ଖପ୍ରାଖୋଲରେ ଆରମ୍ଭ ହେଲା ସାପ୍ତାହିକ ହାଟ

ଖପ୍ରାଖୋଲ: କରୋନା ପାଇଁ ଦୀର୍ଘଦିନ ହେବ ବନ୍ଦ ହୋଇଯାଇଥିବା ଖପ୍ରାଖୋଲ ସାପ୍ତାହିକ ହାଟ ଏବେ ଆରମ୍ଭ ହୋଇଛି। ଦୀର୍ଘ ପାଞ୍ଚମାସ ପରେ ବଜାର ବସିଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ଜନସାଧାରଣ ଦୀର୍ଘଦିନ ପରେ ଏକାଠି ହେବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିପାରିଛନ୍ତି। ସୂଚନା ଯୋଗ୍ୟ କି କରୋନା ସଂକ୍ରମଣକୁ ରୋକିବା ପାଇଁ ଗତ ମାର୍ଚ୍ଚ ମାସରେ ଲକ୍‌ଡାଉ ଘୋଷଣା ହେବା ସହିତ ସାପ୍ତାହିକ ହାଟ ବନ୍ଦ ହୋଇଯାଇଥିଲା। କେବଳ ପରିବା ବିକ୍ରି କରିବା ପାଇଁ କେତେକ ବ୍ୟବସାୟୀଙ୍କୁ ହାଟ ବଦଳରେ ଖପ୍ରାଖୋଲ ପ୍ରହରୀ ମଣ୍ଡପ ନିକଟରେ ବିକ୍ରି କରିବାକୁ ଅନୁମତି ଦିଆଯାଇଥିଲା।

ସାପ୍ତାହିକ ହାଟ ବନ୍ଦ ହେବା ଯୋଗୁଁ ଗ୍ରାହକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏପରିକି ଗଣପର୍ବ ନୂଆଁଖାଇରେ ମଧ୍ୟ ହାଟ ବସି ପାରିନଥିଲା। ଦୀର୍ଘଦିନ ଧରି ହାଟ ବନ୍ଦ ରହିବାରୁ ବ୍ୟବସାୟୀମାନଙ୍କର ରୋଜଗାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ବ୍ୟବସାୟୀ ମାନେ ଆର୍ଥିକ ଅନାଟନର ସମ୍ମୁଖୀନ ହେବା ସହିତ ନିଜର ପରିବାର ଚଳାଇବାକୁ ଅସମର୍ଥ ହୋଇପଡିଥିଲେ। ସେହିପରି ଏହି ବ୍ଲକର ଧଣ୍ଡାମୁଣ୍ଡା, କପସିପାଲି, ତେଲେନପାଲି, ରେଙ୍ଗାଲି, ପୁତୁଲାମହୁଲରେ ସାପ୍ତାହିକ ହାଟ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି। ଏବେ ହାଟ ଆରମ୍ଭ ହୋଇଥିବାରୁ ଉଭୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.