ପାଣି ଛାଡିବାର ଚାରି ଦିନ ବିତିଗଲା, ହେଲେ କ୍ଷୟକ୍ଷତି ଆକଳନ ପାଇଁ ଅଧିକାରୀଙ୍କ ଦର୍ଶନ ମିଳିଲାନି

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକର ନରଣଗଡ଼ ପଞ୍ଚାୟତର ନରଣଗଡ଼, କୁରୁମପଡା, ମେଦିନୀ,ବଳପୁର,ଧବଳପୁର,ଓରମୀ,ମାନପୁର ଓ ବ୍ରଜମୋହନପୁର ଗ୍ରାମ ପଞ୍ଚାୟତର ଶରଧାପୁର,ସଢେଇଗଡ଼ ଏବଂ ଓରବରସିଂହ ପଞ୍ଚାୟତର ଓରବରସିଂହ, କୃଷ୍ଣପୁର, ମଶାଣିଆ, ରାୟପୁର, ଡିହଖଳା, ହିରିମୁଳ, ଲେଖନପୁର ଇତ୍ୟାଦି ମୌଜାର ଚାଷ ଜମିରୁ ବନ୍ୟା ଜଳ ଛାଡିବା ପରେ ଶହ ଶହ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ବିଡମ୍ବନା ବିଷୟ ଉକ୍ତ ଗ୍ରାମ ଗୁଡିକରୁ ଚାରିଦିନ ହେଲା ବନ୍ୟା ଜଳ ଛାଡିଥିଲେ ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ କୌଣସି ଅଧିକାରୀ ଯାଇନଥିବା ଅଭିଯୋଗ ହେଉଛି। ଏପରିକି କୁରୁମପଡାର ୬୫ବର୍ଷୀୟ ଚାଷୀ ବିପିନ ରାଉତରାୟଙ୍କ ପରିବା ଫସଲ ଧୋଇ ହୋଇଯାଇଥିବା ବେଳେ ୬୬ବର୍ଷୀୟ ଦିବ୍ୟସିଂହ ବିଶ୍ୱାଳଙ୍କ କଚ୍ଚା ଘର ଭାଙ୍ଗିବା ସହିତ ପନିପରିବା ଫସଲ ଉଜୁଡିଯାଇଛି।ଏନେଇ ଦିବ୍ୟସିଂହ ବିଶ୍ୱାଳ କୁହନ୍ତି ବନ୍ୟା ପାଣି ଛାଡିବାର ଚାରି ଦିନ ବିତିଲାଣି ହେଲେ କ୍ଷୟକ୍ଷତି ଆକଳନ ପାଇଁ କୌଣସି ଅଧିକାରୀଙ୍କ ଦେଖାନାହିଁ।ତେଣୁ ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ଲାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀ ଓ ଭାଙ୍ଗିଯାଇଥିବା କଚ୍ଚା ଘରକୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇଦେବା ପାଇଁ ଦାବି କରିଛନ୍ତି।

ସୂଚନା ଯୋଗ୍ୟ ଅଗଷ୍ଟ ଶେଷ ସପ୍ତାହରେ ହୀରାକୁଦ ଜଳଭଣ୍ଡାରର ଗେଟ ଖୋଲାଯିବା ପରେ ।ହୀରାକୁଦ ପାଣି ମହାନଦୀରେ ପଶିଲା।ଫଳରେ ମହାନଦୀର ପଛୁଆ ପାଣି ରାଜ୍ୟର ବିଭିନ୍ନ ଶାଖା ନଦୀରେ ପ୍ରଭାହିତ ହୋଇଥିଲା।ଏହାଦ୍ୱାରା ବିଭିନ୍ନ ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଦ୍ୱାରା ଅନେକ ଅଞ୍ଚଳରେ ବିଭିନ୍ନ ଗାଁ କୁ ରାସ୍ତା ବିଛିନ୍ନ ହୋଇପଡିଥିଲା। ଏପରିକି ଦୀର୍ଘ ଦିନ ଧରି ବନ୍ୟା ଜଳ ନକମିବାରୁ ଅନେକ କଚ୍ଚା ଘର ଭାଙ୍ଗିବା ସହିତ ଚାଷଜମି ନଷ୍ଟ ହୋଇଛି।

Comments are closed.