ପହିଲାରୁ ଖରିଫ ଧାନ କିଣା

ଚାଷୀଙ୍କୁ ୪୮ଘଣ୍ଟାରେ ଦେୟ ପ୍ରଦାନ ନିର୍ଦେଶ, ପଞ୍ଜିକୃତ ଚାଷୀ ସଂଖ୍ୟା ୧୪.୯୭ଲକ୍ଷ

ଭୁବନେଶ୍ବର : ଖରିଫ ଋତୁ ଧାନ ଆସନ୍ତା ନଭେମ୍ବର ପହିଲାରୁ କିଣା ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଚାଷୀ ପଞ୍ଜୀକରଣରେ ୨୧ ଭାଗ ବୃଦ୍ଧି ଘଟିଛି। ଚାଷୀଙ୍କୁ ଧାନ କିଣାର ୨୪ରୁ ୪୮ଘଣ୍ଟା ଭିତରେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟ ପଇଠ ପାଇଁ ନିର୍ଦେଶ ଦିଆଯାଇଛି।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଶାସନ ସଚିବ ବୀରବିକ୍ରମ ଯାଦବ କହିଥିଲେ ଯେ, ଗତଥର ଧାନ ବିକ୍ରି ପାଇଁ ୧୨.୩୫ ଲକ୍ଷ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ଚଳିତବର୍ଷ ଏହା ୧୪.୯୭ ଲକ୍ଷକୁ ବୃଦ୍ଧି ପାଇଛି; ଯାହାକି ଗତବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ। ସେହିପରି ନାମମାତ୍ର, କ୍ଷୁଦ୍ର ଓ ନିମ୍ନ-ମଧ୍ୟମ ଚାଷୀ ପଞ୍ଜୀକରଣରେ ଯଥାକ୍ରମେ ୨୧,୨୨ ଓ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତବର୍ଷ ପି-ପାସ ସଫ୍ଟୱେର ପ୍ରୟୋଗ କରି ଅନଲାଇନ ବ୍ୟବସ୍ଥାରେ ଧାନ ସଂଗ୍ରହ ଓ ମୂଲ୍ୟ ପୈଠ ପାଇଁ ବୈଠକରେ ସ୍ଥିର ହୋଇଥିଲା। ପି-ପାସ ସଫ୍ଟୱେରକୁ ଚାଷୀମାନଙ୍କ ନିମନ୍ତେ ଅଧିକ ସରଳ ଓ ସୁରକ୍ଷିତ କରିବାକୁ ମୁଖ୍ୟ ଶାସନ ସଚିବ କହିଥିଲେ। ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୋନପୁର ଆଦି ୧୧ଟି ଜିଲାରେ ୨୨୪ଟି ମହିଳା ଏସଏଚଜି ଧାନ ସଂଗ୍ରହରେ ସାମିଲ ହେବେ। ଧାନ କିଣା କେନ୍ଦ୍ର ଓ ମଣ୍ଡିରେ ମୌଳିକ ସୁବିଧା ସୁନିଶ୍ଚିତ କରାଯିବ। ଅଧିକ ସଂଖ୍ୟକ ପ୍ରାଥମିକ କୃଷି ସମବାୟ ସମିତି ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କାମରେ ସାମିଲ କରାଯିବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ଗୁଡ଼ିକ ସଂଗ୍ରହ ଦିନ ଧାର୍ଯ୍ୟ କରିବେ। ଚଳିତବର୍ଷ ୨୮୫୭ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହେବେ। ବର୍ତ୍ତମାନ ପର୍ଯ୍ୟନ୍ତ ୩୩୩୭ଟି ମଣ୍ଡି ଖୋଲିବା ପାଇଁ ପ୍ରସ୍ତୁତି ହୋଇଛି ଏବଂ ୧୩୧୫ କଷ୍ଟମ ମିଲର ଧାନ କିଣିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Comments are closed.