇଥିଲେ। ପାହାଡରେ ଥିବା ଏକ ବଡ ପଥରରେ ଛୋଟ ପଥର ସାହାଯ୍ୟରେ ନିଜ ନାମ ଲେଖିବା ବେଳେ ସେହି ପଥରଟିରୁ ଘଣ୍ଟଭଳି ଶବ୍ଦ ବାହାରିଥିଲା। କୈାତୁହଳରେ ପୁନର୍ବାର ଉକ୍ତ ପଥରକୁ ଅନ୍ୟ ଏକ ଛୋଟ ପଥର ଖଣ୍ଡରେ ପିଟିବାରୁ ସେହିପରି ଘଣ୍ଟ ଶବ୍ଦ ବାହାରିଥିଲା। ଏହି ଘଟଣା ବାଣପୁରରେ ପ୍ରଚାରିତ ହେବାପରେ ଘଟଣାର ସତ୍ୟତା ପରକ୍ଷିବା ପାଇଁ ସେଠାରେ ପ୍ରତ୍ୟହ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଏହା ବାଣାସୁର ଦ୍ୱାରା ବ୍ୟବହୃତ ଘଣ୍ଟିର ଅବଶେଷ ପଥର ଖଣ୍ଡ ବୋଲି କେତେକ ମତବ୍ୟକ୍ତ କରୁଥିବା ବେଳେ ଅନ୍ୟ କେତେକ ଏ’ନେଇ ବିଭିନ୍ନ କିମ୍ବଦନ୍ତିର ଅବତାରଣା କରି ପୈାରାଣିକ କାହାଣୀମାନ ବର୍ଣ୍ଣନା କରୁଛନ୍ତି। ତେବେ ଘଣ୍ଟଶୀଳା ପାହାଡର ପଥରରେ ଧାତବ ଅଂଶ ରହିଛି। ଯେଉଁ ପଥରରେ ଧାତବ ଅଂଶ ଅଧିକା ପରିମାଣର ଥାଏ ତାହାକୁ ଅନ୍ୟ ପଥରରେ ପିଟିଲେ ସେଥିରୁ ଘଣ୍ଟି ଭଳି ଶଦ୍ଧ ବାହାରିଥାଏ ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଧାତୁକୁ ପଥର ଦ୍ୱାରା ଆଘାତ କରିଲେ ସାଧାରଣତଃ ଏପରି ଶଦ୍ଧ ହୋଇଥାଏ, ଏଥିରେ କୈାଣସି ଅଲୈାକିକତା ନାହିଁ ବୋଲି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ଭୂତତ୍ତ୍ୱ ବିଭାଗ ଏହାର ପରୀକ୍ଷଣ କରି ଘଟଣାର ରହସ୍ୟ ଉନ୍ମୋଚିତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Comments are closed.