ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବିବେକାନନ୍ଦ

ହାଟଡ଼ିହି : ବଉଳା ଅଞ୍ଚଳର ଜଣେ ସଫଳ ଲୋକ ପ୍ରତିନିଧି ହୋଇ ସାଧାରଣ ଗରିବ ଲୋକଙ୍କ ମନକୁ ଜିଣି ସରପଞ୍ଚ ଓ ସମିତିସଭ୍ୟ ହୋଇ ପାରିଥିବା ବେଳେ ୬ଟି ପୋଖରୀରେ ମାଛଚାଷ କରିବା ଏବଂ ୪ ଶହରୁ ଉର୍ଦ୍ଧ ନଡ଼ିଆଗଛ, ଲେମ୍ବୁ ଗଛ, ଅମୃତଭଣ୍ଡା ଗଛ ଲଗାଇ ସଫଳ ଚାଷୀ ଭାବେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ବିବେକାନନ୍ଦ ରାଉତ(ବାଜୁଆ)। ବାପା ସ୍ୱର୍ଗତ ବିନୋଦ ରାଉତ। ସେ ଏକ ପୋଖରୀ ଖୋଳି ମାଛ ଛାଡ଼ି ଘରର ଆବଶ୍ୟକ ପୂରଣ କରିବା ସହ ବଳକା ମାଛକୁ ବଉଳା ଓ ଖାଦାନ ହାଟରେ ବିକ୍ରି କରିଥାନ୍ତି। ବାପାଙ୍କ ଦ୍ୱାରା ଚାଷରେ ଅନୁପ୍ରାଣିତ ହୋଇ ସେ ବିଲାତି, କଣ୍ଟା ବାଇଗଣ, ଝୋଡ଼ଙ୍ଗ, ସିମ୍ବ ଇତ୍ୟାଦି ଚାଷ କରିଥିଲେ। କିନ୍ତୁ ଖର୍ଚ୍ଚ ତୁଳନାରେ ଲାଭ ହୋଇନଥିଲା। ଫଳରେ ବିଲ ଜମିରେ ପୋଖରୀ ଖୋଳିଥିଲେ। ପୋଖରୀ ଆଡ଼ିରେ ନଡ଼ିଆ ଗଛ ମଧ୍ୟ ଲଗାଇଥିଲେ। ପରେ ପରେ ଅମୃତଭଣ୍ଡା ଗଛ ମଧ୍ୟ ଲଗାଇ ଥିଲେ। କ୍ଷତି ଘଟିବାରୁ ପରିବା ଚାଷକୁ ବନ୍ଦ କରି ପୋଖରୀ ଖୋଳିଥିଲେ। ଧିରେ ଧିରେ ୬ଟି ପୋଖରୀ ଖୋଳିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ପୋଖରୀ ମାଛ ଜାଆଁଳ ପାଇଁ ବ୍ୟବହାର କରିଥିବା ବେଳେ ଅନ୍ୟ ୫ଟିରେ ମାଛ ଚାଷ କରିଥିଲେ। ପ୍ରତି ୩ ମାସରେ ୫୦ ରୁ ୬୦ କ୍ୱିଣ୍ଟାଲ ମାଛ ଉତ୍ପାଦନ କରୁଥିଲେ। ବର୍ଷକୁ ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ କ୍ୱିଣ୍ଟାଲ ମାଛ ବିକ୍ରି କରୁଥିଲେ। କିଛିଦିନ ତଳେ ୟୁ ଟ୍ୟୁବରେ ଏକ ମାଛ ଚାଷ ସମ୍ପର୍କରେ ଦେଖି ଅଳ୍ପ ଖର୍ଚ୍ଚରେ ବାୟୋଫ୍ଲୋକ ସାହାର୍ଯ୍ୟରେ କିଭଳି କମ ଶ୍ରମିକ ଖର୍ଚ୍ଚରେ ଅଧିକ ମାଛ ଉତ୍ପାଦନ ହୋଇ ଲାଭବାନ ହେବେ ସେ ସମ୍ପର୍କରେ ଦେଖିଥିଲେ। ଏହାକୁ ନେଇ ମୟୁରଭଞ୍ଜ ଜିଲାର କୈଳାସ ହିଜାରୀଙ୍କ ଫାର୍ମକୁ ଯାଇ ଏହାକୁ ଦେଖିଥିଲେ। ସେ ପ୍ରତିବର୍ଷ କିଭଳି ୨୫୦ କ୍ୱିଣ୍ଟାଲ ମାଛ ଉତ୍ପାଦନ କରିବେ ସେ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଛଡ଼ା ୫ ଶହରୁ ଉର୍ଦ୍ଧ ନଡ଼ିଆଗଛ ଲଗାଇଛନ୍ତି। ଦୁଇ ଶହରୁ ଉର୍ଦ୍ଧ ଅମୃତଭଣ୍ଡା ଗଛ ଲଗାଇଛନ୍ତି। ହାତୀ ମଧ୍ୟ କିଛି ନଷ୍ଟ କରୁଛନ୍ତି। ଚାଷ ଦ୍ୱାରା ବର୍ଷକୁ ୧୫ଲକ୍ଷ ଟଙ୍କା ଆୟ କରୁଛନ୍ତି। ଏଭଳି ଚାଷ ମାଧ୍ୟମରେ ଶ୍ରମିକ ଲଗାଇ ବୁଦ୍ଧି ଖର୍ଚ୍ଚ କରି ରୋଜଗାର କରି ଚର୍ଚ୍ଚାକୁ ଆସିଛନ୍ତି।

ସେହିପରି ଧୁର୍ନଜୟପୁର ଓ ବାଙ୍ଗୋର ପଞ୍ଚାୟତର ବୁଦ୍ଧିଜୀବୀ ଓ ଗରିବ ଶ୍ରେଣୀର ଲୋକଙ୍କର ମନକୁ ଜିଣି ସଫଳ ଲୋକ ପ୍ରତିନିଧି ହୋଇ ଚର୍ଚ୍ଚାକୁ ଆସିଛନ୍ତି। ବର୍ତମାନ ସେ ବାଙ୍ଗୋର ପଞ୍ଚାୟତର ସମିତିସଭ୍ୟ ଥିବା ବେଳେ ତାଙ୍କ ସ୍ତ୍ରୀ ସୁପ୍ରଭା ରାଉତ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ଧର୍ନୁଜୟପୁର ପଞ୍ଚାୟତରେ ନିଜ ନେତୃତ୍ୱରେ ସରପଞ୍ଚ ହୋଇଥିବା ବେଳେ ଏଥର ନିଜ ସାନଭାଇର ବୋହୁ ଅନପୂର୍ଣ୍ଣା ରାଉତ ସରପଞ୍ଚ , ନିଜ ଭାଉଜ କନକ ରାଉତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଯାହାକୁ ନେଇ ସେ ସଫଳ ଲୋକ ପ୍ରତିନିଧି ଭାବେ ଏହି ବ୍ଲକରେ ଚର୍ଚ୍ଚାକୁ ଆସିଛନ୍ତି। ଏ ସମ୍ପର୍କରେ ବିବେକାନନ୍ଦ ରାଉତ କୁହନ୍ତି ବାପାଙ୍କର ଥିବା ଛୋଟ ପୋଖରୀ ଚାଷରୁ କିଭଳି କମ ଖର୍ଚ୍ଚ ରେ ଲାଭ ହେଉଥିଲେ ତାକୁ ଦୃଷ୍ଟିରେ ରଖି ସେ ମାଛ ଚାଷ ପ୍ରତି ଆକୃଷ୍ଠ ହୋଇଥିଲେ। ସେ ଦୃଷ୍ଟିରୁ ସେ ପୋଖରୀ ୬ଟି ଖୋଳି ଗୋଟିଏ ରେ ଯାଆଁଳ ଚାଷ କରି ଅନ୍ୟ ୫ଟିରେ ମାଛ ଚାଷ କରୁଛି। ଏବେ ବାୟୋଫ୍ଲୋକ ମେଥଡ଼ରେ ଚାଷ କରିବାକୁ ଯାଉଛି। ରାଜନିତି ପରେ ଅବଶିଷ୍ଟ ସମୟ ଏହି ମାଛ ଚାଷ ଓ ନଡ଼ିଆ ଚାଷ ଉପରେ ଧ୍ୟାନ ଦିଆଯାଇ ରୋଜଗାର କରିବାକୁ ପ୍ରୟାସ କରାଯାଇଥିବା ସେ କହିଥିଲେ। ଚାକିରି ପଛରେ ନ ଗୋଡ଼ାଇ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆଧୁନିକ ପ୍ରଣାଳୀରେ ଚାଷ ସହିତ ମାଛ ଚାଷ କଲେ ବେକାରୀ ସମସ୍ୟା ଦୂରୀଭୂତ ହେବା ସହିତ ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି କହିଥିଲେ। ସରକାରୀ ଯୋଜନାରେ ସୁଫଳ ପାଇପାରିନଥିବା ସେ ଅଭିଯୋଗ କରିଥିଲେ। ସରକାରୀ ଅଧିକାରୀଙ୍କ ପଛରେ ଦୌଡ଼ି ଦୌଡ଼ି କିଛି ଲାଭ ହେଉନଥିବାରୁ ସେଥିପ୍ରତି କେବଳ ଖର୍ଚ୍ଚନ୍ତ ହେବା ଛଡ଼ା କିଛି ଲାଭ ନାହିଁ ବୋଲି କହିଥିଲେ। ନିଜର ଇଚ୍ଛା ଶକ୍ତି ଓ ଯୋଜନା ମାଧ୍ୟମରେ କାର୍ଯ୍ୟ କଲେ ସବୁ କ୍ଷେତ୍ରରେ ସଫଳ ହୋଇ ପାରିବ ବୋଲି ସେ କହିଥିଲେ।

Comments are closed.