ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ବାସ୍ଥ୍ୟକର ପରିବେଶ : ଜମା ହୋଇ ରହିଛି ବର୍ଜ୍ୟବସ୍ତୁ

ଖୋର୍ଦ୍ଧା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପରିଚାଳନା ବାଟବଣା ହୋଇପଡିଛି। ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ହୋଇ ରହିଛି। ଫଳରେ ଚିକିତ୍ସାଳୟ ପରିସରରେ ଏକପ୍ରକାର ଅସ୍ବାସ୍ଥ୍ୟକର ପରିେବଶ ସୃଷ୍ଟି େହାଇଛି। ବାରମ୍ବାର ଦାବି ହେବା ପରେ ଚିକିତ୍ସାଳୟ କର୍ତ୍ତୃପକ୍ଷଏକ ଡମ୍ପିଂୟାର୍ଡ ନିର୍ମାଣ କରିଛନ୍ତି। ବ୍ୟବହୃତ ଛୁଞ୍ଚି, ସିରିଞ୍ଜ, ପ୍ଲାଷ୍ଟିକ ବୋତଲ, ରୋଗୀଙ୍କ କଟା ଅଙ୍ଗପ୍ରତ୍ୟଙ୍ଗ ଏବଂ ଅଇଁଠା ଖାଦ୍ୟ ଆଦି ଏହି ଡମ୍ପିଂୟାର୍ଡରେ ଗଚ୍ଛିତ କରାଯାଉଛି।

ମାତ୍ର ଦୀର୍ଘଦିନ ହେବ ଗଦା ହୋଇ ରହିଥିବା ବର୍ଜ୍ୟବସ୍ତୁକୁ ନଷ୍ଟ କରାଯାଉନଥିବାରୁ ଏଥିରୁ ଏବେ ଉତ୍କଟ ଦୁର୍ଗନ୍ଧ ବାହାରୁଛି। ଫଳରେ ଏହି ବାଟ ଦେଇ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ଯାତାୟାତ କରି ପାରୁନାହାନ୍ତି। ବର୍ଜ୍ୟବସ୍ତୁକୁ ନଷ୍ଟ କରିବା ପାଇଁ ଚିକିତ୍ସାଳୟ ପରିସରରେ ଏକ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଭୁବନେଶ୍ୱରର ଏକ ଠିକା କମ୍ପାନୀକୁ ଲକ୍ଷାଧିକ ବ୍ୟୟରେ ବର୍ଜ୍ୟବସ୍ତୁ ନଷ୍ଟ କରିବା ପାଇଁ ଟେଣ୍ଡର ମଧ୍ୟ ଦିଆଯାଇଛି । ମାତ୍ର ବର୍ଜ୍ୟବସ୍ତୁ ନଷ୍ଟ କରିବା ପାଇଁ ନିର୍ମିତ ପ୍ଲାଣ୍ଟରେ ତାଲା ଝୁଲୁଛି। ଦୀର୍ଘ ଦିନ ଧରି ବର୍ଜ୍ୟବସ୍ତୁଗୁଡିକ ଜମା ହୋଇ ରହୁଥିବାରୁ ଏହା ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି। ଅଧିକାଂଶ ସମୟରେ ଡମ୍ପିଂୟାର୍ଡର କବାଟ ଖୋଲା ରହୁଥିବାରୁ ବୁଲାକୁକୁର ମାନେ ଏହା ମଧ୍ୟରେ ପ୍ରବେଶ କରିବା ସହ ଏଥିରୁ ମଣିଷର ବିଭିନ୍ନ କଟାଅଙ୍ଗ ପ୍ରତ୍ୟଙ୍ଗକୁ ଆଣି ଚିକିତ୍ସାଳୟ ପରିସରରେ ପକାଉଥିବାର ଦେଖାଯାଇଛି।

ଡମ୍ପିଂୟାର୍ଡ ନିକଟରେ ରହିଛି ୧୦୦ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ବିଭାଗ । ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଏଠାରେ ଥିବା ମାଆ ଓ ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିେଶଷ କରି ନବଜାତ ଶିଶୁଙ୍କୁ ସଂକ୍ରମଣ ହେବା ଆଶଙ୍କା ରହୁଛି। ଅନ୍ତଃବିଭାଗରେ ରହୁଥିବା ରୋଗୀମାନେ ବାରମ୍ବାର ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।

Comments are closed.