ନଭେମ୍ବର ୫ରୁ ଖରିଫ ଧାନ ସଂଗ୍ରହ : ୩ଦିନରେ ଚାଷୀଙ୍କୁ ଧାନ ଟଙ୍କା

0

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ  ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ଚଳିତ ବର୍ଷ ୫୫ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରୁ ୩୭ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହେବ। ପଞ୍ଜିକୃତ ଚାଷୀଙ୍କ ଠାରୁ ଅଧିକ ଧାନ ଆସିଲେ ତାକୁ ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। ଧାନ ବିକ୍ରିର ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେମାନଙ୍କ ପ୍ରାପ୍ୟ ଜମାହେବ। ସର୍ବାଧିକ ତିନିଦିନ ମଧ୍ୟରେ ଚାଷୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇବେ ତା ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀ, ଭାଗ ଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ଚାଷୀ ଅମଳ କରୁଥିବା ଧାନରୁ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିମନ୍ତେ ବର୍ଷକର ଖାଦ୍ୟ ପାଇଁ ମୁଣ୍ଡପିଛା ୩କ୍ୱିଣ୍ଟାଲ ରଖି ବଳକା ଧାନ ବିକ୍ରି କରିବା ବ୍ୟବସ୍ଥା ଥିଲା। ଏଥର ତାହା ଉଠାଇ ଦିଆଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ।

ପୂର୍ବରୁ ଗତ ମାସରେ ରାଜ୍ୟ କ୍ୟାବିନେଟ ବୈଠକରେ ୨୦୧୮-୧୯ ଖାଦ୍ୟ ଓ ସଂଗ୍ରହ ନୀତିକୁ କ୍ୟାବିନେଟ ମଞ୍ଜୁରି ମିଳିଥିଲା। ତେବେ ଚଳିତ ବର୍ଷ ସଂଗୃହୀତ ହେବାକୁ ଥିବା ୩୭ଲକ୍ଷ ମେଟ୍ରିକ ଟନ ଚାଉଳରୁ ୨୩ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯିବ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରାଯିବ। ଖାଦ୍ୟ ନିଗମ ଏହାକୁ ବାହାର ରାଜ୍ୟକୁ ସେମାନଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର ପାଇଁ ପଠାଇବେ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ନଭେମ୍ବରରୁ ୨୦୧୯ ଏପ୍ରିଲ ପର୍ଯ୍ୟନ୍ତ ଖରିଫ ଧାନ ଏବଂ ୨୦୧୯ ମେ’ରୁ ଜୁନ ପର୍ଯ୍ୟନ୍ତ ରବି ଧାନ ସଂଗ୍ରହ କରାଯିବ। ଭାରତ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଅନୁଯାୟୀ ଚାଷୀ ସାଧାରଣ ଧାନ କ୍ୱିଣ୍ଟାଲ ପିଛା ୧୭୫୦ଟଙ୍କା ଏବଂ ଗ୍ରେଡ ଏ ଧାନ ପିଛା ୧୭୭୦ଟଙ୍କା ପାଇବେ। ଅନଲାଇନ ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ।

ଏଥର ପୂର୍ବବର୍ଷ ପରି ରାଜ୍ୟର ସମସ୍ତ ୩୦୮ଟି ଧାନସଂଗ୍ରହକାରୀ ବ୍ଲକରେ ସଂଗ୍ରହ ପ୍ରକ୍ର୍ରିୟା ପି-.ପାସ ମାଧ୍ୟମରେ ପରିଚାଳିତ ହେବ। ଅଭାବୀ ଧାନ ସଂଗ୍ରହକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଓ ସଂଗ୍ରହକାରୀ ସଂସ୍ଥାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ପୂର୍ବ ବର୍ଷର ଶତ ପ୍ରତିଶତ ଚାଉଳ ଫେରସ୍ତ କରିନଥିବା ମିଲରଙ୍କୁ ଏଥର ଧାନ ସଂଗ୍ରହ ବ୍ୟବସ୍ଥାରୁ ବାଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଗତ ଧାନ ସଂଗ୍ରହ ବର୍ଷ(୨୦୧୭-୧୮)ରେ ୫୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତେବେ ମରୁଡି, ଅଦିନିଆ ବର୍ଷା ପାଇଁ ଧାନ ସଂଗ୍ରହ ପ୍ରଭାବିତ ହେବା ହେବା ଯୋଗୁଁ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରିନଥିଲା। ଏହି ବର୍ଷ ୪୯.୦୬ଲକ୍ଷ ମେଟ୍ରିକ ଟନ ଧାନ ସଂଗୃହୀତ ହୋଇଥିଲା। ଏଥିରୁ ୩୩.୨୧ ଲକ୍ଷ ମେଟ୍ରିକ ଟନ ଚାଉଳ ଉପଲବ୍ଧ ହୋଇଥିଲା।

Leave A Reply