ମନେ ପଡ଼େ… ସମ୍ରାଟ୍‍ ଖାରବେଳ ବିଜୁବାବୁ ଓ ପ୍ରଶାନ୍ତ ନନ୍ଦ

୧୯୯୧ ମେ ମାସରେ ଲୋକସଭା ନିର୍ବାଚନ ହେଉଥାଏ। ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କଳାହାଣ୍ଡି ଜିଲାରେ ଜନତା ଦଳର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥାଆନ୍ତି। ସେହି ସମୟରେ ଆମେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କୁ ଆମନ୍ତ୍ରଣ କରି ସିନେକ୍ରିଟିକ୍‍ ଉତ୍ସବର ଆୟୋଜନ କରିଥିଲୁ। ବିଜୁବାବୁଙ୍କୁ ଟେଲିଫୋନ୍‍ରେ ଏ ସମ୍ପର୍କରେ ଜଣାଇବା କ୍ଷଣି ସେ କଳାହାଣ୍ଡିରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସମ୍ମତି ଜଣାଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମେ ୩୧ ତାରିଖ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଦର୍ଶକ, ଶ୍ରୋତା, କଳାକାର ଓ ଟେକ୍ନିସିଆନ୍‍ଙ୍କ ଉପସ୍ଥିତିରେ ଭରପୂର ହୋଇଥିବାବେଳେ ବିଜୁବାବୁ ନିର୍ଦ୍ଧାରିତ ସମୟର ପାଞ୍ଚ ମିନିଟ୍‍ ପୂର୍ବରୁ ଉତ୍ସବସ୍ଥଳରେ ପହଞ୍ଚି ସିଧା ମଞ୍ଚ ଉପରକୁ ଚାଲିଗଲେ। ସ୍ୱାଭିମାନୀ ବିଜୁବାବୁ କୌଣସି ସମୟରେ ଭିଆଇପି ପ୍ରକୋଷ୍ଠରେ ଅନ୍ୟ କୌଣସି ଅତିଥିଙ୍କ ଭଳି ବସିବାର ବ୍ୟକ୍ତି ନଥିଲେ। ସେ ପହଞ୍ଚିବା ମାତ୍ରେ ଉତ୍ସବ ଆରମ୍ଭ ହୋଇଯାଉଥିଲା। ମାତ୍ର ମଞ୍ଚରେ ମିନାକ୍ଷୀ ବିଳମ୍ବରେ ପହଞ୍ଚିବାରୁ ବିଜୁବାବୁ ହସ ହସ ମୁହଁରେ ପ୍ରଶ୍ନ କରିଥିଲେ, ଏତେ ବିଳମ୍ବ କାହିଁକି? ଏହା ଶୁଣି ଅଭିନେତ୍ରୀ ମିନାକ୍ଷୀ ହୋଟେଲ୍‍ ଆଗରେ ଭିଡ଼ କଥା ତାଙ୍କୁ ଜଣାଇ ଦୁଃଖ ପ୍ରକାଶ କରିଥିଲେ। ସିନେକ୍ରିଟିକ୍‍ ପକ୍ଷରୁ ମିନାକ୍ଷୀ ଓ ତାଙ୍କ ମା’ଙ୍କ ପାଇଁ ଦୁଇଟି ସମ୍ବଲପୁରୀ ଶାଢ଼ି ବନ୍ଧା ହୋଇଥିବା ଏକ ପ୍ୟାକେଟ୍‍କୁ ବିଜୁବାବୁ ନିଜେ ଦୁହିଁଙ୍କୁ ପ୍ରଦାନ କରିଥିଲେ। ତା’ ପରଦିନ ସେହି ଶାଢ଼ି ପିନ୍ଧି ପୁରୀକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ମିନାକ୍ଷୀଙ୍କୁ ବିଜୁବାବୁ କହିଥିଲେ।
ଆଉ ଦିନକର କଥା। ସିନେକ୍ରିଟିକ୍‍ ପୁରସ୍କାର ପ୍ରଦାନ ସହ ପ୍ରସିଦ୍ଧ ଅଭିନେତା ତଥା ନିର୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ଜୀବନର ରୌପ୍ୟ ଜୟନ୍ତୀ ପାଳନ ଲାଗି ସ୍ଥିର ହେଲା। ସବୁଥର ଭଳି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସଚିବାଳୟ ପ୍ରକୋଷ୍ଠରେ ଭେଟି ନିମନ୍ତ୍ରଣ କରିବାକୁ ଗଲୁ। ଆମେ ତାଙ୍କ ପ୍ରକୋଷ୍ଠରୁ ବାହାରି ଆସୁଛୁ, ହଠାତ୍‍ ପଛରୁ ଡାକି ପଚାରିଲେ- ପ୍ରଶାନ୍ତ ନନ୍ଦ ସିଲଭର ନାଇଟ୍‍ କ’ଣ। କିଏ ସେ ପ୍ରଶାନ୍ତ ନନ୍ଦ? ଆମେ ବିଜୁବାବୁଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଆଗଧାଡ଼ିର ବ୍ୟକ୍ତିତ୍ୱ ଶ୍ରୀ ନନ୍ଦଙ୍କ ସମ୍ପର୍କରେ ସବୁ ବିଷୟ ଜଣାଇଲୁ। ତାଙ୍କ ଚଳଚ୍ଚିତ୍ର ଜୀବନରେ ୨୫ବର୍ଷ ପୂରି ଯାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି କହିଲୁ। ଏଥିସହିତ ସେ ମହାନ୍‍ ଓଡ଼ିଆ ବୀର ସମ୍ରାଟ ଖାରବେଳଙ୍କ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲୁ। ଏହି କଥା ପଦକ ବିଜୁବାବୁଙ୍କୁ ଖୁବ୍‍ ଆନନ୍ଦ ଦେଇଥିଲା ଏବଂ ଆହୁରି ଖୁସି ହୋଇ ଉତ୍ସବକୁ ଆସିବେ ବୋଲି କହିଥିଲେ। ରାଜ୍ୟସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ମନୋନୟନ ନେଇ ବରିଷ୍ଠ ମନ୍ତ୍ରୀ ଓ ଦଳୀୟ ନେତାଙ୍କ ସହ ବିଜୁବାବୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିମଗ୍ନ ଥିଲେ ଏବଂ ଉତ୍ସବ ବିଷୟ ସେ ପୂରା ଭୁଲି ଯାଇଥିଲେ। ପରେ ବୈଠକର ଦାୟିତ୍ୱ ଅନ୍ୟ ଉପରେ ନ୍ୟସ୍ତ କରି ନିଜେ ଚଳଚ୍ଚିତ୍ର ଉତ୍ସବକୁ ଚାଲିଆସିଲେ। ସମସ୍ତ ପୁରସ୍କାର ନିଜେ ବାଣ୍ଟିବା ସହ ଉତ୍ସବରେ ଦୁଇଘଣ୍ଟା ଧରି ଉପସ୍ଥିତ ଥିଲେ। ସେଦିନ ଉତ୍ସବରେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପ୍ରଶାନ୍ତ ନନ୍ଦ ଖାରବେଳଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜାଣି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାରେ ପୋତି ପକାଇ ସବୁପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ।
କଳିଙ୍ଗ ସମ୍ରାଟ୍‍ ଖାରବେଳଙ୍କ ବୀରତ୍ୱ ଓ ସାହସ ବିଜୁ ବାବୁଙ୍କୁ କିପରି ଉଦ୍‍ବୁଦ୍ଧ ଓ ଅନୁପ୍ରାଣିତ କରିଥିଲା, ସେଦିନ ସେହି ଉତ୍ସବରେ ପ୍ରତିଫଳିତ ହୋଇଥିଲା।

– ଦିଲୀପ ହାଲି, ସିନେ ସମୀକ୍ଷକ

Comments are closed.