ବିଲ ମଝିରେ ଯନ୍ତ୍ରଣାରେ ଛଟପଟ ହେଉଛି ଦନ୍ତା ହାତୀ; ଜଗି ରହିଛି ଅନ୍ୟ ଏକ ଦନ୍ତା

କୀଟନାଶକ ପଡ଼ିଥିବା ଫସଲ ଖାଇଥିବା ପ୍ରାର୍ଥମିକ ଆକଳନ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ତ ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ଛକ ଠାରୁ ଅଳ୍ପ ଦୂରରେ ମଲାଗୁଣୀ ନଦୀ ନିକଟ ବାଁବିଲି ମୌଜାରେ ବିଲ ମଧ୍ୟରେ ବୁଧବାର ଏକ ଦନ୍ତା ହାତୀଟି ଯନ୍ତ୍ରଣାରେ ଛଟପଟ ହେଉଛି। ଗହୀର ବିଲ ମଝିରେ ହାତୀଟି ମରଣ ସହ ସଂଗ୍ରାମ କରୁଛି। ଉକ୍ତ ହାତୀଟି ପୋକ ନିୟନ୍ତ୍ରଣ ପାଇଁ ପଡ଼ିଥିବା କୀଟନାଶକ ଯୁକ୍ତ ଫସଲ ଖାଇ ଦେବାରୁ ବିଷ ଜ୍ୱାଳାରେ ଛଟପଟ ହେଉଥିବା ଅନୁମାନ କରାଯାଇଛି।
ପ୍ରାଣୀ ଚିକିତ୍ସକ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବନରଖିମାନେ ପହଞ୍ଚି ହାତୀ ମୁହଁରେ ପାଣି ମାଡ଼ କରୁଥିବା ଦେଖିବାକୁ ମିଳିଛି। ହାତୀ ପାଖରେ ଅନ୍ୟ ଏକ ଦନ୍ତା ହାତୀ ଜଗି ରହିଛି। ବିଷକ୍ରିୟା କାରଣରୁ ଦନ୍ତା ହାତୀଟି ମଧ୍ୟ ଦୌଡ଼ି ପାରୁନଥିବା ସନ୍ଦେହ କରାଯାଉଛି। ଶହ ଶହ ଲୋକେ ସେହି ସ୍ଥାନରେ ଏକଜୁଟ ହୋଇଛନ୍ତି। ଏହାସହ ଟାଙ୍ଗୀ ଓ ନିରାକାରପୁର ପ୍ରାଣୀ ଚିକିତ୍ସକମାନେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ, ବାଁବିଲି ମୌଜାରେ ବହୁତ ଚାଷୀ ରବି ଫସଲ କରିଛନ୍ତି। କଖାରୁ ବିଲରୁ ହାତୀଟି ପଡ଼ିଉଠି ଯାଇଥିବା ଚିହ୍ନରୁ ସ୍ପଷ୍ଟ ହେଉଛି। ମାତ୍ର ଏଯାବତ କେଉଁ କାରଣରୁ ହାତୀଟି ଏପରି ଛଟପଟ ହେଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.